ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା

ବୁର୍ଲା/ବରଗଡ଼: ଅଦିନିଆ ବର୍ଷା ଓ କରାମାଡ଼ରେ ବରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ ଫସଲହାନି ହୋଇଛି। କ୍ଷତିଗ୍ରସ୍ତ ଯୋଗୁଁ ବହୁ ଚାଷୀ ଏକ ପ୍ରକାର ସର୍ବସ୍ୱାନ୍ତ ହୋଇଛନ୍ତି। ଏଭଳି ସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଥିବା ସାମ୍‌ନାକୁ ଆସୁଛି। ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ଗାଇସିମା ଗାଁର ଚାଷୀ ଧନପତି ବିଶ୍ୱାଲ(୭୦) ବିଷଖାଇ ଆତ୍ମହତ୍ୟା କରିଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଧନପତି ମୋଟ ୫ଏକର ଜମିରେ ଭାଗ ସୂତ୍ରରେ ଧାନ ଚାଷ କରିଥିଲେ। ସେ ଗ୍ରୁପରେ ଟଙ୍କା ଉଠାଇବା ସହ ବିହନ, ଖତ, ସାର ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ହାତ ଉଧାରି ମିଶାଇ ପ୍ରାୟ ଦେଢ଼ ଲକ୍ଷ ଟଙ୍କା କରଜ ନେଇଥିଲେ। ଗତ କିଛି ଦିନ ଧରି କ୍ରମାଗତ ଅଦିନିଆ ବର୍ଷା ଓ କରା ମାଡ଼ରେ ଅଧାରୁ ଅଧିକ ଫସଲ ନଷ୍ଟ ହେବାରୁ ସେ ଚିନ୍ତାଗ୍ରସ୍ତ ରହୁଥିଲେ। ଗତ ୩୦ ତାରିଖ ସଂଧ୍ୟା ପ୍ରାୟ ୭ଟାରେ ବିଷଖାଇ ବାନ୍ତି କରିବାରୁ ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲରେ ଭର୍ତ୍ତିି କରାଯାଇଥିଲା। ଶନିବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଛି। ଏନେଇ ମେଡିକାଲ ପୁଲିସ୍‌ ଫାଣ୍ଡିରେ ଏକ ଅପମୃତ୍ୟୁ ରୁଜୁ ହୋଇଛି। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି। ସୂଚନା ଥାଉ କି, ଗତ ୨୯ ତାରିଖ ବରପାଲି ବ୍ଲକ ଅନ୍ତର୍ଗତ ଜୁଲଟ ଗାଁର ଖଲିଆଟିକ୍ରାର ଚାଷୀ ଗୋବର୍ଦ୍ଧନ ବାରିକ(୪୦) ଫସଲହାନି ଯୋଗୁଁ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ୩ ଦିନରେ ୨ ଜଣ ଚାଷୀଙ୍କ ଆତ୍ମହତ୍ୟା ଘଟଣା ଚିନ୍ତାର ବିଷୟ ହୋଇଛି।

ସମ୍ବନ୍ଧିତ ଖବର