କୃଷକ କମିଶନଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିବାର ବୈଧାନିକ ଆବଶ୍ୟକତା ନାହିଁ : କୃଷିମନ୍ତ୍ରୀ

ଭୁବନେଶ୍ୱର : କୃଷକ କମିଶନଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିବାର ବୈଧାନିକ ଆବଶ୍ୟକତା ନଥିବାରୁ ଏହା ବିଧାନସଭାରେ ଉପସ୍ଥାପନ କରାଯାଇନାହିଁ ବୋଲି କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ ଅରୁଣ ସାହୁ ଆଜି ବିଧାନସଭାରେ ପ୍ରକାଶ କରିଛନ୍ତି।

ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କର ଏକ ଲିଖିତ ପ୍ରଶ୍ନର ଉତ୍ତରରେ କୃଷିମନ୍ତ୍ରୀ କହିଛନ୍ତି ଯେ କୃଷି ଓ କୃଷକଙ୍କ ସମସ୍ୟା ଅନୁଧ୍ୟାନ ଓ ତହିଁର ପ୍ରତିକାର ଲକ୍ଷ୍ୟରେ ସରକାର ୨୦୧୦ ଜାନୁୟାରୀ ୨ ତାରିଖରେ କୃଷକ କମିଶନ ଅବସରପ୍ରାପ୍ତ ଆଇ.ଏ.ଏସ୍‌ ଅଫିସର ସୁଧାଂଶୁ ମୋହନ ପଟ୍ଟନାୟକଙ୍କ ଅକ୍ଷ୍ୟତାରେ ଗଠନ କରିଥିଲେ। କୃଷକ କମିଶନଙ୍କ ଦ୍ୱାରା ପ୍ରସ୍ତୁତ ଅନ୍ତରୀଣ ରିପୋର୍ଟ ସରକାରଙ୍କୁ ୨୦୧୦ ଅକ୍ଟୋବର ୩୦ ତାରିଖରେ ଏବଂ ଚୂଡାନ୍ତ ରିପୋର୍ଟ ୨୦୧୨ ମସିହା ଡିସେମ୍ବର ୧୫ ତାରିଖରେ ପ୍ରଦାନ କରିଥିଲେ। କମିଶନଙ୍କ ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିବାର ଆବଶ୍ୟକତା ନ ଥିବାରୁ ତାହା ଗୃହରେ ଉପସ୍ଥାପନ କରାଯାଇନାହିଁ। ତେବେ କମିଶନଙ୍କ ରିପୋର୍ଟ ଉପରେ କାର୍ଯ୍ୟାନ୍ଵୟନ ବିବରଣୀ (ଆକ୍ସନ୍‌ ଟେକ୍‌ନ୍‌ ରିପୋର୍ଟ) ପ୍ରସ୍ତୁତ ହୋଇଛି ବୋଲି ଶ୍ରୀ ସାହୁ କହିଥିଲେ।

ଏହି ପରିପ୍ରେକ୍ଷୀରେ କୃଷିମନ୍ତ୍ରୀ ଶ୍ରୀ ସାହୁ ଓଡ଼ିଶା ବିଧାନସଭାର ଉପସଚିବ ବି.କେ. ସାହୁ ରାଜ୍ୟ କଷି ବିଭାଗର ଯୁଗ୍ମ ଶାସନ ସଚିବଙ୍କୁ ଲେଖିଥିବା ଏକ ପତ୍ର ସଂଲଗ୍ନ କରିଥିଲେ। ‘‘ଏହି ରିପୋର୍ଟ ବିଧାନସଭାରେ ଉପସ୍ଥାପନ କରିବାର କୌଣସି ବୈଧାନିକ (ଷ୍ଟାଚ୍ୟୁଟୋରୀ) ଆବଶ୍ୟକତା ନାହିଁ। ସେହିପରି ଏଭଳି ରିପୋର୍ଟ ଗୃହରେ ଉପସ୍ଥାପନ କରିବାର କୌଣସି ପରମ୍ପରା ନାହିଁ’’ ବୋଲି ଏହି ପତ୍ରରେ କୁହାଯାଇଛି।

ସମ୍ବନ୍ଧିତ ଖବର