ଘରେ ତାଲା ପକାଇ ତିନିଜଣଙ୍କୁ ଜାଳିଦେଲେ

ବାପା, ଝିଅ ମୃତ; ମା’ ଗୁରୁତର

ପିପିଲି/କଟକ : ଘର ଭିତରେ ଶୋଇଥିଲେ ବାପା, ମାଆ ଓ ଝିଅ। ହେଲେ ଦୁର୍ବୃତ୍ତମାନେ ବାହାରୁ ତାଲା ପକାଇ ଘରେ ନିଆଁ ଲଗାଇ ଦେଲେ। କଲବଲ ହୋଇ ଜିଅନ୍ତା ଜଳିଗଲେ ତିନିଜଣ। ଗାଁ ଲୋକ କବାଟ ଭାଙ୍ଗି ସେମାନଙ୍କୁ ଉଦ୍ଧାର କଲାବେଳକୁ ଅବସ୍ଥା ସଂକଟାପନ୍ନ ହୋଇସାରିଥିଲା। ରାତାରାତି ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲେ ବି ସେଠାରେ ବାପା ଓ ଝିଅଙ୍କ ମୃତ୍ୟୁ ଘଟିଛି। ମା’ କଟକ ବଡ଼ ମେଡିକାଲରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ପିପିଲି ଥାନା ଅନ୍ତର୍ଗତ ହାଟସାହି ପଂଚାୟତ ଦାନଗୋହିର ଗାଁରେ ଶନିବାର ବିଳମ୍ବିତ ରାତିରେ ଘଟିଥିବା ଏହି ଲୋମଟାଙ୍କୁରା ଘଟଣାକୁ ନେଇ ଅଞ୍ଚଳରେ ଆଲୋଡ଼ନ ଖେଳି ଯାଇଛି।

ମୃତକମାନେ ହେଲେ ମହମ୍ମଦ ଅବୁଲ(୬୫) ଏବଂ ତାଙ୍କ ଝିଅ ନାଜୋ ବେଗମ(୧୨)। ମା’ ରହିମା ବିବି(୫୫) ଏସ୍‌ସିବି ବର୍ଣ୍ଣ ୟୁନିଟ୍‌ରେ ସଙ୍କଟାପନ୍ନ ଅବସ୍ଥାରେ ମୃତ୍ୟୁସହ ସଂଗ୍ରାମ କରୁଛନ୍ତି। ଶରୀରର ୯୦ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବା ପ୍ଲାଷ୍ଟିକ୍‌ ସର୍ଜରୀ ମୁଖ୍ୟ ପ୍ରଫେସର ଡାକ୍ତର ଅନ୍ନଦା ପଟ୍ଟନାୟକ ସୂଚନା ଦେଇଛନ୍ତି।

ଏହି ଘଟଣାକୁ ନେଇ ଆଜି ପିପିଲି ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିବାବେଳେ ସ୍ଥାନୀୟ ଲୋକେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ ସହ ପରିବାରକୁ କ୍ଷତିପୂରଣ ଦାବିରେ ପିପିଲି-ଡେଲାଙ୍ଗ ରାସ୍ତାକୁ ପ୍ରାୟ ଅଧଘଣ୍ଟା ଧରି ଅବରୋଧ କରିଥିଲେ। ପୁରୀ ଉପ ଜିଲ୍ଲାପାଳ ମଧୁସୂଦନ ଦାଶ, ପିପିଲି ଥାନା ଅଧିକାରୀ ଶରତ ଚନ୍ଦ୍ର ସାହୁ, ତହସିଲଦାର ଶ୍ରୀଧର ବିଶ୍ୱାଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିି ଲୋକଙ୍କୁ ବୁଝାସୁଝା କରିଥିଲେ। ହତ୍ୟାକାରୀଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେବା ସହ ସରକାରୀ ନିୟମ ଅନୁଯାୟୀ ପରିବାରକୁ କ୍ଷତିପୂରଣ ଦିଆଯିବ ବୋଲି ଉପଜିଲ୍ଲାପାଳ ଶ୍ରୀ ଦାଶ ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ପରେ ଅତିରିକ୍ତ ଏସ୍‌ପି ଜଗନ୍ନାଥ ପ୍ରଧାନ, ଏସ୍‌ଡିିପିଓ ଦିଲ୍ଲୀପ ତ୍ରିପାଠୀ ଓ ପୁରୀରୁ ଫରେନ୍‌ସିକ୍‌ ଟିମ୍‌ ଘଟଣା ସ୍ଥଳକୁ ଯାଇ ତଦନ୍ତ କରି ଫେରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଦାନଗୋହୀର ଗାଁର ମହମ୍ମଦ ଅବୁଲ ସଂଖ୍ୟାଲଘୁ ସମ୍ପ୍ରଦାୟର ଓ ଅତି ଗରିବ। ଗାଁ ମଧ୍ୟରେ ଥିବା ଘରୁ ଆସି ଛକରେ ଥିବା ମସ୍‌ଜିଦ ସମ୍ମୁଖରେ ଏକ ଆଜବେଷ୍ଟସ୍‌ ଘର ନିର୍ମାଣ କରି କିଛିଦିନ ହେବ ସେଠାରେ ରହୁଥିଲେ। ଗାଁ ଘରେ ତାଙ୍କର ଅନ୍ୟ ପୁଅ ଝିଅମାନେ ରହୁଛନ୍ତି। ଶନିବାର ରାତି ପ୍ରାୟ ୧୨ଟା ୪୦ରେ ଦୁର୍ବୃତ୍ତମାନେ ସେ ଶୋଇଥିବା ଆଜବେଷ୍ଟସ ଘର ବାହାରୁ ତାଲା ପକାଇ ଘର ମଧ୍ୟକୁ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ଘର ମଧ୍ୟରେ ଶୋଇଥିବା ଅବୁଲ, ତାଙ୍କ ପତ୍ନୀ ରହିମା ଓ ଝିଅ ନାଜୋ ପୋଡ଼ିଯାଇଥିଲେ । ଘର ବାହାରେ ଥିବା ଏକ ମୋପେଡ୍‌ ଓ ସାଇକେଲ୍‌ ମଧ୍ୟ ଜଳି ଯାଇଥିଲା। ମୋପେଡ୍‌ର ପେଟ୍ରୋଲ ଏହି ନିଆଁକୁ ଆହୁରି ବଢ଼ାଇ ଦେଇଥିଲା।

ଗାଁ ଲୋକଙ୍କଠାରୁ ଖବର ପାଇ ପିପିଲି ଥାନା ଅଧିକାରୀ ଶରତ ସାହୁ ଓ ଅଗ୍ନିଶମ ବାହିନୀ ଘଟଣା ପହଂଚି ଘରମଧ୍ୟରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ତିନିଜଣଙ୍କୁ ଉଦ୍ଧାର କରି ପିପିଲି ହସ୍ପିଟାଲକୁ ପଠାଇଥିଲେ। ସେଠାରୁ ସଙ୍କଟାପନ୍ନ ଅବସ୍ଥାରେ ଏମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅବୁଲ ଓ ଝିଅ ନାଜୋଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ ନେଇ ଉକ୍ତ ଗାଁରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। କିଏ ଓ କାହିଁକି ସେମାନଙ୍କୁ ଏପରି ପୋଡ଼ିଲା ତାହାର ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର