ପଛରେ ପଡ଼ିଛି ଚାଷୀ ପଞ୍ଜୀକରଣ : ଘରଘର ବୁଲି ଚାଷୀଙ୍କ ନାମ ପଞ୍ଜୀକରଣ କରିବାକୁ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ଆଜି ସମଗ୍ର ପଶ୍ଚିମ ଓଡ଼ିଶା ନୂଆଖାଇ ପର୍ବ ଧୂମଧାମରେ ପାଳିଛି। ଆଉ କେଇ ଦିନ ମଧ୍ୟରେ ଧାନ ଅମଳ ପ୍ରକ୍ରିୟା ଆରମ୍ଭ ହୋଇଯିବ। ମାତ୍ର ରାଜ୍ୟ ସରକାର ଧାନକିଣା ନେଇ ଯେମିତି ତତ୍ପରତା ପ୍ରକାଶ କରିବା କଥା ତାହା ଏଯାଏ କରିନାହାନ୍ତି। ଧାନକିଣା ପ୍ରକ୍ରିୟାର ପ୍ରାଥମିକ ପଦକ୍ଷେପ ସ୍ୱରୂପ ଚାଷୀ ପଞ୍ଜୀକରଣ ଯେମିତି ହେବା କଥା ତାହା ହୋଇପାରିନାହିଁ। ଲକ୍ଷ୍ୟ ଠାରୁ ପଛରେ ଚାଲିଛି ଏ କାର୍ଯ୍ୟ। ଏଭଳି ସ୍ଥିତିରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଗତ ସପ୍ତାହରେ ସମବାୟ କମିସନର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ କମିସନର, ରାଜ୍ୟର ସମସ୍ତ ପ୍ରାଥମିକ ସମବାୟ ସମିତି (ପିଏସିଏସ୍‌), ଲ୍ୟାମ୍ପ୍‌ସ ଏବଂ ସମସ୍ତ ଜିଲ୍ଲାର ସିଏସ୍‌ଓମାନଙ୍କୁ ନେଇ ଏକ ଭିଡ଼ିଓ କନ୍‌ଫରେନ୍‌ସିଂ ଜରିଆରେ ଘରଘର ବୁଲି ଯୁଦ୍ଧକାଳୀନ ଭିତ୍ତିରେ ଚାଷୀମାନଙ୍କ ନାମ ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଚଳିତବର୍ଷ ଧାନ ସଂଗ୍ରହ ଆରମ୍ଭରୁ ବାଧାପ୍ରାପ୍ତ ହେବାର ଆଶଙ୍କା ସୃଷ୍ଟି ହେଲାଣି। ବିଶେଷକରି ଭାଗଚାଷୀଙ୍କ ପାଇଁ ଏହା ବଡ଼ ସମସ୍ୟା ଭାବେ ଠିଆ ହୋଇପାରେ। କାରଣ, ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାରେ ଗତବର୍ଷ ତୁଳନାରେ ଏବର୍ଷ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ବହୁ ପଛରେ ପଡ଼ିଛି। ଏହାକୁ ନେଇ ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗର ଚିନ୍ତା ବଢିଗଲାଣି। ବର୍ତ୍ତମାନ ସୁଦ୍ଧା ରାଜ୍ୟ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୩୫ ପ୍ରତିଶତ ଚାଷୀଙ୍କ ନାମ ପଞ୍ଜୀକରଣ କରାଯାଇପାରିଛି। ରାଜ୍ୟର ମୋଟ ୧୫ ଲକ୍ଷ ଚାଷୀଙ୍କ ନାମ ପଞ୍ଜୀକରଣ ଲକ୍ଷ୍ୟ ଥିଲାବେଳେ ମାତ୍ର ୫.୧୯ ଲକ୍ଷ ଏଯାଏ ଏହି ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।

ଭାଗଚାଷୀଙ୍କ ନାମ ପଞ୍ଜୀକରଣରେ ସମସ୍ୟା ଦେଖାଦେଇଛି। ଏଥିପାଇଁ ଜମିମାଲିକଙ୍କ ସ୍ୱୀକୃତିପତ୍ର କିମ୍ବା ସ୍ଥାନୀୟ ସରପଞ୍ଚଙ୍କ ସାର୍ଟିଫିକେଟ୍‌ ଜରୁରୀ। ମାତ୍ର ସରପଞ୍ଚ ଦେବାକୁ ଥିବା ସାର୍ଟିଫିକେଟ୍‌ ପାଇଁ ରାଜସ୍ୱ ଓ କୃଷି ବିଭାଗର କ୍ଷେତ୍ର ଅଧିକାରୀମାନଙ୍କ ଯାଞ୍ଚ ରିପୋର୍ଟର ଆବଶ୍ୟକତା ରହିଛି। ବ୍ୟବସ୍ଥାର ଏ ଜଟିଳତା ଭିତରେ ଭାଗଚାଷୀଙ୍କ ନାମ ପଞ୍ଜୀକରଣ କାମ ଆଗେଇ ପାରୁନି।

ପ୍ରତିବର୍ଷ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରୁ ଆଗୁଆ ସଅଳ କିସମ ଧାନ ସଂଗ୍ରହ ହୋଇଥାଏ। ମାତ୍ର ଚଳିତବର୍ଷ ୬ଟି ଜିଲ୍ଲା ବରଗଡ଼, ସମ୍ବଲପୁର, ନୂଆପଡ଼ା, କୋରାପୁଟ, ରାୟଗଡ଼ା, ମାଲକାନଗିରିରେ ଚାଷୀ ପଞ୍ଜୀକରଣ କାର୍ଯ୍ୟ ଧାର୍ଯ୍ୟ ଲକ୍ଷ୍ୟଠାରୁ ଢେର ପଛରେ ରହିଛି। ମାଲକାନଗିରିରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ୫୬ ପ୍ରତିଶତ କମ୍‌ ଥିବାବେଳେ ବରଗଡ଼ ଜିଲ୍ଲାରେ ୫୩ ପ୍ରତିଶତ, ରାୟଗଡ଼ା ଜିଲ୍ଲାରେ ୨୧ ପ୍ରତିଶତ, କୋରାପୁଟ ଜିଲ୍ଲାରେ ୨୧ ପ୍ରତିଶତ, ସମ୍ବଲପୁର ଜିଲ୍ଲାରେ ୧୩ ପ୍ରତିଶତ ଏବଂ ନୂଆପଡ଼ାରେ ୩ ପ୍ରତିଶତ କମ୍‌ ରହିଛି।

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ତଥ୍ୟ ଅନୁସାରେ, ଚଳିତବର୍ଷ ରାଜ୍ୟର ୬୭ଟି ସୋସାଇଟି ଏଯାଏ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ କରିନାହାନ୍ତି। ଉପସମବାୟ ନିବନ୍ଧକ ଓ ସହକାରୀ ସମବାୟ ନିବନ୍ଧକମାନେ ଏ ଦିଗରେ ସମୀକ୍ଷା କିମ୍ବା ଆଗୁଆ ପଦକ୍ଷେପ ଗ୍ରହଣ କରିନାହାନ୍ତି। ସେହିଭଳି ରାଜ୍ୟର ୧୮୧ଟି ସୋସାଇଟି ଚାଷୀ ପଞ୍ଜୀକରଣ ରିପୋର୍ଟ ବିଭାଗକୁ ପ୍ରଦାନକରି ନାହାନ୍ତି।

ସମ୍ବନ୍ଧିତ ଖବର