ପାର୍ଟିତନ୍ତ୍ରରେ କୃଷକ ଶୋଷିତ

ଜଗତ୍‌ସିଂହପୁରରେ ‘ଜୟକିଷାନ ସମାବେଶ’

ଆରମ୍ଭ ହେବ ନୂଆ ଏକ ସ୍ୱାଧୀନତା ସଂଗ୍ରାମ
ଓଡ଼ିଶାରୁ ଆନ୍ଦୋଳନର ମୂଳଦୁଆ ପଡ଼ିଲା

ଜଗତ୍‌ସିଂହପୁର : ଦେଶରୁ ଇଂରେଜଙ୍କୁ ହଟାଇବା ଓ ଦେଶରେ ଲୋକତନ୍ତ୍ର ପ୍ରତିଷ୍ଠା କରିବା ଗାନ୍ଧୀଜୀଙ୍କ ଲକ୍ଷ୍ୟ ଥିଲା। ମାତ୍ର ଆଜି ଲୋକତନ୍ତ୍ର ପ୍ରତିଷ୍ଠା ହୋଇ ପାରିନାହିଁ, ପାର୍ଟିତନ୍ତ୍ର ପ୍ରତିଷ୍ଠା ହୋଇଛି। ଏହି ପାର୍ଟିତନ୍ତ୍ରରେ କୃଷକ ଆଜି ଶୋଷିତ। କୃଷକମାନଙ୍କ ସ୍ୱାଧୀନତା ପାଇଁ ସମଗ୍ର ଦେଶରେ ଦ୍ୱିତୀୟ ସ୍ୱାଧୀନତା ଆନ୍ଦୋଳନ କରାଯିବ। ଓଡ଼ିଶାରୁ ହିଁ ଏହି ଆନ୍ଦୋଳନର ମୂଳଦୁଆ ପଡ଼ିଲା। ଜଗତ୍‌ସିଂହପୁରଠାରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆୟୋଜିତ ନବକୃଷ୍ଣ ଚୌଧୁରୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଓ ‘ଜୟକିଷାନ ମହାସମାବେଶ’ରେ ଯୋଗଦେଇ ବିଶିଷ୍ଟ ସମାଜସେବୀ ତଥା ଗାନ୍ଧୀବାଦୀ ନେତା ଆନ୍ନା ହଜାରେ ଏହା କହିଛନ୍ତି।

ଜଗତ୍‌ସିଂହପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ପଡ଼ିଆରେ ଏହି ସମାବେଶର ଆୟୋଜନ କରାଯାଇଥିଲା। ସମାବେଶରେ ଜଗତ୍‌ସିଂହପୁର ଏବଂ ରାଜ୍ୟର ବିଭିନ୍ନ ସ୍ଥାନରୁ ହଜାରହଜାର ଚାଷୀ ଯୋଗ ଦେଇଥିଲେ। ସେମାନଙ୍କୁ ଉଦ୍‌ବୋଧନ ଦେଇ ଆନ୍ନା ହଜାରେ କହିଲେ ଯେ କୃଷକମାନେ ଯେତିକି ଖର୍ଚ୍ଚ କରି ଚାଷ କରୁଛନ୍ତି, ତାହାର ଦେଢ଼ଗୁଣା ଅଧିକ ମୂଲ୍ୟ ପାଇବା ଦରକାର। ସେହିପରି, ୬୦ ବର୍ଷରେ ପଦାର୍ପଣ କରୁଥିବା କୃଷକଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା କରିବା ଦରକାର। ଏହାକୁ ସାକାର କରିବାକୁ ହେଲେ ଆଉ ଏକ ପ୍ରତିଜ୍ଞା କରିବାକୁ ହେବ। ଏଥିପାଇଁ ଅହିଂସା ମାର୍ଗକୁ କୃଷକମାନେ ଆପଣେଇବାକୁ ପଡ଼ିବ। ଆନ୍ଦୋଳନ ଏପରି ତୀବ୍ର ହେବା ଆବଶ୍ୟକ, ଯେମିତି ଜେଲରେ କୃଷକମାନଙ୍କୁ ରଖିବାକୁ ସ୍ଥାନର ଅଭାବ ପଡ଼ିବ। ଜେଲ୍‌ ଯିବାକୁ କେହି ଡରିବା ଉଚିତ ନୁହେଁ। ଦେଶସେବା ପାଇଁ ଜେଲ୍‌ ଯିବା ଏକ ଆଭୂଷଣ। ଏଥିପାଇଁ ସମଗ୍ର ଦେଶରେ କୃଷକମାନଙ୍କ ଆନ୍ଦୋଳନ ଆରମ୍ଭ ହେବ। ୮ଟି ରାଜ୍ୟରେ ଏହି ସମାବେଶ ପାଇଁ ତାରିଖ ଧାର୍ଯ୍ୟ ହୋଇ ସାରିଛି। ଖୁବ୍‌ଶୀଘ୍ର ଅନ୍ୟ ରାଜ୍ୟରେ ମଧ୍ୟ ଏହି ଆନ୍ଦୋଳନ ଆୟୋଜନ କରାଯିବା ପାଇଁ ଯୋଜନା ହେଉଛି। ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ହେଲା କୃଷକମାନେ ଏକଜୁଟ୍‌ ହେଲେ ଦେଶରେ ଚାଲୁଥିବା କଳୁଷିତ ଓ ଦୁର୍ନୀତିଗ୍ରସ୍ତ ସରକାରଙ୍କୁ ହିଁ ହଟାଯାଇପାରିବ।

ଭାଷଣ ପ୍ରାରମ୍ଭରେ ଆନ୍ନା ହଜାରେ ଗାନ୍ଧୀଜୀଙ୍କ କଥା କହିଥିଲେ। ସେ କହିଥିଲେ, ‘ ଲୋକତନ୍ତ୍ର ପ୍ରତିଷ୍ଠା ପାଇଁ ଗାନ୍ଧୀଜୀ ସ୍ୱପ୍ନ ଦେଖିଥିଲେ। ଯେଉଁ ଲୋକତନ୍ତ୍ର ଲୋକମାନଙ୍କ ପାଇଁ, ଲୋକମାନଙ୍କର ଓ ଲୋକମାନଙ୍କ ଦ୍ୱାରା ପ୍ରତିଷ୍ଠା ହେବ। ଏହି ମନ୍ତ୍ର ମୋତେ ଅନୁପ୍ରାଣିତ କରିଥିଲା। ମୋତ ଯେତେବେଳେ ୨୫ ବର୍ଷ ବୟସ ହୋଇଥିଲା, ଦେଶ ଓ ସମାଜ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ନିଷ୍ପତ୍ତି ନେଇଥିଲି। ସେଥିପାଇଁ ବିବାହ ନ କରିବା ପାଇଁ ନିଷ୍ପତ୍ତି ନେଇଥିଲି। ଜାଣିଥିଲି ଯେ, ବିବାହ କଲେ ଚୁଲି ଜଳାଇବାରେ ସମୟ ଚାଲିଯିବ। ଦେଶସେବା ପାଇଁ ସମୟ ଦେଇପାରିବିନାହିଁ। ’

ଗାନ୍ଧୀଜୀ ଓ ନବକୃଷ୍ଣ ଚୌଧୁରୀ ଯେଉଁ ସ୍ୱପ୍ନ ଦେଖୁଥିଲେ, ତାହା ପୂରଣ କରିବା। ଆଜି ନବକୃଷ୍ଣ ଚୌଧୁରୀଙ୍କ ଜନ୍ମଦିନ ହୋଇଥିବାରୁ ଏହିଭଳି ଏକ ମହାନ୍‌ ଦିବସରେ ସମସ୍ତେ ନିଶା ସେବନରୁ ନିବୃତ୍ତ ହେବା ପାଇଁ ଶପଥ ନେବାକୁ ଆନ୍ନା ହଜାରେ ସମସ୍ତଙ୍କୁ ଶପଥ କରାଇଥିଲେ।

ଏହି ମହାସମାବେଶରେ ଅତିଥି ଭାବେ ଯୋଗଦେଇ ସଂଗଠନର ମୁଖ୍ୟ ଉପଦେଷ୍ଟା ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଚାଷୀମାନଙ୍କ ତିନୋଟି ଦାବି ପ୍ରାଇସ୍‌, ପେନ୍‌ସନ ଓ ପ୍ରେଷ୍ଟିଜ୍‌ ଖୁବ୍‌ଶୀଘ୍ର ପୂରଣ ହେବା ଆବଶ୍ୟକ। ପ୍ରାଇସ୍‌ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପେନ୍‌ସନ୍‌ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଉ ସମ୍ମାନ ପାଇଁ ନିଜେ ସର୍ବଦା ପ୍ରସ୍ତୁତ ରହି କର୍ମ କରିବାକୁ ପଡ଼ିବ। ଯାହା ଫଳରେ ସମସ୍ତଙ୍କ ମୁଣ୍ଡ ଆପଣାଛାଏଁ ନଇଁଯିବ। ଆଉ ଏକ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗ ସମ୍ପର୍କରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଲେ, ଏବେ ବି ପାଉତିରେ ପ୍ରଜା ବୋଲି ଉଲ୍ଲେଖ କରାଯାଉଛି। ରାଜତନ୍ତ୍ର କେବେଠାରୁ ଗଲାଣି କିନ୍ତୁ ଆମେ ପ୍ରଜା ହୋଇ ରହିଛୁ। ଏଣୁ ଯେ ପର୍ଯ୍ୟନ୍ତ ପାଉତିରୁ ପ୍ରଜା ଶବ୍ଦ ନ ଉଠିଛି କେହି ଖଜଣା ନଦେବାକୁ ସେ ଆହ୍ଵାନ ଜଣାଇଥିଲେ। ଆଜିର ରାଜନୀତି ସଂଖ୍ୟାର ଖେଳ। ଭୋଟ୍‌ କାଙ୍ଗାଳ ନେତାମାନେ ସଂଖ୍ୟା ଖେଳରେ ଜିତିବାର କୌଶଳ ଜାଣିଯାଇଛନ୍ତି। ଆମେ ସଂଖ୍ୟାଧିକ ହୋଇ ମଧ୍ୟ ସଂଖ୍ୟା ଜୁଟାଇ ପାରୁନାହୁଁ। ସମସ୍ତେ ଏକାଠି ହେଲେ ଏହାର ଠିକଣା ଜବାବ ଦେଇହେବ ବୋଲି ସେ ପରାମର୍ଶ ଦେଇଥିଲେ।

ସଂଗଠନର ଅନ୍ୟତମ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ଦାସ କହିଲେ, ରାଜ୍ୟରେ ଶତକଡ଼ା ୭୦ ଭାଗ ହିଁ ଚାଷୀ। ଏତେ ସମସ୍ୟାରେ ଚାଷ ଓ ଚାଷୀ ଜୀବନ କାଟୁଥିଲେ ମଧ୍ୟ ଏକାଠି ହୋଇପାରୁନାହାନ୍ତି। ସ୍ୱର ଏକ ନ ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏମିତି ଚାଷୀମାନଙ୍କୁ ଠକି ଚାଲିବେ ।

ଏହି ମହାସମାବେଶରେ ଅଧ୍ୟକ୍ଷତା କରିଥିଲେ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର। ନିଜ ଭାଷଣରେ ସେ କହିଲେ ଯେ ଧାନ କୁଇଣ୍ଟାଲ ପ୍ରତି ଦର ୨୯୩୦ ଟଙ୍କା କରିବା ପାଇଁ ସଂକଳ୍ପ ବିଧାନସଭାରେ ପାରିତ ହୋଇଥିଲେ ମଧ୍ୟ ମୋଦି ସରକାର ଏହାକୁ ଆଜି ପର୍ଯ୍ୟନ୍ତ ଲାଗୁ କଲେନାହିଁ। ଏହାସହ ପେନସନ ପ୍ରସଙ୍ଗରେ ମଧ୍ୟ ଆଦୌ ଚିନ୍ତା କରୁନାହାନ୍ତି। ଏହା ବିରୋଧରେ ଏକଜୁଟ୍‌ ହୋଇଥିବା କୃଷକମାନଙ୍କୁ ଦୁର୍ବଳ କରିଦେବା ପାଇଁ କେନ୍ଦ୍ର ସରକାରଙ୍କର ଏହା ଏକ ଯୋଜନା। ଏଣୁ ଆଗାମୀ ବଜେଟ୍‌ରେ ଏହି ଦାବି ଗୁଡ଼ିକୁ ପାରିତ କରାନଗଲେ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ। କୃଷକମାନଙ୍କ ସ୍ୱରରେ ଦିଲ୍ଲୀ ଦୋହଲି ଉଠିବ ବୋଲି ଚେତାବନୀ ଦେଇଥିଲେ।

ସଂଗଠନ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କହିଲେ ଯେ, ସବୁ ରାଜନୈତିକ ଦଳ ସମାନ। କେହି ବି କୃଷକମାନଙ୍କ ଉନ୍ନତି ପାଇଁ ଚିନ୍ତା କରୁନାହାନ୍ତି। କୌଣସି କୃଷି ଜାତୀୟ ଦ୍ରବ୍ୟ ଦର ଆଦୌ ବୃଦ୍ଧି କରାଯାଉ ନାହିଁ। ଏଣୁ କୃଷକମାନେ ସେମାନଙ୍କ ମଧ୍ୟରେ ଆଦୌ ବିଭେଦ ନ ରଖି ଏକାଠି ହୋଇ ଲଢ଼େଇ କରିବା ଆବଶ୍ୟକ। କୃଷକମାନେ ହିଁ ଚାହିଁଲେ ସେମାନଙ୍କୁ ନ୍ୟାୟ ମିଳିପାରିବ। ଏହି ଅବସରରେ ଆନ୍ନା ହଜାରେ ‘ସମ୍ବାଦ’ ପରିବାର ପକ୍ଷରୁ ‘ନବନିର୍ମାଣ’ ନାମରେ ପ୍ରକାଶିତ ଏକ ସାପ୍ତାହିକ ପତ୍ରିକାକୁ ଉନ୍ମୋଚନ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଏହି ସମାବେଶରେ ଦିଲ୍ଲୀରୁ ଆସିଥିବା ହିମାଂଶୁ ତିଓ୍ଵାରୀ, କୃଷକ ନେତା ଉମାକାନ୍ତ ରାଉତ, ନିମାଇଁ ରାୟ, ରଶ୍ମିରଞ୍ଜନ ସ୍ୱାଇଁ, ବଂଶୀଧର ପଟ୍ଟନାୟକ, ପ୍ରସନ୍ନ କୁମାର କୁଅଁର, ନିତ୍ୟାନନ୍ଦ ପଣ୍ଡା, ତ୍ରିଲୋଚନ ପଣ୍ଡା, ଜୟନ୍ତ ଦାସ, ପ୍ରଫୁଲ୍ଲ ଦେବ, ଦୁର୍ଗାଚରଣ ସ୍ୱାଇଁ, ଶରତ ଚନ୍ଦ୍ର ମହାପାତ୍ର, ବିଷ୍ଣୁ ଚରଣ ଦାସ, ଅଶୋକ ସ୍ୱାଇଁ, ଅମୂଲ୍ୟ ମହାନ୍ତି, ଅଭୟ ସ୍ୱାଇଁ, ମଧୁମିତା ସାମଲ, ଅରୁଣ ଜେନା, ଦୁର୍ଗାଚରଣ ଦାସ, ତନ୍ମୟ କଅଁର, ନିମାଇଁ ସ୍ୱାଇଁ, ମନୋଜ ଭାଇ, ଅଶୋକ ଭାଇ, ମନ୍ମଥ ପାତ୍ର, ଦେବୀପ୍ରସାଦ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ।

ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୨୦ ହଜାରରୁ ଅଧିକ ଚାଷୀ ଆଜି ଜଗତସିଂହପୁରରେ ଏକାଠି ହୋଇଥିଲେ। ସେମାନେ ଏକ ବିରାଟ ପଟୁଆରେ ଅତିଥିମାନଙ୍କୁ ମଞ୍ଚ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ।

ସମ୍ବନ୍ଧିତ ଖବର