ଯୋଗ୍ୟ ଚାଷୀଙ୍କୁ ଖୁବ୍‌ଶୀଘ୍ର ବୀମା କ୍ଷତିପୂରଣ ମିଳିବ: ମନ୍ତ୍ରୀ

ଭୁବନେଶ୍ବର : ଖରିଫ ୨୦୧୭ ଋତୁରେ କିଛି ଚାଷୀଙ୍କୁ ବୀମା କମ୍ପାନି କେତେକ କାରଣ ଦର୍ଶାଇ ଫସଲ ବୀମା କ୍ଷତିପୂରଣ ଦେଇ ନାହାନ୍ତି। ଏହି ବିଷୟରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଫସଲ ବୀମା କ୍ଷତିପୂରଣ ପାଇ ନ ଥିବା ଯୋଗ୍ୟ ଚାଷୀଙ୍କୁ ଯଥାଶୀଘ୍ର କ୍ଷତିପୂରଣ ରାଶି ପ୍ରଦାନ ପାଇଁ ପଦକ୍ଷେପ ନିଆଯାଉଛି। ବିଧାନସଭାରେ ସନ୍ତୋଷ ସିଂହ ସାଲୁଜାଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି ସୂଚନା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ସମ୍ପର୍କିତ ଏହି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଆହୁରି ଦର୍ଶାଇଛନ୍ତି, ୨୦୧୭ ଓ ୨୦୧୮ ମସିହା ଖରିଫ ଋତୁରେ ଧାନ ଫସଲ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଯଥାକ୍ରମେ ୧୮,୪୧.୯୩୩ ଓ ୨୦,୨୧,୩୫୮ ଜଣ ଚାଷୀ ପ୍ରିମିୟମ୍ ପଇଠ କରିଥିଲେ। ନିର୍ଦ୍ଦିଷ୍ଟ ଭାବେ ବଲାଙ୍ଗୀର ସମ୍ପର୍କରେ ଶ୍ରୀ ସାଲୁଜା ପଚାରିଥିବା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଜଣାଇଛନ୍ତି, ବଲାଙ୍ଗୀର ଜିଲ୍ଲାରେ ଖରିଫ୍ ୨୦୧୭ ଋତୁରେ ଚୋଳୋ ଜିଆଇସି ଲିମିଟେଡ୍‌ ଦ୍ବାରା ୧,୧୨,୭୪୧ ଜଣ ଚାଷୀଙ୍କୁ ୨୪,୮୦୫ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଥିଲା ବେଳେ ଖରିଫ ୨୦୧୮ରେ ରୟାଲ୍‌ ସୁନ୍ଦରମ୍ ଜିଆଇସି ପକ୍ଷରୁ ୨୦୧୯ ଜୁଲାଇ ୧୧ ତାରିଖ ସୁଦ୍ଧା ୭୬,୦୬୩ ଚାଷୀଙ୍କୁ ଫସଲ ବୀମା କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ଏହା ବାଦ୍ ଫସଲ ଅମଳ ପରବର୍ତ୍ତୀ କ୍ଷତି ବାବଦକୁ ୨୨୨ ଜଣ ଚାଷୀଙ୍କୁ ୮ ଲକ୍ଷ ୭ ହଜାର ଟଙ୍କା ପ୍ରଦାନ କରାଯାଇଛି। ଖରିଫ୍ ୨୦୧୮ ଋତୁର ଫସଲବୀମା କ୍ଷତିପୂରଣ ରାଶି ପ୍ରଦାନ ପ୍ରକ୍ରିୟା ଚାଲୁ ରହିଛି।

ସମ୍ବନ୍ଧିତ ଖବର