କେନ୍ଦ୍ରାପଡ଼ାରେ ଚାଷୀ ମହାସମାବେଶ : ଭୂମିହୀନଙ୍କୁ ଦିଆଗଲା ‘କାଳିଆ’ ସହାୟତା
ବର୍ଷକୁ ମିଳିବ ସାଢେ ବାର ହଜାର, ଉପକୃତ ହେବେ ୧୦ ଲକ୍ଷ ଚାଷୀ
କେନ୍ଦ୍ରାପଡା : କାଳିଆ ଯୋଜନା ଆଜି ସାରା ଦେଶକୁ ବାଟ ଦେଖାଇଛି। ଏଥିରେ ଛୋଟ ଚାଷୀ, ଭୂମିହୀନ ଚାଷୀ, ଭାଗ ଚାଷୀ ସମସ୍ତଙ୍କ ପାଇଁ ବ୍ୟବସ୍ଥା ରହିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡ଼ାର ବାରୁଅ ନିକଟ ସିଦ୍ଧବଟ ପଡ଼ିଆରେ ଆୟୋଜିତ ଏକ ବିଶାଳ ଚାଷୀ ସମାବେଶରେ ଉଦ୍ବୋଧନ ଦେଇ ଏଭଳି ସୂଚନା ଦେବା ସହ ବିଜୁ ବାବୁଙ୍କ ସ୍ମୃତିଚାରଣ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, କେନ୍ଦ୍ରାପଡା ଥିଲା ବିଜୁ ବାବୁଙ୍କ କର୍ମଭୂମି। ଏହି ମାଟି ପ୍ରତି ତାଙ୍କର ସମ୍ମାନ ଓ ଭାବଗତ ସମ୍ପର୍କ ରହିଛି। ତେଣୁ ଆଜି ଏଠାରେ ଭୂମିହୀନ ଚାଷୀମାନଙ୍କ ପାଇଁ କାଳିଆ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଚାଷୀମାନଙ୍କ ଅର୍ଥନୀତିକୁ ସୁଦୃଢ କରିବାକୁ ଆରମ୍ଭ ହୋଇଥିବା କାଳିଆ ଯୋଜନାରେ ଆଜି ଭୂମିହୀନ ଚାଷୀମାନଙ୍କୁ ସହାୟତା ମିଳିଛି। ପ୍ରଥମ ପର୍ଯ୍ୟାୟରେ ୩.୫୦ ଲକ୍ଷ ଭୂମିହୀନ ଚାଷୀ ସହାୟତା ପାଇଛନ୍ତି। ଏହି ଯୋଜନାରେ ସମୁଦାୟ ୧୦ ଲକ୍ଷ ଭୂମିହୀନ ଚାଷୀ ସହାୟତା ପାଇବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ପ୍ରତ୍ୟେକ ଭୂମିହୀନ ଚାଷୀ ବର୍ଷକୁ ୧୨ ହଜାର ୫ଶହ ଟଙ୍କା ଲେଖାଏଁ ସହାୟତା ପାଇବେ। ପ୍ରଥମ ପର୍ଯ୍ୟାୟରେ ଆଜି ସେମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯାଇଛି।
ଏଠାରେ ଉଲ୍ଲେଖଯୋଗ୍ୟ କାଳିଆ ଯୋଜନାରେ ପୂର୍ବରୁ ୧୨.୪୫ ଲକ୍ଷ ଚାଷୀମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ସିଧାସଳଖ ୫ ହଜାର ଟଙ୍କା ଲେଖାଏଁ ଜମା କରାଯାଇଛି।
ରାଜ୍ୟ ଚଳଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କୃଷକ ସମ୍ପର୍କ ଅଭିଯାନ କାଳିଆ ଯୋଜନାର ଚାଷୀ ମହାସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତୀକାତ୍ମକ ଭାବେ କାଳିଆ ସହାୟତା ପତ୍ର ୧୭ଜଣ କୃଷକଙ୍କୁ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ବାସ୍ଥ୍ୟ ପରିବାର କଲ୍ୟାଣ, ଆଇନ ଓ ସୂଚନା ଏବଂ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା, ପାଟକୁରା ବିଧାୟକ ବେଦପ୍ରକାଶ ଅଗ୍ରୱାଲା, ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ, କେନ୍ଦ୍ରାପଡା ବିଧାୟକ କିଶୋର ଚନ୍ଦ୍ର ତରାଇ, ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ, ଏରସମା–ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି, ବିଂଝାରପୁର ବିଧାୟିକା ତଥା କେନ୍ଦ୍ରାପଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ, ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ, ପୂର୍ବତନ ବିଧାୟିକା ତଥା ରାଜ୍ୟ ଖାଦ୍ୟ କମିସନର ସଦସ୍ୟା ଡ.ସିପ୍ରା ମଲ୍ଲିକ, ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ବିଷ୍ଣୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ।