ତେଲକୋଇ : କ୍ଷେତରେ ଲାଲ ଟହଟହ ବିଲାତି। ହେଲେ ବଜାରରେ ଚାହିଦା ନାହିଁ। ବଜାରକୁ ବିକ୍ରି ପାଇଁ ଆଣିଲେ ଗ୍ରାହକ ମିଳୁନାହାନ୍ତି। କିଲୋ ୨ ଟଙ୍କାରେ ଦେଲେ ବି କେହି ନେଉନାହାନ୍ତି। ପରିବହନ ଖର୍ଚ ଉଠୁ ନଥିବାରୁ ଅନେକ ଚାଷୀଙ୍କ କ୍ଷେତରେ ବିଲାତି ପଡ଼ିରହି ପଚିଯାଉଛି। ଏଭଳି ସ୍ଥିତିରେ ଆଜି କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର କେତେକ ବିଲାତି ଚାଷୀ ସାହସ କରି ଭଡ଼ା ଗାଡ଼ିରେ ତେଲକୋଇ ସାପ୍ତାହିକ ହାଟକୁ ବିଲାତି ନେଇ ଆସିଥିଲେ। ହେଲେ ତାହା ବିକ୍ରି ନହେବାରୁ ବ୍ଲକ କାର୍ଯ୍ୟାଳୟ ଆଗରେ ଢାଳି ପ୍ରତିବାଦ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତେଲକୋଇ ବ୍ଲକର ରାମଚନ୍ଦ୍ରପୁର, ବେଣା, କମଳାଙ୍ଗ, କୁମୁଣ୍ଡୁ, ବାଙ୍ଗୁରୁପାଳ, ବାର୍ହାଦେବତା, ଖୁଣ୍ଟପଡ଼ା ଓ ଦୁର୍ଲଭପୁର ଅଞ୍ଚଳରେ ଚାଷୀ ବିଲାତି ଚାଷ କରିଛନ୍ତି। ଏବେ ବିଲରେ ବିଲାତି ପାଚିବା ଆରମ୍ଭ ହୋଇଯାଇଛି। ପ୍ରତିଦିନ ବଜାରକୁ ଏହିସବୁ ଅଞ୍ଚଳରୁ ପାଖାପାଖି ଏକ ଟନ୍ ବିଲାତି ଆସୁଛି। ସେହିପରି ତେଲକୋଇ ସାପ୍ତାହିକ ହାଟକୁ ତେଲକୋଇ ବ୍ଲକ ସମେତ ପାଲଲହଡ଼ା ଓ ବାରକୋଟ ଅଞ୍ଚଳରୁ ବିଲାତି ଆସୁଛି। ହାଟକୁ ପ୍ରଚୁର ବିଲାତି ଆସୁଥିବାରୁ ଚାଷୀ କିଲୋ ପିଛା ଦର ଟଙ୍କେ କିମ୍ବା ଅତିବେଶୀରେ ୨ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛି। ଏହା ସତ୍ବେ ବି ଲୋକେ ବିଲାତି ଦେଖି ମୁହଁ ମୋଡ଼ୁଛନ୍ତି।
ଆଜି କତରାପାଲି ଗ୍ରାମ ବାଲିସାହିର ବିଜୟ ମୁଣ୍ଡା, ବିନୋଦ ମୁଣ୍ଡା, ରାମଚନ୍ଦ୍ରପୁର ଗ୍ରାମର ତ୍ରିନାଥ ସାହୁ ଏକ ପିକଅପ୍ ଗାଡ଼ିରେ ତେଲକୋଇ ସାପ୍ତାହିକ ହାଟକୁ ବିଲାତି ଆଣିଥିଲେ। ହେଲେ ବିକ୍ରି ନହେବାରୁ ସେମାନେ ବ୍ଲକ କାର୍ଯ୍ୟାଳୟ ଆଗରେ ଢ଼ାଳି ପ୍ରତିବାଦ କରିଥିଲେ। ସେମାନଙ୍କୁ ପଚାରିବାରୁ, ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଚାଷ କରିଥିଲୁ। କିନ୍ତୁ ସରକାର ବଜାର ବ୍ୟବସ୍ଥା ନକରିବାରୁ ଅମଳ ଫସଲର ଉଚିତ ମୂଲ୍ୟ ମିଳୁନି । ସ୍ଥାନୀୟ ଅଞ୍ଚଳରେ ଅମଳ ହେଉଥିବା ବିଲାତିର ବିକ୍ରିବଟା ପାଇଁ ଉପଯୁକ୍ତ ବଜାର ବ୍ୟବସ୍ଥା ସାଙ୍ଗକୁ ବିଲାତିରୁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିବା ପାଇଁ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ ପ୍ରତିଷ୍ଠା କରିବାକୁ ଚାଷୀ ଦାବି କରିଛନ୍ତି।