ପାତ୍ରପୁର/ବ୍ରହ୍ମପୁର : ଗଞ୍ଜାମ ପାତ୍ରପୁର ବ୍ଲକ ଜରଡା ଥାନା ଅଞ୍ଚଳରେ ଘଟିଛି ଅଭବାନୀୟ ଘଟଣା। ଜନ୍ମକଲା ନାବାଳିକା ଝିଅକୁ ତା’ର ବାପା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପ୍ରଥମଥର ପାଇଁ ଜରଡ଼ା ଥାନା ଅଞ୍ଚଳରେ ଏଭଳି ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ସଇତାନ ବାପାକୁ ପୁଲିସ ଅଟକ ରଖିଥିବା ବେଳେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇନାହିଁ।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରାତପୁର ବ୍ଲକ ଠାରୁ ୮କିମି ତଥା ଜରଡା ଥାନା ୧୭ କିମି ଦୂର ଏକ ଗାଁରେ ଘଟିଛି ଏହି ଲଜ୍ଜାଜନକ ଘଟଣା। ସେହି ଗ୍ରାମର ଜଣେ ବ୍ୟକ୍ତିଙ୍କ ୨ ଝିଅ ଓ ଗୋଟିଏ ପୁଅ। ଗ୍ରାମ ନିକଟ ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ବଡ଼ ଝିଅଟି ୮ମଶ୍ରେଣୀରେ ପଢୁଛି। ବାପା ଚେନ୍ନାଇରେ ରହି ଏକ କମ୍ପାନୀରେ କାମ କରେ। ମଝି ମଝିରେ ଗାଁକୁ ଆସିଲେ ଉକ୍ତ ନାବାଳିକା ଝିଅ(୧୫) ସହ ଅଶାଳୀନ ଆଚରଣ କରେ। ଗତ ଏକ ମାସ ହେଲା ଚେନ୍ନାଇରୁ ଆସି ବାପା ଘରେ ରହୁଥିବାବେଳେ କିଛି ଦିନ ତଳେ ଝିଅକୁ ଦୁଷ୍କର୍ମ କରିଥିଲା। ତେବେ ଏହି କଥାକୁ ଲାଜରେ କାହା ଆଗରେ ପ୍ରକାଶ କରିପାରୁ ନ ଥିଲା। ନାବାଳିକାଙ୍କ ବିଷଣ୍ଣ ଚେହେରା ଓ ଅସ୍ବାଭାବିକ ଚାଲିଚଳନରୁ ବିଦ୍ୟାଳୟର ଶିକ୍ଷକ ଗତ ୩ ଦିନ ତଳେ ସନ୍ଦେହ କରିଥିଲେ। ଏହାପରେ ସେ ଘଟଣା ସଂକ୍ରାନ୍ତରେ ଜାଣିପାରି ଉକ୍ତ ନାବାଳିକା ତଥା ଛାତ୍ରୀଙ୍କ ସମ୍ପର୍କୀୟ ମଉସାଙ୍କୁ ଜଣାଇ ଥିଲେ। ମଉସା ଏହି ଲଜ୍ଜାଜନକ ଘଟଣା ବିଷୟରେ ଜାଣିବା ପରେ ଝିଆରୀକୁ ସୁରକ୍ଷା ଦେବାକୁ ନିଜ ଘରକୁ ନେଇ ରଖିଥିଲେ। ଏପଟେ ନାବାଳିକାଙ୍କ ମଉସାଙ୍କ ପରାମର୍ଶ ଅନୁସାରେ ବିଦ୍ୟାଳୟର ଶିକ୍ଷକ ଘଟଣା ବିଷୟରେ ଚାଇଲ୍ଡଲାଇନକୁ ଅବଗତ କରାଇଥିଲେ। ଚାଇଲ୍ଡ ଲାଇନ ଟିମ୍ ଘଟଣା ସଂକ୍ରାନ୍ତରେ ଜରଡା ଥାନାକୁ ଜଣାଇଥିଲେ। ଚାଇଲ୍ଡ ଲାଇନ ଟିମ୍ ବୁଧବାର ଜରଡା ଥାନାରେ ପହଞ୍ଚି ଥିଲେ।
ପୀଡିତ ନାବାଳିକାଙ୍କୁ ତାଙ୍କ ମଉସା ଘରୁ ଆଣି ଚାଇଲ୍ଡଲାଇନରେ ରଖାଯାଇଛି। ପୁଲିସ ସଇତାନ ବାପାଙ୍କୁ ଆଣି ଅଟକ ରଖି ପଚରାଉଚରା କରୁଛି। ତେବେ ଥାନାକୁ ଅଣାଯିବା ସମୟରେ ଅସୁସ୍ଥ ଥିବାର ବାହାନା କରିବାରୁ ତାକୁ ପାତ୍ରପୁର ମେଡିକାଲରେ ଚିକିତ୍ସା କରାଯାଇଛି। ଚାଇଲ୍ଡଲାଇନ ଏତଲାକୁ ଭିତ୍ତିକରି ମାମଲା ରୁଜୁ ହୋଇଥିବା ଜରଡା ଥାନା ଅଧିକାରୀ ମୃତ୍ୟୁଞ୍ଜୟ ସ୍ବାଇଁ କହିଛନ୍ତି।