ଶିକାର ଅଭିଯୋଗ : ଶିମିଳିପାଳରୁ ବାପ, ପୁଅ ଗିରଫ

ଠାକୁରମୁଣ୍ତା : ବେଆଇନ ଭାବେ ଶିକାର କରିବା ଅଭିଯୋଗରେ ଶିମିଳିପାଳରୁ ବାପ, ପୁଅଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଦୁହେଁ ହେଲେ ସ୍ଥାନୀୟ ଡଙ୍ଗାଡିହା ଗ୍ରାମର ଜିତରାୟ ମାଝୀ(୨୫) ଓ ତାଙ୍କ ବାପା ଗୋପାଳ ମାଝୀ।

ଘଟଣାରୁ ପ୍ରକାଶ, ଶିମିଳିପାଳ ଅଭୟାଣ୍ୟ ଅନ୍ତର୍ଗତ ଡଙ୍ଗାଡିହାର ଏସଏଲ କମ୍ପାଣ୍ଟମେଣ୍ଟ-୧୭ ଅଞ୍ଚଳରେ ଗତକାଲି ରାତି ୮ଟା ବେଳେ ଠାକୁରମୁଣ୍ତା ବନା‌ଞ୍ଚଳ, ସାତକୋଶିଆ ବନା‌ଞ୍ଚଳ କର୍ମଚାରୀ ଓ ମହୁଲଡିହା ଥାନା ପୁଲିସର ମିଳିତ ଭାବେ ପାଟ୍ରୋଲିଂ କରୁଥିଲେ। ଏତିକିବେଳେ ଜିତରାୟ ଓ ଗୋପାଳ ଟର୍ଚ୍ଚ ମାରୁଥିବା ପାଟ୍ରୋଲିଂ ଟିମ୍‌ ଦେଖିବାକୁ ପାଇଥିଲା। ଶିକାର କରୁଥିବା ମିଳିତ ପାଟ୍ରୋଲିଂ ଟିମ ଜାଣିବା ପରେ ଉଭୟଙ୍କୁ କାବୁ କରିଥିଲେ। ସେମାନଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ, ଧନୁ, ତୀର ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଥିଲା ଟିମ୍। ତେବେ ପଚରାଉଚରା ବେଳେ ବାପ,ପୁଅ ଶିକାର ଉଦ୍ଦେଶ୍ୟରେ ଶିମିଳିପାଳରେ ପ୍ରବେଶ କରିଥିବା ସ୍ବୀକାର କରିଥିଲେ।

ଏନେଇ କରଞ୍ଜିଆ ବନଖଣ୍ତ ଅନ୍ତର୍ଗତ ଠାକୁରମୁଣ୍ତା ବନା‌ଞ୍ଚଳ କାର୍ଯ୍ୟାଳୟରେ ମାମଲା ରୁଜୁ କରାଯାଇ ବନ୍ୟଜନ୍ତୁ ସୁରକ୍ଷା ଆଇନ ୧୯୭୨ଧାରା ୨୭(୧),୨୯, ୩୧, ଓ ୫୧(୧) ମୁତାବକ ଉଭୟଙ୍କୁ ଆଜି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର