ବରଗଡ଼ ରାଜନୀତିରେ ଚାଷୀ କାର୍ଡ

ବରଗଡ଼ : ସାଧାରଣ ନିର୍ବାଚନ ହେଉ କି ନହେଉ, ବରଗଡ଼ ଜିଲ୍ଲାରେ ଚାଷୀ ଓ ଚାଷ ପ୍ରସଂଗକୁ ନେଇ ସର୍ବଦା ରାଜନୈତିକ ଦଳ ମଧ୍ୟରେ ତର୍କବିତର୍କ ଆରମ୍ଭ ହୋଇଥାଏ। ଏବେ ଏହି ପ୍ରସଂଗକୁ ନେଇ ପୁଣି ପରସ୍ପର ଉପରେ ଦୋଷାରୋପ ପର୍ବ ଆରମ୍ଭ ହୋଇଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହି ପ୍ରସଂଗରେ ପରସ୍ପରକୁ ମାତ୍‌ ଦେବା ପାଇଁ ଭିତିରିଆ କସରତ ଚାଲିଛି। ଜିଲ୍ଲାର ସମସ୍ତ ନିର୍ବାଚନମଣ୍ଡଳୀରେ ଚାଷୀ ଏବ˚ ଚାଷ ସମସ୍ୟା ମୁଖ୍ୟ ପ୍ରସ˚ଗ ଭାବେ ଉଭା ହୋଇଛି। ରାଜନୀତି ଖେଳରେ ଏହି କାର୍ଡକୁ ଯିଏ ସଠିକ୍‌ ଚାଳନା କରିବ, ତାହାରି ମୁଣ୍ତରେ ହାତୀ କଳସ ଢାଳିବ ବୋଲି ରାଜନୀତି ବିଷାରଦ କହୁଛନ୍ତି। ବରଗଡ଼ ଜିଲ୍ଲାର ମାତ୍ର ତିନୋଟି ବ୍ଲକକୁ ବାଦ୍‌ ଦେଲେ ଅନ୍ୟ ୯ଟି ବ୍ଲକରେ ଜଳସେଚନ ସୁବିଧା ନାହିଁ। ଜିଲ୍ଲାର ମରୁଡ଼ି ସ୍ଥିତିକୁ ସରକାରୀ ମୋହର ବାଜି ସାରିଛି। ଜଳସେଚନ ସୁବିଧା ପାଇଁ ବର୍ଷବର୍ଷ ହେଲା ଦାବି ହୋଇଆସୁଛି। ଠିକଣା ସମୟରେ ରାଜ୍ୟ ସରକାର ଗଂଗାଧର ମେହେର ଜଳସେଚନ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି। କିନ୍ତୁ ଏହାକୁ ବିଜେପି ଏବଂ କଂଗ୍ରେସ ମିଶି ଏକ ନିର୍ବାଚନୀ ଚାଲ୍‌ ବୋଲି ଆଖ୍ୟା ଦେଇ ଆସୁଛି। ବିନା ଡିପିଆର‌୍‌, ବୈଷୟିକ କମିଟି ସୁପାରିସ ଏବ˚ ପାଣ୍ଠି ବ୍ୟବସ୍ଥାରେ କେବଳ ଭୋଟ୍‌ ହାତେଇବା ପାଇଁ ଏଭଳି ମନଗଢ଼ା ପ୍ରକଳ୍ପ ହୋଇଛି ବୋଲି ବିଜେପି ଅଭିଯୋଗ କରୁଛି। ବିଗତ ଦିନରେ ଜିଲ୍ଲାରେ ଯେଉଁ ସବୁ ଚାଷୀ ଆତ୍ମହତ୍ୟା ଘଟଣା ଘଟିଛି, ତାକୁ ପ୍ରସଂଗ କରି ବିରୋଧୀ ଦଳ ଭୋଟର୍‌ଙ୍କ ପାଖକୁ ଯାଉଛନ୍ତି। ଅତିକମ୍‌ରେ ନିର୍ବାଚନ ସରିବା ଯାଏଁ ମାମଲାକୁ ଉଦ୍‌ଜୀବିତ ରଖିବାକୁ ବିରୋଧୀ ଚେଷ୍ଟା କରୁଛନ୍ତି। ବିଗତ ଦିନରେ ରାହୁଲ ଗାନ୍ଧୀ ବରଗଡ଼ ଗସ୍ତବେଳେ ମୁଖ୍ୟତଃ ଚାଷୀ ଓ ଚାଷ ପ୍ରସଂଗ ଉଠାଇଥିଲେ। ନିଜ ଭାଷଣରେ ରାହୁଲ ଛତିଶଗଡ଼ର ଫର୍ମୁଲା ପକାଇଥିଲେ। ପଡ଼ୋଶୀ ଛତିଶଗଡ଼ରେ ନବଗଠିତ କଂଗ୍ରେସ ସରକାର ଚାଷୀଙ୍କ ପାଇଁ ଯେଉଁ ସବୁ ସୁବିଧା କରିଛି, ଏଠାରେ ମଧ୍ୟ ସରକାର ଗଢ଼ିଲେ ସେଇ ସୁବିଧା କରିବ ବୋଲି ରାହୁଲ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଆସନ୍ତା ୭ ତାରିଖ ଅମିତ ଶାହଙ୍କ ବରଗଡ଼ ଗସ୍ତ କାର୍ଯ୍ୟକ୍ରମ ରହିଛି। ରାହୁଲ ଯେଉଁ ପଡ଼ିଆରେ ଉଦ୍‌ବୋଧନ ଦେଇଥିଲେ, ସେହି ସରସରା ପଡ଼ିଆରେ ଅମିତ ଶାହଙ୍କ କାର୍ଯ୍ୟକ୍ରମ ହେବ। ଶ୍ରୀ ଶାହ ମଧ୍ୟ ଚାଷୀ ପ୍ରସଂଗକୁ ପୁନର୍ବାର ଉତ୍‌ଥାନ କରି ଉଭୟ ରାଜ୍ୟ ସରକାର ଏବଂ କଂଗ୍ରେସକୁ ସମାଲୋଚନା କରିବା ଗୋଟିଏ ହିସାବରେ ନିଶ୍ଚିତ।

ସମ୍ବନ୍ଧିତ ଖବର