ଯାଜପୁରରେ ଚାଷୀ ଆତ୍ମହତ୍ୟା

ବରୀ : ଯାଜପୁରରେ ପୁଣି ଚାଷୀ ଆତ୍ମହତ୍ୟା। ଋଣବୋଝ ସହି ନପାରି ବରୀ ବ୍ଲକ ଅଙ୍ଗାଳୋ ପଞ୍ଚାୟତର ଅରିଲୋ ଗ୍ରାମର ଭାଗଚାଷୀ କୀର୍ତ୍ତିଭାନୁ ସାମଲ ଓରଫ ବାନାମ୍ବର(୪୫) ସୋମବାର ବିଳମ୍ବିତ ରାତିରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ବାନାମ୍ବରଙ୍କର ନିଜସ୍ବ ଜମି ନଥିବା ବେଳେ ଭାଗ ଚାଷ କରି ପରିବାର ଚଳାଉଥିଲେ। ଭୂମିହୀନ ହୋଇଥିବାରୁ ଯଦିଓ ସରକାରୀ ଭାବେ ସମବାୟ ସମିତି କିମ୍ବା ବ୍ୟାଙ୍କରୁ ଋଣ ପାଇପାରି ନଥିଲେ, ଗାଁ ମହାଜନ ଏବଂ ଗାଁର ସ୍ବୟଂ ସହାୟକ ଗୋଷ୍ଠୀଙ୍କ ଠାରୁ ପାଖାପାଖି ୨ ଲକ୍ଷ ଟଙ୍କା କରଜ କରିଥିଲେ। ଗୋଟିଏ ପଟେ ଫସଲ ହାନୀ ଅନ୍ୟପଟେ ମହାଜନଙ୍କ ତାଗିଦ୍ ତାଙ୍କୁ ଅତିଷ୍ଠ କରିଦେଇଥିଲା। ଯେଉଁଥିପାଇଁ ବାନାମ୍ବରଙ୍କର ମୃତ୍ୟୁ ହୋଇଥିବା ତାଙ୍କ ଭଉଣୀ ସୁମିତ୍ରା ସାମଲ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ, ଘଟଣା ସମ୍ପର୍କରେ ଖବର ପାଇ ପୁଲିସ୍‌ ପହଞ୍ଚିବା ପୂର୍ବରୁ ଗ୍ରାମବାସୀ ଶବ ପୋଡ଼ି ଦେଇଛନ୍ତି। ପୁଲିସ୍‌ ତଦନ୍ତ ଆରମ୍ଭ କରିବା ସହିତ ଥାନାରେ ଅଭିଯୋଗ କରିବା ପାଇଁ ମୃତକଙ୍କ ପରିବାରକୁ ପରାମର୍ଶ ଦେଇଥିବ‌ା ଜଣାପଡ଼ିଛି।

ସମ୍ବନ୍ଧିତ ଖବର