କ୍ଷେତରେ ନିଆଁ ଲଗାଇଲେ ଚାଷୀ, ଯନ୍ତ୍ରୀଙ୍କୁ ମାଡ଼

ଭୋଗରାଇ : ବିଦ୍ୟୁତ୍‌ ବିଭାଗର ଅବହେଳାକୁ ଦାୟୀ କରି ରବି ଧାନଚାଷ ନଷ୍ଟ ହୋଇଥିବାରୁ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଗୋପୀନାଥପୁର ପଞ୍ଚାୟତର ଚାଷୀମାନେ ଫସଲରେ ନିଆଁ ଲଗାଇବା ସହ ବିଭାଗୀୟ ଯନ୍ତ୍ରୀଙ୍କୁ ମାଡ଼ ମାରିଥିବା ଚର୍ଚାର ବିଷୟ ହୋଇଛି।

ଯାହା ସୂଚନା ରହିଛି; ଗୋପୀନାଥପୁର ପଞ୍ଚାୟତ ମହିଷାମୁଣ୍ଡା ଓ ଦ୍ୱାରିପାତର ଏବଂ ଜୟରାମପୁର ପଞ୍ଚାୟତ ଜୟରାମପୁର ଓ ଟେଙ୍ଗରାମାରି ଗ୍ରାମରେ ୧୦ଟି ବ୍ୟକ୍ତିଗତ ସେଚ ପଏଣ୍ଟ ଜରିଆରେ ପ୍ରାୟ ଦେଢ଼ଶହ ଏକରରୁ ଅଧିକ ଜମିରେ ଚଳିତ ବର୍ଷ ରବିଧାନ ଚାଷ ହୋଇଛି। ଏହି ସେଚ ପଏଣ୍ଟକୁ ବିଦ୍ୟୁତ୍‌ ସରବରାହ ପାଇଁ ୬୩ କେଭି ଟ୍ରାନ୍ସଫର୍ମର ରହିଛି। ତେବେ ଏହି ଟ୍ରାନ୍ସଫର୍ମର ଉପରେ ଅଧିକ ଲୋଡ ପୋଡୁଥିବାରୁ ଗତ ଫେବ୍ରୁଆରି ମାସ ୨୪ ତାରିଖରେ ଏହା ପୋଡ଼ିଯାଇଥିଲା। ଫଳରେ ଅଳ୍ପ ରୁଆ ହୋଇଥିବା ଧାନ ପାଣି ନପାଇ ଶୁଖିଗଲା। ତେବେ ଗତ ଗୁରୁବାର ଦିନ ନୂଆ ଟ୍ରାନ୍ସଫର୍ମର ଲଗାଯାଇ ଚାର୍ଜ ହୋଇଥିଲା। ହେଲେ କୌଣସି ସେଚ ପଏଣ୍ଟକୁ ବିଭାଗ ପକ୍ଷରୁ ବିଦ୍ୟୁତ୍‌ ସଂଯୋଗ କରାଯାଇ ନଥିଲା।

ଏହାର ପ୍ରତିବାଦରେ ଆଜି ସକାଳେ ଶହଶହ ଚାଷୀ ଶୁଖିଲା ତଳିରେ ନିଆଁ ଲଗାଇଦେଇଥିଲେ। ଏହି ସମୟରେ ବିଦ୍ୟୁତ୍‌ ବିଭାଗର କନିଷ୍ଠ ଯନ୍ତ୍ରୀ ମଦନମୋହନ ସାହୁ ଓ କର୍ମଚାରୀମାନେ ସେଠାରେ ପହଞ୍ଚିବାରୁ ଉତ୍ତ୍ୟକ୍ତ ଚାଷୀମାନେ ଯନ୍ତ୍ରୀ ଶ୍ରୀ ସାହୁଙ୍କୁ ମାଡ଼ ମାରିବା ସହ ଅଟକ ରଖିଥିଲେ। ଖବର ପାଇ ଭୋଗରାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଚାଷୀଙ୍କୁ ବୁଝାସୁଝା କରିବା ସହ ବିଦ୍ୟୁତ୍‌ ଯନ୍ତ୍ରୀଙ୍କୁ ଉଦ୍ଧାର କରିଥିଲେ। ପରେ ଘଟଣା ବାବଦରେ ଯନ୍ତ୍ରୀ ଶ୍ରୀ ସାହୁ ଥାନାରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର