ତିତ୍‌ଲି ଉଜାଡ଼ିଦେଲା ଚାଷ, ୮ଟି ଜିଲ୍ଲାରେ ଚାଲିଛି ଫସଲ ବୀମା ଅନ୍ତରୀଣ ସହାୟତା ସର୍ଭେ

ମାସ ଶେଷ ସୁଦ୍ଧା ସର୍ଭେ ରିପୋର୍ଟ

ଭୁବନେଶ୍ବର: ପ୍ରଳୟଙ୍କରୀ ସାମୁଦ୍ରିକ ବାତ୍ୟା ତିତଲି ଏବଂ ପରବର୍ତୀ ବର୍ଷା ବିତ୍ପାତ ଓ ବନ୍ୟା ୧୭ଟି ଜିଲ୍ଲାରେ ଚାଷ ଉଜାଡ଼ି ଦେଇଛି। ଏଥିମଧ୍ୟରୁ ୮ଟି ଜିଲ୍ଲାରେ ଖରିଫ ଚାଷ ସ୍ଥିତି ସଙ୍ଗିନ। ଫଳରେ ଚାଷୀମାନଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ମାଗଦର୍ଶିକା ଅନୁଯାୟୀ ପ୍ରଭାବିତ ଚାଷୀଙ୍କୁ ଅନ୍ତରୀଣ ସହାୟତା ଯୋଗାଇଦେବା ନିମନ୍ତେ ଫସଲ କ୍ଷୟକ୍ଷତିର ମିଳିତ ଆଖିଦେଖା ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ରାଜ୍ୟ ସରକାରଙ୍କ ନିର୍ଦେଶ ମୁତାବକ ଏହି ମାସ ଶେଷ ସୁଦ୍ଧା ପ୍ରଭାବିତ ଜିଲ୍ଲାଗୁଡ଼ିକରୁ ସର୍ଭେ ରିପୋର୍ଟ ଆସିବ।

ଉଲ୍ଳେଖଯୋଗ୍ୟ ଯେ, ଗତ ବର୍ଷ ଖରିଫ ଚାଷ ବେଳେ ଚକଡ଼ା ପୋକ ଉପଦ୍ରବ ଯୋଗୁଁ ଧାନ ଫସଲରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। କିନ୍ତୁ ଫସଲ କ୍ଷତିପୂରଣ ରିପୋର୍ଟ କେବଳ ଅନୁଗୁଳ ଜିଲ୍ଲାରୁ ମିଳିଥିଲା। ଫଳରେ ସେହି ଜିଲ୍ଲାର ଚାଷୀଙ୍କୁ ପ୍ରାୟ ୫.୬୦ କୋଟିର କ୍ଷତିପୂରଣ ବାବଦରେ ଅନ୍ତରୀଣ ସହାୟତା ପ୍ରଦାନ କରାଯାଇଥିଲା। ଅନ୍ୟ ଜିଲ୍ଲାଗୁଡ଼ିକରେ ଫସଲ ଗୁରୁତର ଭାବେ ପ୍ରଭାବିତ ହୋଇଥିଲେ ମଧ୍ୟ ପ୍ରାଶାସନିକ ଅବହେଳା ଯୋଗୁଁ କ୍ଷୟକ୍ଷତି ଆକଳନ ହୋଇପାରିନଥିଲା। ଏଥର ସେହି ଭୁଲର ଯେପରି ପୁନରାବୃତ୍ତି ନ ହୁଏ, ରାଜ୍ୟ ସରକାର ଆଗୁଆ ସତର୍କ ହୋଇ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷ କରି କୃଷି ଓ ସମବାୟ ବିଭାଗ ସଚିବଙ୍କ ନିର୍ଦେଶରେ ଗତ ଦୁଇଦିନ ହେଲା ପ୍ରଭାବିତ ଜିଲ୍ଲାଗୁଡ଼ିକରେ ମିଳିତ ସର୍ଭେ ଆରମ୍ଭ ହୋଇଛି। ବ୍ଲକ ସ୍ତରରେ ଚାଲିଥିବା ଆଖିଦେଖା କ୍ଷୟକ୍ଷତି ସର୍ଭେ କାର୍ଯ୍ୟରେ କୃଷି, ସମବାୟ, ରାଜସ୍ବ ବିଭାଗ କର୍ମଚାରୀ ଓ ବୀମା କମ୍ପାନିମାନଙ୍କ ପ୍ରତିନିଧିମାନେ ସାମିଲ ହୋଇଛନ୍ତି। ଫସଲ ବୀମା ଯୋଜନାର ମାର୍ଗଦର୍ଶିକା ଅନୁଯାୟୀ ଯେଉଁ ଜିଲ୍ଲାରେ ଫସଲର ଆଖ‌ିଦେଖା କ୍ଷୟକ୍ଷତି ୫୦ ପ୍ରତିଶତରୁ ଅଧିକ ହୋଇଥିବ, ସେହି ଜିଲ୍ଲାର ସଂପୃକ୍ତ ଚାଷୀଙ୍କୁ କ୍ଷୟକ୍ଷତିର ୨୫ ପ୍ରତିଶତ ଅନ୍ତରୀଣ ସହାୟତା ପ୍ରଦାନ କରାଯିବ। ଅବଶ୍ୟ ପରବର୍ତୀ ଅବସ୍ଥାରେ ଫସଲ ବୀମା ଯୋଜନା ମୁତାବକ ଫସଲକଟା ଆକଳନ କରାଯିବ। ଏହି ସର୍ଭେ କାର୍ଯ୍ୟରେ ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, କଟକ, ଖୋର୍ଧା, ଯାଜପୁର ନୟାଗଡ଼ ଆଦି ୮ଟି ଜିଲ୍ଲାକୁ ସାମିଲ କରାଯାଇଛି। ତେବେ ୧୦ ଦିନ ଭିତରେ ସର୍ଭେ କାର୍ଯ୍ୟ ଶେଷ ହେବ ଏବଂ ଚଳିତ ମାସ ଶେଷ ସୁଦ୍ଧା ରିପୋର୍ଟ ସରକାରଙ୍କ ହସ୍ତଗତ ହେବ। ଏହି ରିପୋର୍ଟକୁ ରାଜ୍ୟସ୍ତରୀୟ ବୈଷୟିକ କମିଟି ଯାଞ୍ଚ କରି ଅନ୍ତରୀଣ ସହାୟତା ରାଶି ଚୂଡ଼ାନ୍ତ କରିବେ। ଆଗାମୀ ନଭେମ୍ବର ମାସରେ ବୀମା କମ୍ପାନିମାନେ ଅନ୍ତରୀଣ ସହାୟତା ପ୍ରଦାନ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ଜଣାଯାଇଛି।

ସମ୍ବନ୍ଧିତ ଖବର