ଗୋଟିଏ ଜୁଇରେ ଜଳିଲେ ବାପ,ପୁଅ

ନାତି ମେଡିକାଲରେ

ଗରଦପୁର : ଗରଦପୁର ବ୍ଲକ ମଧୁଶାସନ ପଞ୍ଚାୟତର ନାଗଣପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ତଥା ଦୁଃଖଦ ଘଟଣା। ଗତ କିଛି ଦିନ ହେଲା ଗ୍ରାମର ଚକ୍ରଧର ପରିଡାଙ୍କ ପରିବାରର ସମସ୍ତ ସଦସ୍ୟ ହାଡ ଫୁଟିରେ ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଗୋଟିଏ ଦିନରେ ବାପ-ପୁଅଙ୍କର ମୃତ୍ୟୁ ଘଟିଛି। ବାପ-ପୁଅଙ୍କ ଜୁଇ ଜଳୁଥିବା ବେଳେ ନାତିକୁ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ଚକ୍ରଧରଙ୍କ ପୁଅ ଉପେନ୍ଦ୍ର ପରିଡା (୪୧) ହାଡଫୁଟିରେ ଆକ୍ରାନ୍ତ ଥିବାବେଳେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଗତକାଲି ପାଟକୁରା ମେଡିକାଲ ନିଆଯାଇଥିଲା। କିନ୍ତୁ ବାଟରେ ଉପେନ୍ଦ୍ରଙ୍କର ମୃତ୍ୟୁ ଘଟିଥିଲା। ଉପେନ୍ଦ୍ରଙ୍କ ମୃତଦେହ ଘରକୁ ଅଣାଯିବା ପରେ ପୁଅର ମୃତଦେହ ଦେଖି ବାପା ଚକ୍ରଧର(୬୮) ଙ୍କର ହୃଦଘାତ ହୋଇଥିଲା। ବାପ, ପୁଅଙ୍କ ମୃତଦେହ ଗାଁ ଶ୍ମଶାନରେ ଗୋଟିଏ ଜୁଇରେ ଜଳୁଥିବା ବେଳେ ଚକ୍ରଧରଙ୍କ ନାତି ଆଶିଷ (୧୭) ଏଭଳି ଘଟଣାରେ ହଠାତ ବେହୋସ ହୋଇ ପଡିଥିଲେ। ଆଶିଷ ବି ହାଡଫୁଟି ରୋଗରେ ଆକ୍ରାନ୍ତ ଅଛନ୍ତି। ତାଙ୍କୁ ପାଟକୁରା ମେଡିକାଲରେ ଚିକିତ୍ସା କରାଯାଉଛି।

ସମ୍ବନ୍ଧିତ ଖବର