ବାପ, ଝିଅଙ୍କୁ ଦଳିଦେଲା ହାଇୱା, ରାସ୍ତାରୋକ, ଉତ୍ତେଜନା

କେନ୍ଦ୍ରାପଡା : ଆଜି ଅପରାହ୍ନରେ କେନ୍ଦ୍ରାପଡ଼ା ସହର ଉପକଣ୍ଠ ୫ ନମ୍ବର(କ) ଜାତୀୟ ରାଜପଥର ଶ୍ୟାମସୁନ୍ଦରପୁର ଗଡ଼ା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ହାଇୱା ଚଢିଯିବାରୁ ବାପା ଓ ଝିଅଙ୍କ ଶୋଚନୀୟ ମୃତ୍ୟୁ ଘଟିଛି। ଦୁଘର୍ଟଣାକୁ ‌ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ଓ ସହାୟତା ଦାବିରେ ଲୋକେ ରାସ୍ତାରୋକ କରିଥିଲେ।

ମିଳିଥିବା ସୂଚନା ଅନୁସାରେ, କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଓରତି ଗ୍ରାମର ସୁଶାନ୍ତ ନାୟକ(୩୫) ନିଜ ପତ୍ନୀ ଏଲିନା, ଝିଅ ନନ୍ଦିନୀ(୭) ଓ ପୁଅ ରୋହିତ(୫)ଙ୍କୁ ନେଇ ବାଇକ୍‌ରେ କେନ୍ଦ୍ରାପଡ଼ା ନସିଡ଼ିପୁରସ୍ଥିତ ଭଉଣୀ ଘରକୁ ଆସିଥିଲେ। ଅପରାହ୍ନ ପ୍ରାୟ ସାଢ଼େ ୫ଟା ବେଳେ ଗାଁକୁ ଫେରୁଥିବା ସମୟରେ ଜାତୀୟ ରାଜପଥର କଜଳା ବନ୍ଧ ନିକଟରେ ପହଞ୍ଚିଥିବା ବେଳେ ପତ୍ନୀ ଏଲିନା ପରିସ୍ରା କରିବାକୁ କହିଥିଲେ। ସୁଶାନ୍ତ ଗାଡ଼ି ଅଟକାଇବା ପରେ ଏଲିନା ଓ ପୁଅ ରୋହିତ ରାସ୍ତାକଡ଼କୁ ପରିସ୍ରା କରିବାକୁ ଯାଇଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ଅନ୍ୟ ଏକ ତେଲ ଟ୍ୟାଙ୍କ୍‌ରକୁ ଧକ୍କା ଦେଇ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ସୁଶାନ୍ତ ଓ ଝିଅ ନନ୍ଦିନୀଙ୍କ ଉପରେ ଚଢ଼ି ଯାଇଥିଲା। ମା’ ଓ ପୁଅ ପରିସ୍ରା କରି ଫେରୁଥିବା ବେଳେ ସେମାନଙ୍କ ଆଖି ଆଗରେ ସୁଶାନ୍ତ ଓ ନନ୍ଦିନୀଙ୍କ ମୃତଦେହ ପଡ଼ିଥିଲା। ହାଇୱା ଚକ ତଳୁ ବାପ, ଝିଅଙ୍କୁ ଉଦ୍ଧାର କରାଯିବା ବେଳକୁ ସବୁ ଶେଷ ହୋଇ ଯାଇଥିଲା। ମା’ ପୁଅ କାନ୍ଦି କାନ୍ଦି ରାସ୍ତାରେ ଲୋଟି ପଡ଼ୁଥିବାର ଦୃଶ୍ୟ ହୃଦୟ ବିଦାରକ ଥିଲା। ଏହାକୁ ନେଇ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା ଓ ଲୋକେ କ୍ଷତିପୂରଣ ଦାବିରେ ରାଜପଥ ଅବରୋଧ କରିଥିଲେ। ସଦର ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ ବି ରାସ୍ତାରୋକ ହଟି ନଥିଲା। ଉପ-ଜିଲ୍ଲାପାଳ ସ˚ଜୟ କୁମାର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ତୁରନ୍ତ ଶବ ସ˚ସ୍କାର ପାଇଁ ଜିଲ୍ଲା ରେଡକ୍ରସ୍‌ ପାଣ୍ଠିରୁ ୨୦ ହଜାର ଟଙ୍କା ପ୍ରଦାନ କରାଯିବା ପାଇଁ ତଥା ଦୁର୍ଘଟଣା ବୀମା ରାଶି ମିଳିବା ପାଇଁ ଉଦ୍ୟମ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ଡ୍ରାଇଭର ବଦଳରେ ହେଲପର ହାଇୱା ଚଳାଉଥିବାରୁ ଏଭଳି ଅଘଟଣ ଘଟିଲା ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର