ସରକାରୀ ଅଖାରେ ନକଲି ବିହନ ବିକ୍ରି! : ଉଜୁଡ଼ିଲା ଧାନ ଚାଷ, ଚିନ୍ତାରେ ଚାଷୀ
ଚାରିଛକ : ସରକାର କୃଷି ଓ କୃଷକମାନଙ୍କର ଉନ୍ନତି ପାଇଁ ବିଭିନ୍ନ ଯୋଜନା କରୁଛନ୍ତି। ଏଥିପାଇଁ କୃଷକମାନଙ୍କୁ ବିହନ, ସାର, କୀଟନାଶକ ଔଷଧ, କୃଷି ଯନ୍ତ୍ରପାତି ଆଦି ରିହାତି ଦରରେ ଯୋଗାଇ ଦିଆଯାଉଛି। ମାତ୍ର ଚାରିଛକ ଅଞ୍ଚଳରେ କେତେକ ଅସାଧୁ ବ୍ୟବସାୟୀମାନେ କୃଷି ବିଭାଗରୁ ଲାଇସେନ୍ସ ହାତେଇ ଛତୁ ଫୁଟିଲା ଭଳି ବିହନ ବିକ୍ରୟ କେନ୍ଦ୍ର ମାନ ଖୋଲିଛନ୍ତି। ସେମାନେ ସରକାରୀ ଅଖା ବ୍ୟବହାର କରି ନକଲି ବିହନ ବିକ୍ରୟ କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀମାନେ ଏହାର ତଦାରଖ କରୁ ନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ଚାରିଛକ ଅଞ୍ଚଳରେ ଖୋଲାଯାଇଥିବା ସରକାରୀ ବିହନ ବିକ୍ରୟ କେନ୍ଦ୍ରରୁ ସ୍ଥାନୀୟ ତୁଲସୀପୁର, ବାହାରଣା, ତମ୍ପାଳୋ, ଛଣିଜଙ୍ଗ, କଳାପାଞ୍ଚଣ, ଭୋଦର ଓ ଭୋଗଶାଳଦା ପଞ୍ଚାୟତର ଅନେକ ଚାଷୀ ବିହନ ନେଇ ଏବେ ହଟହଟା ହେଉଥିବା ଦେଖିବାକୁ ମିଳିଛି। ଧାନରୁଆ ହେବାର ୨୦ ଦିନ ପରେ ଏବେ ଧାନ ଗଛରୁ ଥୋଡ଼ ବାହାରିଲାଣି। ଫଳରେ ଅମଳ ଆଶାନୁରୂପକ ହେବ ନାହିଁ ବୋଲି ଚାଷୀମାନେ କହିଛନ୍ତି। ଧାରକରଜ ଓ ଋଣ କରି ଚାଷ କାର୍ଯ୍ୟ ଆରମ୍ଭ କରିଥିବା ଚାଷୀମାନେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି।
ଅନ୍ୟପକ୍ଷରେ ବହୁ ଚାଷୀ ଏବେ ଧାନଗଛ ଉପାଡ଼ି ଦେଇ ପୁଣି ଧାନ ତଳି କିଣି ରୁଆ କାର୍ଯ୍ୟ ଆରମ୍ଭ କରିଥିବା ଦେଖିବାକୁ ମିଳିଛି। ଏ ନେଇ ଚାଷୀମାନେ ସଂପୃକ୍ତ ବିହନ ବିକ୍ରୟ କେନ୍ଦ୍ରରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେମାନଙ୍କ କଥା କେହି ଶୁଣୁ ନାହାନ୍ତି। ତେବେ ଏ ନେଇ ନିକଟସ୍ଥ ଛଣିଜଙ୍ଗ ପଞ୍ଚାୟତର ମନୋରଞ୍ଜନ ଜେନା ଚାରିଛକ ଫାଣ୍ତିରେ ଏକ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସଂପୃକ୍ତ ଚାଷୀମାନେ ଡିଲର୍ମାନଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେମାନେ ଚାଷଜମି ବୁଲି ଦେଖିବା ସହ କମ୍ପାନିକୁ ଅବଗତ କରିବେ ବୋଲି ସୂଚନା ଦେଇଛନ୍ତି। ଏ ସଂପର୍କରେ ବ୍ଲକ୍ ସରକାରୀ କୃଷି ଅଧିକାରୀ ସୁବାସ ଚନ୍ଦ୍ର ବାରିକଙ୍କୁ ପଚାରିବାରେ ସେ ଖୁବ୍ଶୀଘ୍ର ଚାଷ ଜମି ଦେଖିବାକୁ ଯିବେ ବୋଲି କହିଛନ୍ତି।