ବୀମା କମ୍ପାନିଙ୍କର ଏତେ ବେଖାତିର୍‌ : ଜୁଲାଇ ସୁଦ୍ଧା ଫସଲ ବୀମା ଅର୍ଥ ମିଳିବା କଥା, ସେପ୍ଟେମ୍ବର ହେଲାଣି, ତଥାପି ୧୪ଟି ଜିଲ୍ଲା ନିରାଶ

ମନ୍ତ୍ରୀ, ଅଫିସରଙ୍କ କଥାର ପ୍ରଭାବ ନାହିଁ

ଭୁବନେଶ୍ୱର : ଚଳିତ ବର୍ଷ ଖରିଫ୍‌ ଚାଷ ଅଧା ହେଲାଣି। ଖରିଫ ଋତୁ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଇତିମଧ୍ୟରେ ଶେଷ ହୋଇଛି। ଏଥର ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ୨୦ ଲକ୍ଷ ଟପିଛି। ହେଲେ ଗତ ଖରିଫ ଋତୁରେ ପଞ୍ଜୀକୃତ ଚାଷୀମାନଙ୍କୁ କିନ୍ତୁ ଆଜି ସୁଦ୍ଧା ବୀମା କମ୍ପାନିମାନେ ସଂପୂର୍ଣ୍ଣ ଫସଲ ବୀମା କ୍ଷତିପୂରଣ ରାଶି ଦେଇପାରିଲେ ନାହିଁ। ପ୍ରମୁଖ ଧାନ ଉତ୍ପାଦନକାରୀ ଜିଲ୍ଲାଗୁଡ଼ିକରେ ଏହି ରାଶି ମିଳିନଥିବାରୁ ଚାଷୀମାନଙ୍କ ମଧ୍ୟରେ ଭୀଷଣ ଅସନ୍ତୋଷ ଲାଗି ରହିଛି।

ପଶ୍ଚିମ ଓଡ଼ିଶାରେ ଏହାକୁ ନେଇ ଆନ୍ଦୋଳନ ଦେଖାଦେଇଥିବା ବେଳେ ବଲାଙ୍ଗୀରରେ ସମବାୟ ମନ୍ତ୍ରୀ ଲୋକଙ୍କ ରୋଷର ଶିକାର ହୋଇଥିଲେ। ଗତ ସପ୍ତାହରେ ବଲାଙ୍ଗୀର ଗସ୍ତ ବେଳେ ଲୋଇସିଂହାରେ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ବାଟ ଓଗାଳିଥିଲେ ଚାଷୀ। ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ, କଳାପତାକା ପ୍ରଦର୍ଶନ କରିଥିଲେ, ସ୍ଲୋଗାନ ବାଜି କରିଥିଲେ। ମନ୍ତ୍ରୀଙ୍କୁ ହଟହଟା ହେବାକୁ ପଡିଥିଲା।

ପୂର୍ବରୁ ଠିକଣା ସମୟରେ ବୀମା ରାଶି ପ୍ରଦାନ ନେଇ କୃଷିି ଉତ୍ପାଦନ କମିସନର, ମୁଖ୍ୟଶାସନ ସଚିବ ସମୀକ୍ଷା କରି ତାଗିଦ୍‌ କରିଥିଲେ। ମନ୍ତ୍ରୀ ସୁଶାନ୍ତ ସିଂହ ବି ବରଗ଼ଡ ସ୍ଥିତି ବୁଝିବାକୁ ଯାଇ ବୈଠକ ଡାକି ତମ୍ବିତୋଫାନ କରିଥିଲେ। ଖୋଦ୍‌ ସମବାୟ ମନ୍ତ୍ରୀ ଅଡୁଆରେ ପଡିଲେ।

ଏହାସତ୍ତ୍ୱେ ରାଜ୍ୟ ସରକାର ବୀମା କଂପାନି ଉପରେ ଚାପ ସୃଷ୍ଟି କରିପାରି ନାହାନ୍ତି କି ବୀମା କଂପାନି ସରକାରଙ୍କୁ ଖାତିର୍‌ କରୁନାହାନ୍ତି। ରାଜ୍ୟର ହଜାର ହଜାର ଚାଷୀ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଖରିଫ ଋତୁ ନିମନ୍ତେ ମୋଟ ୧୬୩୭ କୋଟି ୪୫ ଲକ୍ଷ ୩୦ ହଜାର ଟଙ୍କାର ବୀମା ରାଶି ଚୂଡ଼ାନ୍ତ ଆକଳନ ହୋଇଥିଲା। ଏପ୍ରିଲରୁ ଜୁଲାଇ ମଧ୍ୟରେ ଚାଷୀଙ୍କୁ ବୀମା କଂପାନି ଏହି ଅର୍ଥ ପ୍ରଦାନ କରିବା କଥା। ହେଲେ ଅଗଷ୍ଟ ଯାଇ ସେପେଟ୍‌ମ୍ବର ଛୁଇଁଲାଣି। ଗତ ୩ ତାରିଖ ସୁଦ୍ଧା କଂପାନିମାନେ ମୋଟ ୧୫୯୩ କୋଟି ୯୨ ଲକ୍ଷ ୪୦ ହଜାର ଟଙ୍କାର ବୀମା ରାଶି ପ୍ରଦାନ କରିଛନ୍ତି। ଏବେ ବି ବାକି ରହିଛି ଆହୁରି ୪୩ କୋଟି ୫୨ ଲକ୍ଷ ୭୪ ହଜାର ଟଙ୍କା। ଟାଟା ଏଆଇଜି ବୀମା କମ୍ପାନି ୭.୬୬ କୋଟି ପ୍ରଦାନ ବାକି ରଖିଛି। ଏଆଇସି ବୀମା କମ୍ପାନି ଦେବ ୨.୫୧ କୋଟି। ସେହିପରି ଚୋଳ ଏମ୍‌ଏସ୍‌ ଦେଇଛି ୨୯୧ କୋଟି ୩ ଲକ୍ଷ ଟଙ୍କା। ଏହି କମ୍ପାନି ମୋଟ ୩୦୮.୮୦ କୋଟିର ବୀମା ପ୍ରଦାନ କରିବ। ନ୍ୟାସନାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନି ବାକି ରଖିଛି ୧୦ କୋଟି ୬୨ ଲକ୍ଷ ୯୨ ହଜାର ଟଙ୍କା।

ଉଲ୍ଲେଖନୀୟ କଥା ହେଲା, ପ୍ରମୁଖ ଧାନ ଉତ୍ପାଦନକାରୀ ବରଗଡ଼, ସମ୍ବଲପୁର, ବଲାଙ୍ଗୀର ଆଦି ଜିଲ୍ଲା ସମେତ ୧୪ଟି ଜିଲ୍ଲାର ସବୁ ଚାଷୀ ବୀମା କ୍ଷତିପୂରଣ ପାଇନାହାନ୍ତି। ବିଭାଗୀୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତିି ଯେ ସେପ୍‌ଟେମ୍ବର ହେଲାଣି, ତଥାପି ୪୩ କୋଟିର ବୀମା ରାଶି ପ୍ରଦାନ ବାକି ରହିଛି। ଅନେକ ଅଣଋଣୀ ଚାଷୀ ବୀମା ରାଶି ପାଇନାହାନ୍ତି।

ଏତେଦିନ ଧରି ବୀମା କମ୍ପାନିମାନଙ୍କ ପାଖରେ ବୀମା ଅର୍ଥ କାହିଁକି ପଡ଼ିରହିଲା ଏବଂ ଏଥିପାଇଁ କିଏ ଦାୟୀ ସେ ନେଇ ଉଚ୍ଚସ୍ତରୀୟ ସମୀକ୍ଷାର ଆବଶ୍ୟକତା ରହିଛି। କାହା ବଳରେ ବୀମା କଂପାନି ସରକାରଙ୍କୁ ବେଖାତିର୍‌ କରିଛନ୍ତି, ତାହାର ବି ଅନୁଧ୍ୟାନ ଆବଶ୍ୟକ।

ସୂଚନାଯୋଗ୍ୟ, ୨୦୧୭-୧୮ ଖରିଫ ଫସଲ ନିମନ୍ତେ ପ୍ରାୟ ୧.୨୦ ଲକ୍ଷ ଅଣଋଣୀଙ୍କ ସମେତ ପ୍ରାୟ ୧୭.୪୨ ଲକ୍ଷ ଚାଷୀଙ୍କୁ ବୀମାଭୁକ୍ତ କରାଯାଇଥିଲା। ସେମାନେ ବୀମା ପ୍ରିମିୟମ୍‌ ବାବଦରେ ୧୪୪.୨୪ କୋଟି ଜମା କରିଥିଲେ। ଚାଷୀଙ୍କ ପ୍ରିମିୟମ ସହିତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମାନ ଅଂଶଧନ(୫୦:୫୦ ଅନୁପାତ) ମିଶାଇ ମୋଟ ୮୩୯.୬୮ କୋଟି ଜମା ହୋଇଥିଲା। ୨୦୧୮-୧୯ ଖରିଫ ଋତୁ ନିମନ୍ତେ ୧୭.୩୨ ଲକ୍ଷ ଋଣୀ ଓ ୨.୭୧ ଲକ୍ଷ ଅଣଋଣୀ ଚାଷୀଙ୍କୁ ମିଶାଇ ମୋଟ ପ୍ରାୟ ୨୦.୦୩ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଛନ୍ତିି।

ସମ୍ବନ୍ଧିତ ଖବର