ଚାଷୀଙ୍କୁ ସରକାର ଭିକାରୀ କରିଦିଅନ୍ତୁ

ଭୁବନେଶ୍ୱର : ‘ମିଛ କହିବା ଏ ସରକାରଙ୍କର ଜନ୍ମଗତ ଅଭ୍ୟାସ। ସରକାରଙ୍କର ଇଚ୍ଛାଶକ୍ତି ନାହିଁ। ଏଠି ଗଣତନ୍ତ୍ର କୋମାରେ। ଚାଷୀମାନଙ୍କୁ ଭିକାରୀ କରିଦେଲେ ସେମାନେ ବୁଲି ବୁଲି ଭିକ ମାଗି ଚଳନ୍ତେ। ସରକାର ନିଜେ କୃଷକଙ୍କ ହତ୍ୟାକାରୀ। ଭାଗଚାଷୀଙ୍କ ବିଷୟରେ ସମବାୟ ମନ୍ତ୍ରୀଙ୍କ ଜ୍ଞାନ ଅତି ଦୁର୍ବଳ,…ଇତ୍ୟାଦି।’ ଆଜି ବିଧାନସଭାରେ କୃଷି ଏବଂ ସମବାୟ ବିଭାଗର ଖର୍ଚଦାବି ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଗୋଟିକ ପରେ ଗୋଟିଏ ପ୍ରସଙ୍ଗ ଉଠାଇ ସରକାରଙ୍କ ବିରୋଧରେ ଅଭିଯୋଗର ପାହାଡ଼ ଲଦି ଦେଇଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ଉଭୟ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଏବଂ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଶେଷ ମୁହୂର୍ତ୍ତରେ କିଛି ବିବୃତି ବଦଳାଇବାକୁ ବାଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା।

ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଥିଲେ, ୨୦୦୦-୦୧ ଏବଂ ୨୦୧୦-୧୧ କୃଷକ ଗଣନା ନେଇ ୨ଟି ଅଣତାରକା ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ ଭିନ୍ନ ଭିନ୍ନ ଉତ୍ତର ଦେଇଛନ୍ତି। ଗୋଟିଏ ଉତ୍ତରରେ ଚାଷୀଙ୍କ ସଂଖ୍ୟା ବଢ଼ିଥିବା ବେଳେ ଅନ୍ୟ ଉତ୍ତରରେ ଏହା କମିଛି। ଏହା ବାଦ୍‌ ଏକ ଏକରରୁ କମ୍‌ ପରିମାଣର ଜମି ଥିବା ଚାଷୀଙ୍କ ସଂପର୍କରେ କୌଣସି ତଥ୍ୟ ନାହିଁ। ରାଜ୍ୟରେ ଧାନ ଉତ୍ପାଦନ ବୃଦ୍ଧି ପାଇଥିବା ବିଶେଷ କରି ଶ୍ରୀପଦ୍ଧତିରେ ହେକ୍ଟର ପିଛା ୫୦ କ୍ୱିଣ୍ଟାଲ୍‌ ଧାନ ଅମଳ ହେବା ଡାହା ମିଛ ବୋଲି ଶ୍ରୀ ମିଶ୍ର ଅଭିଯୋଗ କରିଥିଲେ।

ଧାନର ଉତ୍ପାଦନ ଖର୍ଚ ତୁଳନାରେ ୧୦ ଏକର ଥିବା ଜଣେ ବଡ଼ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ଯେତିକି ପାଉଛନ୍ତିି, ସେଥିରୁ ତାଙ୍କର ଲକ୍ଷାଧିକ ଟଙ୍କାର କ୍ଷତି ହେଉଥିବା ସେ ଏକ ଉଦାହରଣ ଜରିଆରେ ଦର୍ଶାଇଥିଲେ। ଏମ୍‌ଏସ୍‌ପି ଦେଢ଼ଗୁଣ ବୃଦ୍ଧି ପାଇଁ ବିଧାନସଭାରେ ସର୍ବସମ୍ମତ ଭାବେ ଗୃହ କମିଟି ହେଲା। ଖୋଦ୍‌ ବାଚସ୍ପତି ଲେଖିବା ପରେ ବି ପ୍ରଧାନମନ୍ତ୍ରୀ ଏହି କମିଟିକୁ ଦେଖାଦେଲେନାହିଁ।  ମୁଖ୍ୟମନ୍ତ୍ରୀ ଚିଠିଟିଏ ଲେଖି ବସିଗଲେ। ଗୃହ କମିଟି ଥରୁଟେ ବି ବସିଲାନି। ଧାନର ଉଚିତ ମୂଲ୍ୟ ପାଇବାକୁ ଅପେକ୍ଷା କରିଥିବା ଚାଷୀ ହତାଶ ହେଲା। ଏହା ଅପେକ୍ଷା ବରଂ ଭଲ ହେବ, ସରକାର ଚାଷୀମାନଙ୍କୁ ଭିକାରୀ କରିଦିଅନ୍ତୁ, ସେମାନେ ବୁଲି ବୁଲି ଭିକ ମାଗି ଚଳିବେ ବୋଲି ସେ କ୍ଷୋଭ ସହକାରେ କହିଥିଲେ। ବରଗଡ଼ ଜିଲ୍ଲାର ଚାଷୀ ଆତ୍ମହତ୍ୟା ନେଇ ଗୃହ କମିଟି ରିପୋର୍ଟ କୁଆଡ଼େ ଗଲା ବୋଲି ସେ ପଚାରିଥିଲେ।

ବିରୋଧୀ ଦଳ ନେତା କହିଥିଲେ, ମହାନଦୀ ଜଳ ବିବାଦ ପ୍ରସଙ୍ଗକୁ ସରକାର ଅନୁରୂପ ଭାବେ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୋଟିଏ ଏବଂ ଅନ୍ୟଟି ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠିତ ହେଲା। ଥରେ ହେଲେ ବି ବୈଠକ ବସିଲାନି। କିନ୍ତୁ ଘରେ ବସି ଶତ୍ରୁ ବିରୁଦ୍ଧରେ ଲଢ଼େଇ କରୁଛନ୍ତି ସରକାର। ଫଳରେ ସରକାରଙ୍କୁ ଅତି ବେଶିରେ ନିର୍ବାଚନରେ କିଛି ସିଟ୍‌ ମିଳିଯାଇପାରେ। କିନ୍ତୁ ସେଥିରେ ମହାନଦୀକୁ ପାଣି ଆସିବ ତ? କଟକ, ପୁରୀରେ ସେ ଦେଖିଥିବା ଅନ୍ନପୂର୍ଣ୍ଣା ଥିଏଟରର ନାଟକ ଠାରୁ ସରକାରୀ ନାଟକବାଜି ବଳିଗଲା ବୋଲି ବ୍ୟଙ୍ଗୋକ୍ତି କରି ସେ କହିଥିଲେ।

ଆଲୋଚନାର ଉତ୍ତରରେ ସମବାୟ ମନ୍ତ୍ରୀ ଶ୍ରୀ ପାତ୍ର କହିଲେ ଯେ ୫ଜଣ ଭାଗଚାଷୀଙ୍କୁ ନେଇ ଜଏଣ୍ଟ ଲାଏବିଲିଟି ଗ୍ରୁପ ଗଠନ କରିହେବ। ସେମାନଙ୍କ ପାଖରେ ଜମି ନ ଥିଲେ ବି ଗୋଷ୍ଠୀକୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇଦେବାକୁ ପଦକ୍ଷେପ ନିଆଯାଇଛି। ଏ ନେଇ ଶ୍ରୀ ମିଶ୍ର କ୍ଷୁବ୍ଧ ହୋଇ ଭାଗଚାଷୀଙ୍କ ପାଇଁ ଆଇନ କାହିଁ ବୋଲି ପଚାରିଥିଲେ। ଜଣେ ଅନୁପ୍ରବେଶକରୀଙ୍କୁ ସରକାର କିପରି ଋଣ ଦେଇପାରିବେ? ସରକାର ବେଆଇନ କାରବାରକୁ ପ୍ରୋତ୍ସାହିତ କରୁଥିବା ମଧ୍ୟ ସେ ସତର୍କ କରାଇ ଦେଇଥିଲେ। ଏ ନେଇ ଉଭୟ ମନ୍ତ୍ରୀ ଏବଂ ବିରୋଧୀ ଦଳ ନେତାଙ୍କ ମଧ୍ୟ କିଛି ସମୟ ଧରି କଥା କଟାକଟି ଚାଲିଥିଲା। ମନ୍ତ୍ରୀ ଅଗତ୍ୟା କହିଥିଲେ, ଭାଗଚାଷୀଙ୍କୁ ଋଣ ନୁହେଁ, ସ୍ୱୟଂ ସହାୟକ ଗୋଷ୍ଠୀ ଭଳି ସରକାର ସେମାନଙ୍କୁ ଆର୍ଥିକ ସହାୟତା ଦେବେ। ତେବେ ଭାଗଚାଷୀଙ୍କ ପାଇଁ ଅନ୍ୟ ରାଜ୍ୟମାନଙ୍କରେ କି ଆଇନ ରହିଛି ସେ ନେଇ ତର୍ଜମା କରାଯାଉଥିବା କହି ନିଜର ପୂର୍ବ ବୟାନକୁ ଗିଳି ପକାଇଥିଲେ।

ମନ୍ତ୍ରୀ ଶ୍ରୀ ପାତ୍ର ସୁନ୍ଦର କଥା ହେଉଛନ୍ତି, କିନ୍ତୁ ପ୍ରଶ୍ନର ଉତ୍ତର ଦେଉନଥିବା ଶ୍ରୀ ମିଶ୍ର ସ୍ପଷ୍ଟୀକରଣ ଜରିଆରେ କହିଥିଲେ। ଫଳରେ କେନ୍ଦ୍ରାପଡ଼ା ଧାନ କିଣା ଦୁର୍ନୀତି ବିଷୟରେ ତଦନ୍ତ ଆଦେଶ ଦିଆଯାଇଥିବା ମନ୍ତ୍ରୀ ପ୍ରକାଶ କରିଥିଲେ। ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକ ସାହାସପୁର ଗ୍ରାମରେ କର୍ମଚାରୀଙ୍କ ତ୍ରୁଟି ଯୋଗୁଁ ଚାଷୀମାନେ ଫସଲ ବୀମା କ୍ଷତିପୂରଣ ପାଇବାରୁ ବଞ୍ଚିତ ହେବା ନେଇ ମନ୍ତ୍ରୀ କହିଲେ ଯେ ଏ ନେଇ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଆସନ୍ତା ଖରିଫ ଋତୁରୁ ପଶ୍ଚିମ ଓଡ଼ିଶାରେ ଚାଷୀଙ୍କଠାରୁ ହେକ୍ଟର ପିଛା ୨୪ କ୍ୱିଣ୍ଟାଲ୍‌ ଏବଂ ଅବଶିଷ୍ଟ ଜିଲ୍ଲାଗୁଡ଼ିକରୁ ୨୨ କ୍ୱିଣ୍ଟାଲ୍‌ ଧାନ ସଂଗ୍ରହ କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ।

ବିରୋଧୀ ଦଳ ନେତାଙ୍କ ପ୍ରଶ୍ନବାଣରେ ଜର୍ଜରିତ ହୋଇ କୃଷି ମନ୍ତ୍ରୀ ଶ୍ରୀ ମହାରଥୀ କହିଲେ, ସେ ଆଜି ଅତ୍ୟନ୍ତ କ୍ରୋଧାନ୍ଵିତ ହୋଇପଡ଼ିଛନ୍ତି। ତାଙ୍କର ଉତ୍ତର ସେ ତାଙ୍କ ଘରେ ଦେବେ। ମୃତ୍ତିକା ପରୀକ୍ଷା ପାଇଁ ସରକାର ନୂଆ ଯୋଜନା ନିଜସ୍ୱ ସମ୍ବଳରୁ କରିଛନ୍ତି। ଏଥିପାଇଁ ଏକ କୋଟି ଟଙ୍କାର ବରାଦ କରାଯାଇଛି। ୬୦ ବର୍ଷରୁ ଅଧିକ ବୟସ ଚାଷୀଙ୍କୁ ପେନ୍‌ସନ  ବାବଦରେ ମଧୁବାବୁ ପେନ୍‌ସନ ଦିଆଯାଉଥିବା କହି ବିରୋଧୀଙ୍କ ପ୍ରାଇସ୍‌, ପ୍ରେଷ୍ଟିଜ୍‌, ପେନସନ୍‌ ପ୍ରସ୍ତାବକୁ ଏଡ଼ାଇ ଯାଇଥିଲେ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ୪୭୧୮ କୋଟି ୧୨ ଲକ୍ଷ ୪୨ ହଜାର ଟଙ୍କା ଏବଂ ସମବାୟ ବିଭାଗର ୧୧୬୫ କୋଟି ୪୬ ଲକ୍ଷ ୮୫ ହଜାର ଟଙ୍କାର ଖର୍ଚଦାବି ପାରିତ ହୋଇଥିଲା।

କଂଗ୍ରେସ ସଭ୍ୟ ନବକିଶୋର ଦାସ ଆଲୋଚନା ଆରମ୍ଭ କରିଥିଲେ। ବିରୋଧୀଙ୍କ ପକ୍ଷରୁ ବିଜେପି ବିଧାୟକ ଡା. ବିଭୂତି ଭୂଷଣ ହରିଚନ୍ଦନ, ବସନ୍ତ ପଣ୍ଡା, କଂଗ୍ରେସ ବିଧାୟକ ଡା. ପ୍ରଫୁଲ୍ଲ ମାଝୀ, ଅଂଶୁମାନ ମହାନ୍ତି ପ୍ରମୁଖ ଏବଂ ଶାସକ ଦଳର ସଞ୍ଜୀବ ସାହୁ, ଉମାକାନ୍ତ ସାମନ୍ତରାୟ, ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ରବିନାରାୟଣ ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର