ଜୁନାଗଡ଼ରେ ଚାଷୀଙ୍କ ଗର୍ଜନ ସମାବେଶ

ଜୁନାଗଡ : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲ ପରାମତି ପାଇଁ ୩୫୬ କୋଟି କୋଟି ଟଙ୍କା ମଞ୍ଜୁର ହୋଇ ୩ ବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ କାମ ଆରମ୍ଭ କରାଯାଇ ପାରିନାହିଁ। ଦେଦର, ଦୁନ୍ଦେଲମାଲ, ଆଟିଗାଁ, ତଲମଲା, ବାଙ୍କପଲାସ ଓ ଗୋଲାମୁଣ୍ଡା ବ୍ଲକର ବହୁ ପଞ୍ଚାୟତ ଅଣ ଜଳସେଚିତ ଯୋଗୁଁ ପ୍ରତିବର୍ଷ ମରୁଡିର ସମ୍ମୁଖୀନ ହେଉଛନ୍ତି। ଗତ ବନ୍ୟାରେ ଚାଷଜମିରେ ବାଲି ଓ ମାଟି ପୋତି ହୋଇ କ୍ଷୟକ୍ଷତିର ଭରଣ ଏ ପର୍ଯ୍ୟନ୍ତ ମିଳିପାରି ନାହିଁ। ଇନ୍ଦ୍ରାବତୀର ପାଣିକୁ କଳାହାଣ୍ଡି ଜିଲ୍ଲାର ଚାଷୀଙ୍କୁ ନଦେଇ ସରକାର କମ୍ପାନିକୁ ଯୋଗାଣ କରୁଛନ୍ତି। ଏନେଇ କଳାହାଣ୍ଡି ଜିଲ୍ଲାର ସାସଂଦ ଓ ବିଧାୟକମାନେ ମଧ୍ୟ ଚୁପ ରହୁଛନ୍ତି। ଏହାର ଜବାବ ଆସନ୍ତା ୨୦୧୯ ନିର୍ବାଚନରେ ଦିଆଯିବ। ‘‘ଇନ୍ଦ୍ରାବତୀ ଆମରଟା, ନେଇଁସେ କା’ର ବୁଆର୍‌ଟା’’ ବୋଲି ଚାଷୀମାନେ ବିଷୋଦଗାର କରିଥିଲେ।

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଠାରେ କୃଷିଜୀବୀ କଲ୍ୟାଣ ସଂଘର ଚାଷୀ ଗର୍ଜନ ସମାବେଶ ଅନୁଷ୍ଠିତ ହୋଇଥିଲା। ମା’ ଲଙ୍କେଶ୍ବରୀ ମନ୍ଦିର ଠାରୁ ଦୁଇ ହଜାରରୁ ଅଧିକ ଚାଷୀ ଶୋଭାଯାତ୍ରାରେ ନଗର ପରିକ୍ରମା କରି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। କୃଷିଜୀବୀ କଲ୍ୟାଣ ସଂଘ ସଭାପତି ଲକ୍ଷ୍ମଣ ରଣବୀରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାବେଶରେ ପଶ୍ଚିମ ଓଡିଶା କୃଷକ ସଂଘର୍ଷ ସମନ୍ବୟ ସମିତି ଆବାହକ ଲିଙ୍ଗରାଜ, କୃଷିଜୀବୀ କଲ୍ୟାଣ ସଂଘ ଆବାହକ ବିଶ୍ବନାଥ କର, ନିୟମଗିରି ସୁରକ୍ଷା ସମିତିର ଆବାହକ ଲିଙ୍ଗରାଜ ଆଜାଦ, କଳାହାଣ୍ଡି ସଂଘର୍ଷ ସମିତିର ଆବାହକ ନିରଞ୍ଜନ ବିଦ୍ରୋହୀ, ସଚେତନ ନାଗରିକ ମଞ୍ଚର ସତ୍ୟ ମାହାର, ଦାମୋଦର ବେହେରା, ପୂର୍ବ ଜିଲ୍ଲା ପରିଷଦ ସଦସ୍ୟ ଖଗେଶ୍ବର ଧଙ୍ଗଡାମାଝୀ, ରମେଶଚନ୍ଦ୍ର ନାୟକ, ଯୁଗଳ ବାଗ, ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ତୁଲେଶ୍ବର ନାଏକ, ଏସ୍. ସାହୁ, କୃଷ୍ଣଚନ୍ଦ୍ର ପାଢୀ, ପଙ୍କଜ ରାଉତ, ବିପିନ ପ୍ରଧାନୀ, ଲକ୍ଷ୍ମଣ ଭୋଇ, ସୁଶାନ୍ତ ଜାଲ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର