ଚନ୍ଦ୍ରଭାଗା ହେବ ଓଡ଼ିଶାର ପ୍ରଥମ ବ୍ଲୁ ଫ୍ଲାଗ୍‌ ବିଚ୍‌

ଭୁବନେଶ୍ୱର: ନୂଆ ରୂପ ନେବ ଚନ୍ଦ୍ରଭାଗା ବେଳାଭୂମି। ବଦଳିବ ପର୍ଯ୍ୟଟକ ଉପଯୋଗୀ ପରିସରର ଚିତ୍ର। ୧ କିଲୋମିଟର ପରିମିତ ବେଳାଭୂମି ଅଞ୍ଚଳ ଅନ୍ତର୍ଜାତୀୟ ମାନରେ ସଜେଇ ହେବ। ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରାଳୟ ବିଭାଗ ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ କୋଷ୍ଟାଲ୍‌ ମ୍ୟାନେଜ୍‌ମେଣ୍ଟ୍‌ ସ୍କିମ୍‌ରେ ଚନ୍ଦ୍ରଭାଗାକୁ ଓଡ଼ିଶାର ପ୍ରଥମ ବ୍ଲୁ ଫ୍ଲାଗ୍‌ ବିଚ୍‌ ପ୍ରକଳ୍ପ ଭାବେ ନିଆଯାଇଛି। ରାଜ୍ୟ ସରକାରଙ୍କ ରାଜ୍ୟ ପ୍ରକଳ୍ପ ପରିଚାଳନା ୟୁନିଟ୍‌ (ଏସ୍‌ପିଏମ୍‌ୟୁ), ଇଣ୍ଟିଗ୍ରେଟେଡ୍‌ କୋଷ୍ଟାଲ୍‌ ଜୋନ୍‌ ମ୍ୟାନେଜ୍‌ମେଣ୍ଟ୍‌ ପ୍ରୋଜେକ୍ଟ (ଆଇସିଜେଡ୍‌ଏମ୍‌ପି) ପକ୍ଷରୁ କୋଣାର୍କର ଚନ୍ଦ୍ରଭାଗା ବିଚ୍‌କୁ ପ୍ରଥମ ପାଇଲଟ୍‌ ପ୍ରକଳ୍ପ ଭାବେ ମନୋନୀତ କରାଯାଇଛି। ଚନ୍ଦ୍ରଭାଗା ବିଚ୍‌କୁ ଅନ୍ତର୍ଜାତୀୟ ମାନର କରିବା ପାଇଁ ମୁଖ୍ୟତଃ ୪ଟି ବିଷୟ ଉପରେ ଧ୍ୟାନ ଦିଆଯିବ। ପାରିପାର୍ଶ୍ୱିକ ପରିବେଶର ସ୍ୱଚ୍ଛତା ପରିଚାଳନା ସମେତ ବେଳାଭୂମିରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା, ବେଳାଭୂମି ବ୍ୟବହାରକାରୀଙ୍କ ମଧ୍ୟରେ ପରିବେଶ ସମ୍ବନ୍ଧୀୟ ସଚେତନତା ସୃଷ୍ଟି କରିବା, ସମ୍ପୃକ୍ତ ଅଞ୍ଚଳରେ ସୁରକ୍ଷା ଓ ନିରାପତ୍ତା, ଗାଧୋଉଥିବା ଜଳରାଶିର ଗୁଣବତ୍ତା ପରୀକ୍ଷା ଭଳି ଦିଗକୁ ଧ୍ୟାନ ଦିଆଯିବ।

ସମୁଦ୍ର କୂଳକୁ ପ୍ରଦୂଷଣମୁକ୍ତ ରଖିବା ସହ ପର୍ଯ୍ୟଟକ ଅନୁକୂଳ କରିବା ପାଇଁ ଏଠାରେ ବାୟୋ ଟଏଲେଟ୍‌ ବ୍ଲକ୍‌ (ବାଉଁଶ ଘର), ପୋଷାକ ବଦଳାଇବା ରୁମ୍‌, ଗ୍ରେ ଓ୍ଵାଟର ଟ୍ରିଟ୍‌ମେଣ୍ଟ୍‌ ପ୍ଲାଣ୍ଟ୍‌, ସୌରଚାଳିତ ବିଦ୍ୟୁତ ଶକ୍ତି ଉତ୍ପାଦନ ବ୍ୟବସ୍ଥା, ଶୁଦ୍ଧ ପାନୀୟ ଜଳ ଯୋଗାଣ, ବସିବା ପାଇଁ ସିଟ୍‌, ଏଲ୍‌ଇଡି ଷ୍ଟ୍ରିଟ୍‌ ଲାଇଟ୍‌, ଜଗିଂ ଟ୍ରାକ୍‌, ଫିଟ୍‌ନେସ୍‌ ସରଞ୍ଜାମ, ଦିବ୍ୟାଙ୍ଗଙ୍କ ପାଇଁ ହ୍ଵିଲ୍‌-ଚେୟାର, ଆଇଏସ୍‌ଓ ମାନର ସେଫ୍‌ଟି ଫ୍ଲାଗ୍‌, ଲାଇଫ୍‌ଗାର୍ଡ, ସିସିଟିଭି, ବିଚ୍‌ କ୍ଲିନର ସରଞ୍ଜାମ, ପାର୍କିଂ ସୁବିଧା, ନଡ଼ିଆ ଓ ତାଳଗଛ ରୋପଣ, ଓ୍ଵାଚ୍‌ ଟାଓ୍ଵାର, ସୁରକ୍ଷାକର୍ମୀ, ବିଚ୍‌ ସମ୍ପର୍କିତ ସୂଚନା ବୋର୍ଡ ଓ ବିଚ୍‌ ଲେଆଉଟ୍‌ ମାନଚିତ୍ର ଆଦି ରଖିବା ପାଇଁ ବ୍ୟବସ୍ଥା କରାଯିବ। ଚନ୍ଦ୍ରଭାଗା ବିଚ୍‌ର ଦକ୍ଷିଣ ଆଡ଼କୁ ୧କିଲୋମିଟର ୧୧୫ ମିଟର ପରିମିତ ନିର୍ଦିଷ୍ଟ ଅଞ୍ଚଳକୁ ଏଥିପାଇଁଁ ଚିହ୍ନଟ କରାଯାଇଛି। ଏସ୍‌ପିଏମ୍‌ୟୁ ଓ ଆଇସିଜେଡ୍‌ଏମ୍‌ପି ସେହି ନିର୍ଦିଷ୍ଟ ଅଞ୍ଚଳରେ ସମୁଦ୍ରରେ ଗାଧୋଇବା କେତେ ଉପଯୋଗୀ, ତା’ର ପରୀକ୍ଷା ନୀରିକ୍ଷା ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିୟୋଜିତ କରିଛି। ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତନ ମନ୍ତ୍ରାଳୟ ଅଧୀନ ସୋସାଇଟି ଅଫ୍‌ ଇଣ୍ଟିଗ୍ରେଟେଡ୍‌ କୋଷ୍ଟାଲ୍‌ ମ୍ୟାନେଜ୍‌ମେଣ୍ଟ୍‌ (ସିକମ୍‌) ଆବଶ୍ୟକୀୟ ମୁଖ୍ୟ ବିକାଶ ଦିଗରେ ଧ୍ୟାନ ଦେବ। ତେବେ କୋଣାର୍କ ଏନ୍‌ଏସି ଏଠାରେ ଦୈନନ୍ଦିନର କାର୍ଯ୍ୟ ପରିଚାଳନା ପାଇଁ ଉତ୍ତରଦାୟୀ ରହିବ।

ବ୍ଲୁ ଫ୍ଲାଗ୍‌ କ’ଣ
ବ୍ଲୁ ଫ୍ଲାଗ୍‌ ହେଉଛି ବେଳାଭୂମି ପାଇଁ ଏକ ମାନଦଣ୍ଡ। ବେଳାଭୂମିର ସ୍ୱଚ୍ଛତା, ପର୍ଯ୍ୟଟକ ଅନୁକୂଳ ଅତ୍ୟାଧୁନିକ ସୁବିଧାର ମାନ ପରଖି ସମ୍ପୃକ୍ତ ବେଳାଭୂମିକୁ ବ୍ଲୁ ଫ୍ଲାଗ୍‌ ବୋଲି ନିର୍ଧାରଣ କରାଯାଏ। ଫାଉଣ୍ଡେସନ୍‌ ଫର୍‌ ଏନ୍‌ଭାରନ୍‌ମେଣ୍ଟ୍‌ ଏଜୁକେସନ୍‌ (ଏଫ୍‌ଇଇ) ପକ୍ଷରୁ ୩୩ପ୍ରକାର ମାନଦଣ୍ଡକୁ ଭିତ୍ତି କରି ବେଳାଭୂମିକୁ ବ୍ଲୁ ଫ୍ଳାଗ୍‌ର ମାନ୍ୟତା ଦିଆଯାଏ।

ସମ୍ବନ୍ଧିତ ଖବର