କୃଷି ଜାତ ପଦାର୍ଥର ମୂଲ୍ୟ ସଂଯୁକ୍ତି ନହେଲେ ଚାଷୀଙ୍କ ଆୟ ବଢିବ ନାହିଁ

ଭୁବନେଶ୍ୱର: ଓଡ଼ିଶାରେ କୃଷକମାନେ ଧାନ ଚାଷ ଉପରେ ସର୍ବାଧିକ ଗୁରୁତ୍ୱ ଦେଉଥିବାରୁ ଅନ୍ୟ ଚାଷଗୁଡ଼ିକ ଉପରେ ଯଥେଷ୍ଟ ଧ୍ୟାନ ଦିଆଯାଇପାରୁନାହିଁ । ଫଳରେ ବିଭିନ୍ନ କୃଷିଜାତ ସାମଗ୍ରୀ ପାଇଁ ଆମେ ଅନ୍ୟରାଜ୍ୟଗୁଡ଼ିକ ଉପରେ ନିର୍ଭର କରୁଛୁ ଓ ଆମ ରାଜ୍ୟର ଚାଷୀମାନେ କୃଷିରୁ ଯଥେଷ୍ଟ ଲାଭ ପାଇପାରୁନାହାନ୍ତି । ପୁଣି ଯେଉଁମାନେ ବିଭିନ୍ନ ପ୍ରକାରର ଚାଷ କରୁଛନ୍ତି, ଫସଲ ଅମଳ ପରେ ତାହାର କିପରି ଉପଯୋଗ କରାଯାଇପାରିବ, କିପରି ମୂଲ୍ୟ ସଂଯୁକ୍ତି କରାଯିବ ସେ ସମ୍ପର୍କରେ ଅନେକ ଚାଷୀ ଜାଣିନାହାନ୍ତି । ଏଣୁ କୃଷି ଜାତ ପଦାର୍ଥର ମୂଲ୍ୟ ସଂଯୁକ୍ତି ନହେଲେ ଚାଷୀମାନଙ୍କ ଆୟ ବଢିବ ନାହିଁ ବୋଲି କହିଛନ୍ତି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ସଚିବ ସୌରଭ ଗର୍ଗ । ଏଠାରେ ଅନୁଷ୍ଠିତ କୃଷି ଓ ଜଳବାୟୁ ପରିବର୍ତ୍ତନ ସଂପର୍କିତ ଏକ କର୍ମଶାଳାରେ ଯୋଗ ଦେଇ ସେ ଏକଥା କହିଛନ୍ତି । ଆପିକଲ ଏମଡି ଡ.ସୁଭ୍ରେନ୍ଦୁ ଶେଖର ଦେ କହିଥିଲେ ଯେ ରାଜ୍ୟରେ ଉତ୍ପାଦିତ ମୋଟ କୃଷି ଉତ୍ପାଦର ମାତ୍ର ୧ ପ୍ରତିଶତ ପ୍ରକ୍ରିୟାକରଣ ହୋଇପାରୁଛି । କୃଷକଙ୍କ ଆୟକୁ ୨ ଗୁଣ କରିବାକୁ ହେଲେ ଆମକୁ ପ୍ରକ୍ରିୟାକରଣକୁ ବଢାଇବାକୁ ପଡିବ । ଆସନ୍ତା ୩-୪ ବର୍ଷରେ ଏହାକୁ ୧୦ ପ୍ରତିଶତକୁ ବଢାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଥିଲେ ।

ଓଡ଼ିଶାର କୃଷି କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନର ପ୍ରଭାବର ଅଧ୍ୟୟନ, ତାହାର ମୁକାବିଲା କୌଶଳ ଓ କୃଷିକୁ କିପରି ଜଳବାୟୁ ପରିବର୍ତ୍ତନ ସହନକ୍ଷମ କରିହେବ ସେ ସଂପର୍କରେ ଏହି କର୍ମଶାଳାର ଆୟୋଜନ କରାଯାଇଥିଲା । ବିଶେଷକରି ଡାଲି ଓ ଆମ୍ବ ଫସଲ ପାଇଁ କିପରି ଜଳବାୟୁ ସହନକ୍ଷମ ମୂଲ୍ୟଶୃଙ୍ଖଳା ତିଆରି କରିହେବ ତାହା ଉପରେ ଏଥିରେ ଆଲୋଚନା ହୋଇଥିଲା । ଏହାକୁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା ସିସିଆଇପି, ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ଭାରତ ସରକାର ଙ୍କ ସହଯୋଗିତାରେ ଆୟୋଜନ କରାଯାଇଥିଲା । ଏହି ଅବସରରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ଡଃ ଏମ. ମୁଥୁକୁମାର ଅମଳ ପର କ୍ଷତି କମାଇ କୃଷକଙ୍କ ଆୟ ବଢାଇବା ଦିଗରେ ଓଡ଼ିଶା ସରକାର ନେଉଥିବା ପଦକ୍ଷେପ ସଂପର୍କରେ କହିଥିଲେ । ସିଟ୍ରାନର ଏମଡି ଅଶୋକ ସିଂ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନ ସହନକ୍ଷମ ନୀତି, କାର୍ଯ୍ୟପ୍ରଣାଳୀର ପ୍ରସ୍ତୁତି ଓ ତାକୁ କାର୍ଯ୍ୟରେ ଲଗାଇବା ପାଇଁ ଏହି ଜଳବାୟୁ ପରିବର୍ତ୍ତନ ଉଦ୍ଭାବନ କାର୍ଯ୍ୟକ୍ରମ (ସିସିଆଇପି)ଓଡ଼ିଶା ସରକାରଙ୍କ କୃଷି ବିଭାଗକୁ ସାହାଯ୍ୟ କରୁଛି । ବିଶେଷକରି ଆମ୍ବ ଓ ହରଡ଼ ଚାଷ କ୍ଷେତ୍ରରେ ଜଳବାୟୁ ପରିବର୍ତ୍ତନ ସହନକ୍ଷମ ପଦ୍ଧତିର କିପରି ବିକାଶ କରାଯାଇପାରିବ ଓ ତାକୁ କାର୍ଯ୍ୟରେ ଲଗାଯାଇପାରିବ ସେ ଦିଗରେ ଏହା ସହାୟକ ହୋଇପାରିବ ।

ସମ୍ବନ୍ଧିତ ଖବର