ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା

ବରଗଡ଼/ଗାଇସିଲାଟ୍‌ : ବରଗଡ଼ ଜିଲ୍ଲାର ମରୁଡ଼ି ପ୍ରପୀଡ଼ିତ ଗାଇସିଲାଟ୍‌ ବ୍ଳକ୍‌ରେ ପୁଣି ଜଣେ ଚାଷୀ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ହେଲେ ମଲମଣ୍ଡା ଗ୍ରାମର ଇନ୍ଦ୍ର ବରିହା (୩୨)। ବୁଧବାର ରାତି ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ତାଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ମଲମଣ୍ଡା ଗାଁର ରୂପାଧର ବରିହାଙ୍କ କନିଷ୍ଠ ପୁତ୍ର ଇନ୍ଦ୍ର ବରିହା ରବିବାର ଦିନ ନିଜ ଚାଷ ଜମିରେ କୀଟନାଶକ ଖାଇଥିଲେ । ସେ ଅଚେତ ହୋଇ ବିଲରେ ପଡ଼ିଥିବା ପରିବାରବର୍ଗ ଦେଖିବାକୁ ପାଇଥିଲେ। ତାଙ୍କୁ ତୁରନ୍ତ ପଦ୍ମପୁର ଡାକ୍ତରଖାନାକୁ ନେଇଥିଲେ। ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ବୁଧବାର ରାତିରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଚାଷ ଉଜୁଡ଼ି ଯିବାରୁ ଋଣବୋଝ ଚିନ୍ତାରେ ଇନ୍ଦ୍ର ଆତ୍ମହତ୍ୟା କରିଛନ୍ତି ବୋଲି ସ୍ତ୍ରୀ ତୁଲସା ବରିହା ଅଭିଯୋଗ କରିଛନ୍ତି।

ତୁଲସାଙ୍କ ଅଭିଯୋଗ ହେଲା, ବହୁ କଷ୍ଟରେ ଏଥର ଇନ୍ଦ୍ର ଧାନଚାଷ କରିଥିଲେ। ଏଥିପାଇଁ ପ୍ରାୟ ଲକ୍ଷେ ଟଙ୍କା ହାତ ଉଧାରି କରିଥିଲେ। ଚାଷବାସ ଉଜୁଡ଼ି ଯାଇଥିବାରୁ ତାଙ୍କୁ ଋଣ ପରିଶୋଧ ଚିନ୍ତା ଘାରିଥିଲା। ଫଳରେ ଚାପଗ୍ରସ୍ତ ହୋଇ ସେ କୀଟନାଶକ ପିଇଦେଲେ ବୋଲି ତୁଲସା କହିଛନ୍ତି। ଗାଇସିଲାଟ୍‌ ତହସିଲଦାର ସଦାକର କୁମ୍ଭାର, ବିଡିଓ ସୁଧାଂଶୁ ଭୋଇ, ଥାନାଧିକାରୀ ଗୌରାଙ୍ଗ ସାହୁ, ସହକାରୀ କୃୃଷି ଅଧିକାରୀ ପ୍ରମୁଖ ଗାଁରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ରେଡ୍‌କ୍ରସ୍‌ ପକ୍ଷରୁ ତହସିଲଦାର୍‌ ୧୦ହଜାର ଓ ହରିଶ୍ଚନ୍ଦ୍ର ଯୋଜନାନୁସାରେ ସରପଞ୍ଚ ୨୦୦୦ ଟଙ୍କା ମୃତକଙ୍କ ପରିବାରବର୍ଗଙ୍କୁ ପ୍ରଦାନ କରିଛନ୍ତି। ସେପଟେ ରାଜ୍ୟ କୃଷିମନ୍ତ୍ରୀ ମଧ୍ୟ ଘଟଣାର ତଦନ୍ତ ନିର୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର