ଋଣ ବୋଝରୁ ଜୀବନ ହାରିଲେ ଚାଷୀ, ମାଇକ୍ରୋ ଫାଇନାନ୍ସରୁ କରିଥିଲେ ୬ ଲକ୍ଷ ଟଙ୍କା ଋଣ

ଟିଟିଲାଗଡ଼ : ଅତ୍ୟଧିକ ଋଣ ବୋଝ ସହି ନପାରି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଦର୍ଲୋ ଗାଁର ଚା‌ଷୀ ଘାସିରାମ ମାଝୀ (୪୮) ଆତ୍ମହତ୍ୟା କରିଛନ୍ତି। ମାଇକ୍ରୋ ଫାଇନାନ୍ସ ସଂସ୍ଥାର ଜାଲରେ ପଡ଼ି ସେ ଏଭଳି ଚରମ ପ‌ଦକ୍ଷେପ ନେଇଥିବା ପରିବାର ଲୋକ କହିଛନ୍ତି।

ପ୍ରକାଶ ଯେ, ଦର୍ଲୋ ଗାଁ ନିକଟ ଜମି କଡ଼ରେ ଥିବା ଏକ ଗଛରେ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ଶବ ସୋମବାର ଦେଖିବାକୁ ମିଳିଥିଲା। ଶବଟି ଘାସିରାମଙ୍କ ବୋଲି ଚିହ୍ନଟ ହୋଇଥିଲା। ଖବର ପାଇ ଟିଟିଲାଗଡ଼ ପୁଲିସ ଏସ୍‌ଆଇ ମୋହିନୀ ମଲ୍ଲିକ ଘଟଣାସ୍ଥଳକୁ ଯାଇ ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଥିଲେ।

ତଦନ୍ତରୁ ଜଣା ପଡ଼ିଥିଲା ଯେ, ମୃତ ଘାସିରାମ ଇଜମାଲି ହିସାବରେ କିଛି ଜମି ପାଇଥିଲେ। ଏହା ତାଙ୍କ ପରିବାର ପ୍ରତିପୋଷଣରେ ସହାୟକ ହେଉ ନଥିବାରୁ ସେ ଅଧିକ କିଛି ଜମି କିଣିବାକୁ ଇଚ୍ଛା କରିଥିଲେ। ଏଥିପାଇଁ ସେ ମାଇକ୍ରୋ ଫାଇନାନ୍ସ ସଂସ୍ଥାର ଆଶ୍ରୟ ନେଇଥିଲେ। ତାଙ୍କ ପତ୍ନୀଙ୍କ ନାଁରେ ଏଲ୍‌ଏଣ୍ଡଟି, ଏସ୍‌କେଏସ୍‌, ସ୍ପନ୍ଦନା ଆଦି ୬ଟି ମାଇକ୍ରୋ ଫାଇନାନ୍ସ କମ୍ପାନିରୁ ୬ଟି ଋଣ ନେଇଥିଲେ। ଏହାସହ ସେ କିଛି ପରିଚିତ ମହିଳାଙ୍କ ନାଁରେ ମଧ୍ୟ ୫ଟି ମାଇକ୍ରୋ ଫାଇନାନ୍ସ ସଂସ୍ଥାରୁ ୫ଟି ଋଣ ଉଠାଇଥିଲେ। ଏହି ଋଣ ଟଙ୍କା ପ୍ରାୟ ଛଅ ଲକ୍ଷ ଟଙ୍କା ହୋଇଥିଲା। ଏହି ଟଙ୍କାରେ ସେ କିଛି ଜମି କିଣିଥିଲେ। ତେବେ ମୂଳ ଓ ସୁଧ ବାବଦକୁ ମାସକୁ ତାଙ୍କୁ ପ୍ରାୟ ୭୨ ହଜାର ଟଙ୍କା ଏହି ସଂସ୍ଥାଗୁଡ଼ିକୁ ପରିଶୋଧ କରିବାକୁ ପଡୁଥିଲା। ଏପରି ପରିସ୍ଥିତିରେ ସେ କିଣିଥିବା ଜମି ବିକି ଋଣ ଶୁଝିବାକୁ ଚେଷ୍ଟା କରିଥିଲେ। ‌କିନ୍ତୁ, ସେ ଜଣେ ଆଦିବାସୀ ହୋଇଥିବାରୁ ଗ୍ରାହକ ମିଳିବାରେ ସମସ୍ୟା ସୃଷ୍ଟି ହୋଇଥିଲା। ସବୁ ଆଡୁ ନିରାଶ ହେବାରୁ ଘାସିରାମ କିଛିଦିନ ହେଲା ଚିନ୍ତିତ ଓ ବିବ୍ରତ ରହୁଥିଲେ। ରବିବାର ରାତିରୁ ସେ ଘରୁ ବାହାରି ଯାଇଥିଲେ। ସୋମବାର ଭୋର୍‌ରେ ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।

ଟିଟିଲାଗଡ଼ ପୁଲିସ ଥାନା କେସ୍‌ ନଂ ୨୨/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ଥାନାଧିକାରୀ ପ୍ରଭାତ ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ଘାସିରାମଙ୍କ ପରିବାରରେ ତାଙ୍କ ସ୍ତ୍ରୀ, ଦୁଇ ପୁଅ ଓ ଦୁଇ ଝିଅ ରହିଛନ୍ତି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର