ତେଜିଲା ଚାଷୀ ଆନ୍ଦୋଳନ : ଧାନ ଗାଡ଼ି ରଖି ଜିଲ୍ଲାପାଳ କାର୍ଯ୍ୟାଳୟ ଅବରୋଧ, ଆଜି ତିନି ବିଧାୟକଙ୍କ ଘରେ ପୂରାଇବେ ଧାନ ଗାଡ଼ି

ସମ୍ବଲପୁର : ଅନଲାଇନ୍ ଟୋକନ ବ୍ୟବସ୍ଥାରେ ଚାଷୀର ଧାନ ବିକ୍ରି ସମ୍ଭବ ନୁହେଁ। ଏହି ଦାୟିତ୍ବ ନିଜେ ଜିଲ୍ଲାପାଳ ବହନ କରନ୍ତୁ। ଏଭଳି ଆହ୍ବାନ ଦେଇ ସମ୍ବଲପୁର ଜିଲ୍ଲାପାଳ କାର୍ଯ୍ୟାଳୟର ୪ଟି ଯାକ ଗେଟ୍‌ ସମ୍ମୁଖରେ ଧାନ ବୋଝେଇ ଗାଡ଼ି ରଖିଦେଲେ ସମ୍ବଲପୁର ଉପଖଣ୍ଡର ଶହ ଶହ ଚାଷୀ। ଫଳରେ ଦିନ ଗୋଟାଏରୁ ସଂଧ୍ୟା ୬ଟା ଯାଏ ୫ ଘଣ୍ଟା ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଂପୂର୍ଣ୍ଣ ଅବରୋଧ ହୋଇ ରହିଲା।

ମଙ୍ଗଳବାର ସୁଦ୍ଧା ଧାନ ବିକ୍ରି ବ୍ୟବସ୍ଥିତ କରାନଗଲେ ସମ୍ବଲପୁର ଜିଲ୍ଲାର ୩ ବିଧାୟକ ବିଜେପିର ଜୟ ନାରାୟଣ ମିଶ୍ର ଓ ନାଉରୀ ନାୟକ ତଥା ଶାସକ ଦଳର ଉପମୁଖ୍ୟ ସଚେତକ ରୋହିତ ପୂଜାରୀଙ୍କ ସମ୍ବଲପୁର ସହରସ୍ଥିତ ବାସ ଭବନରେ ଧାନ ଭର୍ତ୍ତି କରି ବିରୋଧ କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ। କୁଚିଣ୍ଡା ଉପଖଣ୍ଡରେ ଧାନ ମଣ୍ଡି ଖୋଲି ନ ଥିବାରୁ କୁଚିଣ୍ଡା ବିଧାୟକ କିଶୋର ନାଏକଙ୍କ ଘର ସମ୍ମୁଖରେ କେବଳ ଧାରଣା ଦିଆଯିବ। ଏହାପରେ ବି ସରକାର ନ ଶୁଣିଲେ ବୁଧବାର ଜାତୀୟ ରାଜପଥ ଅବରୋଧ କରିବ ବୋଲି କହିଛି ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନ।

ସମ୍ବଲପୁର ଜିଲ୍ଲାର ୬ ହଜାରରୁ ଊର୍ଦ୍ଧ୍ବ ଚାଷୀଙ୍କ ଧାନ ବିକ୍ରି ପାଇଁ ଭୁବନେଶ୍ବରରୁ ଜାରି ହୋଇଛି ଟୋକନ। ଛୋଟ, ବଡ଼ ଓ ଭାଗ ଚାଷୀ ସମସ୍ତେ ଏକ ସ୍ବରରେ ଏହାର ବିରୋଧ କରିଛନ୍ତି। ସମ୍ବଲପୁରରେ ଜଣେ ଚାଷୀ କେତେ ଧାନ ବିକିବ ଭୁବନେଶ୍ବରରେ ଏସି ରୁମ୍‌ରେ ବସିଥିବା ଅଧିକାରୀ କିଭଳି ଏହାର ନିଷ୍ପତ୍ତି ନେବେ। ଏହି ପ୍ରଶ୍ନ ପଚାରିବା ସହିତ ଭୁବନେଶ୍ବରରୁ ଟୋକନ ଜାରି ବ୍ୟବସ୍ଥାକୁ ପ୍ରତ୍ୟାହାର ପାଇଁ ଜୋରଦାର ଦାବି କରିଥିଲେ ଚାଷୀ। ସ୍ଥିତି ଏଭଳି ଥିଲା ଯେ ସୋମବାର ଯୋଗାଣ ବିଭାଗ ଏବଂ କ୍ରୟକାରୀ ସଂସ୍ଥାର ପ୍ରତିନିଧିମାନେ ଉପଖଣ୍ଡର ୨୭ ମଣ୍ଡି ଓ କ୍ରୟ କେନ୍ଦ୍ରରେ ପହଞ୍ଚିଥିଲେ ମଧ୍ୟ ବସ୍ତାଏ ବି ଧାନ ବିକ୍ରି ହୋଇପାରି ନ ଥିଲା। ଚତୁର୍ଥ ଦିନରେ ବି ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।

ତେଣୁ ପୂର୍ବ ଘୋଷଣା ଅନୁଯାୟୀ, ଟୋକନ ବ୍ୟବସ୍ଥା ବିରୋଧରେ ଜିଲ୍ଲାପାଳ କାର୍ଯ୍ୟାଳୟ ନିକଟସ୍ଥ ଅନଶନ ସ୍ଥଳରେ ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନର କର୍ମକର୍ତ୍ତାମାନେ ବୈଠକ କରିଥିଲେ। ସର୍ବସମ୍ମତିକ୍ରମରେ ଜିଲ୍ଲାପାଳ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଧାନ ରଖିବା ପାଇଁ ନିଷ୍ପତ୍ତି ହୋଇଥିଲା। ଚାହୁଁ ଚାହୁଁ କିଛି ସମୟ ମଧ୍ୟରେ ସମ୍ବଲପୁର ଉପଖଣ୍ଡ ବିଭିନ୍ନ ମଣ୍ଡିରୁ ଶତାଧିକ ଚାଷୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜମା ହୋଇ ଯାଇଥିଲେ। ପ୍ରତ୍ୟେକ ଚାଷୀ ନିଜ ଧାନ ଜିଲ୍ଲାପାଳ କାର୍ଯ୍ୟାଳୟରେ ପକାଇ ଦେବା ପାଇଁ ଚାହୁଁଥିଲେ। ମାତ୍ର ସଙ୍ଗଠନର ନିଷ୍ପତ୍ତି ଅନୁସାରେ, ପ୍ରତୀକାତ୍ମକ ଭାବେ ୪ଟି ଧାନ ବୋଝେଇ ଗାଡ଼ି ଅଣାଯାଇଥିଲା। ଆନ୍ଦୋଳନସ୍ଥଳରୁ ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଷୀ ଚାଲିଚାଲି ଆସିଲେ। ତାଙ୍କ ପଛରେ ଧାନ ଗାଡ଼ି ଆସିଥିଲା। ଏହାପରେ ଚାଷୀ ନେତା ମୁରାରୀ ପୁରୋହିତ, ହରିଶଂକର ପୁରୋହିତ, ଅଶୋକ ପ୍ରଧାନଙ୍କ ନେତୃତ୍ବରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଚାଷୀମାନେ ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ପ୍ରତୀକାତ୍ମକ ଭାବେ ଧାନ ଗାଡ଼ିଗୁଡ଼ିକ ରଖିବା ପାଇଁ ଅନୁମତି ମାଗିଥିଲେ। କିନ୍ତୁ ଅନୁମତି ନ ମିଳିବାରୁ କାର୍ଯ୍ୟାଳୟର ଉଭୟ ପାର୍ଶ୍ବ ୪ଟି ଯାକ ଗେଟ୍‌କୁ ଅବରୋଧ କରି ସମ୍ମୁଖରେ ଧାନ ବୋଝେଇ ଟ୍ରାକ୍ଟର ରଖି ଦେଇଥିଲେ। ପୁଲିସ ପକ୍ଷରୁ ଚାଷୀଙ୍କୁ ଅଟକାଇବାକୁ ହାଲୁକା ପ୍ରୟାସ କରା ଯାଇଥିଲା। ସାମାନ୍ୟ ଠେଲାପେଲା ହୋଇଥିଲା। କିନ୍ତୁ ଚାଷୀମାନେ ନଛୋଡ଼ବନ୍ଦା ଥିବା ଦେଖି ପୁଲିସ ପଛକୁ ହଟି ଯାଇଥିଲା। କାର୍ଯ୍ୟାଳୟ ପରିସରରେ ଥିବା ପୁଲିସ ଗାଡ଼ି, ଗଣମାଧ୍ୟମ ଗାଡ଼ି ସମେତ କର୍ମଚାରୀ ଓ ସାଧାରଣ ଲୋକଙ୍କ ଗାଡ଼ିଗୁଡ଼ିକ ଅଟକି ରହିଥିଲା। ସୋମବାର ଜମନକିରାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଥିଲା। ତାଙ୍କ ଅନୁପସ୍ଥିତିରେ ଉପଜିଲ୍ଲାପାଳ ଅନିରୁଦ୍ଧ ପଧାନ ଆନ୍ଦୋଳନସ୍ଥଳରେ ଉପସ୍ଥିତ ରହି ଚାଷୀଙ୍କୁ ଶାନ୍ତ କରିବା ପାଇଁ ଚେଷ୍ଟା କରିଥିଲେ। ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ଶୁଭମ ସକ୍ସସେନା ଆଲୋଚନା କରିଥିଲେ ବି ଟୋକନ ବ୍ୟବସ୍ଥା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ହୋଇଥିବାରୁ ତାଙ୍କ ସ୍ତରରେ କିଛି ହୋଇ ପାରିବ ନାହିଁ ବୋଲି କହିଥିଲେ।

ସମ୍ବନ୍ଧିତ ଖବର