ରାଜନଗର : ବିଷ ପିଇ ଜୀବନ ହାରିଲେ ଚାଷୀ

ରାଜନଗର : କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ନୁରୁଗାଁର ଯୁବଚାଷୀ ରାମଚନ୍ଦ୍ର ବାରିକ (୪୦) ବିଷପିଇ ଆତ୍ମହତ୍ୟା କରିଛନ୍ତି। ୪ ଏକର ଧାନଫସଲ ନଷ୍ଟ ହୋଇଯିବା ପରେ ଋଣବୋଝରେ ରାମଚନ୍ଦ୍ର ଆତ୍ମହତ୍ୟା କରିଥିବା ପରିବାର ଲୋକେ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫସଲ ନଷ୍ଟର କ୍ଷତିପୂରଣ, ଋଣଛାଡ ଓ ସରକାରୀ ସହାୟତା ଦାବିରେ ଲୋକେ ରାଜନଗର–ପଟ୍ଟାମୁଣ୍ତାଇ ମୁଖ୍ୟରାସ୍ତାକୁ ଦୀର୍ଘ ୫ ଘଣ୍ଟା ଧରି ଅବରୋଧ କରିଛନ୍ତି।

ଅଭିଯୋଗ ଅନୁଯାୟୀ ରାମଚନ୍ଦ୍ର ଚଳିତ ଖରିଫ ଋତୁରେ ନିଜର ୩ ଏକର ଜମି ସହିତ ଗୋଟିଏ ଏକର ଭାଗଜମି ଚାଷ କରିଥିଲେ। ଖରିଫ ଧାନଚାଷ ପାଇଁ ଭାଟପଡା ପ୍ରାଥମିକ କୃଷି ସେବା ସମବାୟ ସମିତିରୁ ନିଜ ନାଁରେ ୩୪ ହଜାର ୪ଶହ ଟଙ୍କା, ପତ୍ନୀ ପ୍ରେମଲତାଙ୍କ ନାଁରେ ୩୦ ହଜାର ଟଙ୍କା ଓ ଗାଁର ବଜରଙ୍ଗବାଲୀ ସ୍ବୟଂ ସହାୟକ ଗୋଷ୍ଠୀରୁ ୮୦ ହଜାର ଟଙ୍କା ଋଣ ଆଣି ଧାନଚାଷ କରିଥିଲେ। ମାତ୍ର ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବା ପରେ କିପରି ଋଣ ଶୁଝିବେ, ସେ ଚିନ୍ତାରେ ରାମଚନ୍ଦ୍ର ମାନସିକ ଭାରସାମ୍ୟ ହରାଇ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ୨୭ ତାରିଖ ଭୋର ପ୍ରାୟ ୪ଟାରେ ସେ ଘରେ ବିଷ ପିଇ ଦେଇଥିଲେ। ରାମଚନ୍ଦ୍ରଙ୍କୁ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ଥିବାରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ସମ୍ବନ୍ଧିତ ଖବର