ଆଖି ବୁଜିଲେ ଆଉ ୨ ଚାଷୀ

ଜଳାଭାବ ନେଲା ଜୀବନ!

ଧମା : କେତେବେଳେ ଚକଡ଼ା ତ କେତେବେଳେ ପ୍ରାକୃତିକ ବିପର୍ଯ୍ୟୟ। ପୁଣି କେତେବେଳେ ଜଳାଭାବ। ସମ୍ବଲପୁର ଜିଲ୍ଲାରେ ଚାଷୀଙ୍କ ଉପରେ ଦାଉ ସାଧୁଛି। ଏହାର ସଦ୍ୟତମ ଶିକାର ହୋଇଛନ୍ତି ମାନେଶ୍ବର ବ୍ଲକ ହୁମା ଗ୍ରାମପଞ୍ଚାୟତ ପାଞ୍ଚଫୁଟ ଗାଁର ଗୌତମ ସେଟ(୨୮)। ତାଙ୍କ ମୃତ୍ୟୁକୁ ନେଇ ଜିଲ୍ଲାରେ ପୁଣି ଆଲୋଡ଼ନ ସୃଷ୍ଟି ହୋଇଛି। ମାତ୍ର ୮ ମାସ ତଳେ ବିବାହ କରିଥିଲେ ଗୌତମ। ତାଙ୍କ ଘର କାନ୍ଥରୁ ବାହାଘର ସମୟର ଚିତା ଓ ଲେଖା ଏବେ ବି ଲିଭିନି। ମାତ୍ର ତାଙ୍କ ପତ୍ନୀ ବନ୍ଦନାଙ୍କ ମଥାରୁ ଲିଭିଯାଇଛି ସିନ୍ଦୁର। ସବୁଠାରୁ ବଡ଼ କଥା ହେଉଛି କେବଳ ଗୌତମ ନୁହନ୍ତି, ଏହି ଅଞ୍ଚଳରେ ଅଧିକାଂଶ ଚାଷୀଙ୍କ ଜମି ଏବେ ଜଳାଭାବ ଯୋଗୁଁ ଶୁଖି ଫାଟିବାକୁ ବସିଛି ଓ ଫସଲ ସଂପୂର୍ଣ୍ଣ ନଷ୍ଟ ହେବା ଉପରେ। ଖୋଦ୍ ପ୍ରଶାସନ ବି ଏହି ଜଳାଭାବ କଥାକୁ ସ୍ବୀକାର କରୁଛି।

ପରିବାର ସୂତ୍ରରୁ ମିଳିଥିବା ତଥ୍ୟ ଅନୁସାରେ ,ଗୌତମ ନିଜ ପୈତୃକ ୨ ଏକର ଜମି ଏବଂ ଅନ୍ୟମାନଙ୍କ ଅଢ଼େଇ ଏକର ଜମିରେ ଭାଗଚାଷ କରିଥିଲେ। କିଛି ମାସ ହେଲା ଏହି ଅଞ୍ଚଳରେ ପାଣି ସମସ୍ୟା ଲାଗି ରହୁଥିଲା। ଗୌତମଙ୍କ ଧାନ ଫୁଟିବା ଆରମ୍ଭ ବେଳକୁ ପାଣି ଅଭାବ ଯୋଗୁଁ ଏହା ଖରାପ ହେବାକୁ ବସିଥିବା ଯୋଗୁଁ ସେ ସର୍ବଦା ଅନ୍ୟମନସ୍କ ରହୁଥିବା ପରିବାର ପକ୍ଷରୁ କୁହାଯାଇଛି। ଗୁରୁବାର ସକାଳେ ସେ ଜମିରେ ଫସଲ ଅବସ୍ଥା ଦେଖିବା ପରେ ଅତ୍ୟନ୍ତ ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ। ଏହା ପରେ ଘରେ ପହଞ୍ଚି ବିଷ ପିଇ ଦେଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ସଦର ଚିକିତ୍ସାଳୟ ଏବଂ ପରେ ବୁର୍ଲା ଡାକ୍ତରଖାନା ପଠାଯାଇଥିଲା। ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୌତମଙ୍କ ମୃତ୍ୟୁ ହୋଇଥିଲା।

ଋଣ ବୋଝ ନେଲା ବାହାଦୁରଙ୍କ ଜୀବନ

ସମ୍ବଲପୁର : ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଗିରେଲପାଲିର ଚାଷୀ ବାହାଦୁର କହଁର(୫୩) ବି ଋଣ ବୋଝ ସହିନପାରି ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଚାଷ ପାଇଁ ବିଭିନ୍ନ ସ୍ଥାନ‌ରୁ ବାହାଦୁର ଋଣ ନେଇଥିଲେ। କିନ୍ତୁ ଚଳିତ ବର୍ଷ ମରୁଡି ଯୋଗୁଁ ଚାଷ ଉଜୁଡ଼ିଯିବା ଫଳରେ ବାହାଦୁର ଚିନ୍ତାଗ୍ରସ୍ତ ହୋଇପଡ଼ିଥିଲେ। ପରିବାର ଲୋକଙ୍କ କହିବା ଅନୁସାରେ ଦୀର୍ଘଦିନ ଧରି ଦୁଶ୍ଚିନ୍ତାରେ ରହିବା ପରେ ଗତ ୧୮ ତାରିଖ ଦିନ ବିଷ ପିଇଦେଇଥିଲେ। ସେ ବାନ୍ତି କରିବା ପରେ ଘରଲୋକ ଜାଣିପାରି ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋରରୁ ବାହାଦୁରଙ୍କ ମୃତ୍ୟୁ ହୋଇଛି। ବୁର୍ଲା ପୁଲିସ ଶବ ଜବତ କରି ବ୍ୟବ‌େଚ୍ଛଦ ପାଇଁ ପଠାଇଛି।

ସମ୍ବନ୍ଧିତ ଖବର