ଧାନ କ୍ଷେତକୁ ପାଣି ମିଳିଲାନି, ଫସଲ ଜାଳିଦେଲେ ଚାଷୀ

ବିନିକା : ମାସେ ହେଲା ହୀରାକୁଦ କେନାଲ ପାଣି ଧାନ କ୍ଷେତକୁ ପହଞ୍ଚୁ ନାହିଁ। ସେହିପରି ବିଦ୍ୟୁତ୍ ଯୋଗାଣ ବନ୍ଦ ରହିଥିବାରୁ ଲିଫ୍‌ଟ ପଏଣ୍ଟ ସବୁ ଅଚଳ ହୋଇ ପଡ଼ିଛି। ପାଣି ଅଭାବରୁ ବିଲରେ ମାଟି ଫାଟି ଆଁ କରିବା ସହିତ ଧାନଗଛ ସବୁ ମରି ପାଳ ହୋଇଗଲାଣି। ଶେଷରେ ହତାଶ ହୋଇ ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ ଚୁଲିମାଳ ଗାଁର ଚାଷୀ ମହାଦେବ ଭୋଇ ଆଜି ତାଙ୍କ କ୍ଷେତରେ ନିଆଁ ଲଗାଇ ଫସଲ ଜାଳି ଦେଇଛନ୍ତି।

ଶ୍ରୀ ଭୋଇ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଜମିକୁ କେନାଲ ପାଣି ପହଞ୍ଚିଲା ନାହିଁ। ସେହିପରି ବିଭିନ୍ନ ଆଳ ଦେଖାଇ ବିଦ୍ୟୁତ୍ ବିଭାଗ ପକ୍ଷରୁ ସଂଯୋଗ କାଟି ଦିଆଯାଇଛି। ତେଣୁ ଲିଫ୍‌ଟ ପଏଣ୍ଟ ଅଚଳ ହୋଇ ପଡ଼ିଛି। ବାରମ୍ବାର ଅଭିଯୋଗ ପରେ ବି କେହି ଶୁଣିଲେ ନାହିଁ। ତେଣୁ ତାଙ୍କ ୪ ଏକର ଧାନ ଫସଲ ଉଜୁଡ଼ି ଯାଇଛି। ଏହି କାରଣରୁ ସେ ଆଜି ଦିନ ୧୨ଟାରେ ନିଜର ଅଧ ଏକର ଫସଲରେ ନିଆଁ ଲଗାଇ ଦେଇଥିଲେ। ଗତବର୍ଷ ଚକଡ଼ା ପୋକ ଲାଗି ଶ୍ରୀ ଭୋଇଙ୍କ ୧୦ ଏକର ସମ୍ପୂର୍ଣ୍ଣ ଭାବେ ଫସଲ ନଷ୍ଟ ହୋଇ ଉଜୁଡ଼ି ଯାଇଥିଲା। ସେ ପ୍ରଶାସନକୁ ଲିଖିତ ଆକାରରେ ଜଣାଇଥିଲେ ବି ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷତିପୂରଣ ପାଇନଥିବା କହିଛନ୍ତି। ବିନିକା ଆର୍‌ଆଇ ମୋହନ ପାଣ୍ଡେଙ୍କୁ ପଚରିବାରୁ ‘ଜଣେ ଚାଷୀ ଫସଲରେ ନିଆଁ ଲଗାଇଥିବା ସନ୍ଧ୍ୟାରେ ଖବର ପାଇଛି; ଆସନ୍ତାକାଲି ଏହାର ତଦନ୍ତ କରି ତହସିଲଦାରଙ୍କୁ ରିପୋର୍ଟ କରିବି’ ବୋଲି କହିଥିଲେ। ବିନିକା ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ରଶ୍ମିରଞ୍ଜନ ଜେନାଙ୍କୁ ପଚରିବାରୁ ସେ କହିଥିଲେ ଯେ ଆଜି ଗ୍ରାମବାସୀ କହିବା ପରେ ଦିନ ୪ଟାରେ ବିପଦଜନକ ଅବସ୍ଥାରେ ଥିବା ବିଦ୍ୟୁତ ତାର ସଜାଡ଼ି ବିଦ୍ୟୁତ୍‌ ସଂଯୋଗ ଦେବାକୁ କର୍ମଚାରୀଙ୍କୁ ଚୁଲିମାଳ ଗାଁକୁ ପଠାଇଛି।

ସମ୍ବନ୍ଧିତ ଖବର