ଭୁବନେଶ୍ୱର : ଜୁନ୍ ୩୦ ତାରିଖ ସୁଦ୍ଧା ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ବୀମା ରାଶିର ବୃହତ୍ ଭାଗ ପୈଠ କରିବାକୁ ବୀମା କମ୍ପାନିମାନଙ୍କୁ ତାଗିଦ୍ କରିଥିଲେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ। ସେ ଧାର୍ଯ୍ୟ କରିଥିବା ସମୟସୀମା ଆଜି ପୂରିଛି। କିନ୍ତୁ ମୋଟ ବୀମା କ୍ଷତିପୂରଣ ରାଶି ପ୍ରାୟ ୧୭୦୦ କୋଟି ଟଙ୍କା ଥିବା ବେଳେ ସେଥିମଧ୍ୟରୁ ଚାଷୀମାନଙ୍କୁ ଆଜିସୁଦ୍ଧା ମିଳିଛି ପ୍ରାୟ ୪୯୨ କୋଟି। ତେବେ ଆଶ୍ୱାସନାର ବିଷୟ ହେଉଛି, ବୀମା ରାଶି ପୈଠ ନେଇ କମ୍ପାନିମାନଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି। ଏଣୁ, ଜୁଲାଇ ମାସ ମଧ୍ୟଭାଗ ସୁଦ୍ଧା ଚାଷୀମାନଙ୍କ ସମସ୍ତ କ୍ଷତିପୂରଣ ରାଶି ମିଳିବାର ସମ୍ଭାବନା ପ୍ରକାଶ ପାଇଛି। ଫଳରେ ବୀମା ଉପରେ ନିର୍ଭରଶୀଳ ଚାଷୀମାନେ ଖରିଫ ଋତୁରେ ସେମାନେ ଆରମ୍ଭ କରିଥିବା ଧାନଚାଷ କାମ ଜୋରଦାର କରିପାରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ସୁଦ୍ଧା ଫସଲ ବୀମା ପୈଠ ସଂକ୍ରାନ୍ତ ମିଳିଥିବା ତଥ୍ୟ ମୁତାବକ ୬ଟି ଜିଲ୍ଲା ଦାୟିତ୍ୱରେ ଥିବା ଏଆଇସି କମ୍ପାନି ମୋଟ ୧୫୩ କୋଟିର ବୀମା ରାଶି ପ୍ରଦାନ କରିବା କଥା। ସେଥିମଧ୍ୟରୁ ଆଜି ସୁଦ୍ଧା ପ୍ରାୟ ୭୦ ହଜାର ଚାଷୀଙ୍କୁ ପୈଠ କରିଛି ପ୍ରାୟ ୮୯ କୋଟି। ନ୍ୟାସନାଲ୍ ଇନ୍ସ୍ୟୁରାନ୍ସ କମ୍ପାନୀ ହାତରେ ରହିଛି ୫ଟି ଜିଲ୍ଲା। ସେହି ଜିଲ୍ଲାଗୁଡ଼ିକର ପ୍ରାୟ ୬୦ ହଜାର ଚାଷୀଙ୍କୁ ପ୍ରାୟ ୧୮୨ କୋଟି ପୈଠ କରିଛି। ଏହି ବୀମା କମ୍ପାନି ସମୁଦାୟ ୮୦୦ କୋଟିର ବୀମା ରାଶି ପୈଠ କରିବ ବୋଲି ଆକଳନ କରାଯାଇଛି। ସେହିପରି ଟାଟା ଏଆଇଜି ଅଧୀନରେ ରହିଥିବା ୧୨ଟି ଜିଲ୍ଲାର ପ୍ରାୟ ୩୬ ହଜାର ଚାଷୀଙ୍କୁ ୧୩୭ କୋଟିର ବୀମା ରାଶି ପ୍ରଦାନ କରିଛି। ଆକଳନ ଅନୁସାରେ ଏହି କମ୍ପାନି ମୋଟ ୪୨୫ କୋଟି ଚାଷୀମାନଙ୍କୁ ପୈଠ କରିବ। ୭ଟି ଜିଲ୍ଲାର ଫସଲ ବୀମା ଦାୟିତ୍ୱରେ ଥିବା ଚୋଲ ଏମ୍ଏସ୍ କମ୍ପାନି ମୋଟ ୩୦୫ କୋଟିର ବୀମା ରାଶି ପ୍ରଦାନ କରିବ ବୋଲି ଆକଳନ କରାଯାଇଛି। ସେଥିମଧ୍ୟରୁ ଆଜି ସୁଦ୍ଧା ୨୫୫୭୦ ଚାଷୀଙ୍କୁ ପୈଠ କରିଛି ପ୍ରାୟ ୮୪ କୋଟି।
ଏହିରୂପେ ମୋଟ ପ୍ରାୟ ୪୯୨ କୋଟିର ବୀମା ରାଶି ପୈଠ କରିଛନ୍ତି ବୀମା କମ୍ପାନିମାନେ। ସେହି କମ୍ପାନିମାନେ ମୋଟ ପ୍ରାୟ ୧୭୦୦ କୋଟି ଟଙ୍କାର ବୀମା କ୍ଷତିପୂରଣ ରାଶି ପୈଠ କରିବେ ବୋଲି ପରିବର୍ତିତ ଆକଳନରୁ ଜଣାଯାଇଛି। ସୂଚନାଯୋଗ୍ୟ, ଗତ ୨୩ ତାରିଖରେ ମୁଖ୍ୟ ସଚିବ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଶ୍ରୀ ପାଢ଼ୀ ବୀମା କମ୍ପାନିମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ବୀମା କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟା ବିଳମ୍ବିତ ହୋଇଥିବାରୁ କମ୍ପାନିମାନଙ୍କ ଆଉ କୌଣସି ଆପତ୍ତି ଅଭିଯୋଗ ଶୁଣାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଥିଲେ। ସେ ନିର୍ଦେଶ ଦେଇଥିଲେ ଜୁନ୍ ୩୦ ତାରିଖ ସୁଦ୍ଧା ମୋଟ ବୀମା ରାଶିର ବୃହତ୍ ଭାଗ ସେମାନେ ପୈଠ କରିବେ। ସେହିଦିନ ସୁଦ୍ଧା ମୋଟ ୨୮୭ କୋଟିର ବୀମା ରାଶି ପୈଠ କରାଯାଇଥିବା ବୈଠକରେ ଦର୍ଶାଯାଇଥିଲା।