ଚର୍ଚ୍ଚାରେ ବୋହୂର ଷ୍ଟିଙ୍ଗ୍‌ ଅପରେସନ୍‌ : କାମୁକ ଶ୍ବଶୁରଙ୍କୁ ଦୁଷ୍କର୍ମ ଅଭିଯୋଗରେ ବାନ୍ଧିଲା ପୁଲିସ

ପିପିଲି : ଶ୍ବଶୁର ନାଁରେ କଳଙ୍କ। ବୋହୂକୁ ଦେଉଥିଲେ ଯୌନ ନିର୍ଯାତନା। ଥରେ କି ଦୁଇଥର ନୁହେଁ, ଦୀର୍ଘ ୭ ବର୍ଷ ଧରି ନିୟମିତ ଚାଲିଥିଲା ଯୌନ ଶୋଷଣ। ୭୨ ବର୍ଷୀୟ ଶ୍ବଶୁରଙ୍କ ଏଭଳି ଆଚରଣକୁ ପରିବାର କି ପୁଲିସ କେହି ବିଶ୍ବାସ କରୁନଥିଲେ। କିନ୍ତୁ ଶ୍ବଶୁରଙ୍କ ଯୌନ ଉତ୍ପୀଡ଼ନର ଭିଡିଓ ଚିତ୍ର ଲୁକ୍କାୟିତ ଭାବେ ବୋହୂ ନିଜ ମୋବାଇଲ୍‌ରେ ରେକର୍ଡିଂ କରିବା ପରେ କଥା ପଦାକୁ ଆସିଛି। ପୀଡ଼ିତା ବୋହୂଙ୍କ ଲିଖତ ଅଭିଯୋଗ ଏବଂ ଯୌନ ଉତ୍ପୀଡ଼ନର ଭିଡିଓ ଫୁଟେଜ୍‌ ଆଧାରରେ ପୁଲିସ ଅଭିଯୁକ୍ତ ଶ୍ବଶୁର ପଞ୍ଚୁ ମଲ୍ଲିକଙ୍କୁ ଗିରଫ କରିଛି। ପିପିଲି ଥାନା ସାତଶଙ୍ଖ ଅଞ୍ଚଳର ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଅଭିଯୁକ୍ତ ପଞ୍ଚୁ ରେଳ ସୁରକ୍ଷା ବଳ (ଆରପିଏଫ୍‌)ର ଜଣେ ଅବସରପ୍ରାପ୍ତ ସବ୍ଇନସପେକ୍ଟର୍‌ ବୋଲି ଜଣାପଡ଼ିଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୋଗକାରିଣୀ ୨୦୦୩ରେ ସାତଶଙ୍ଖ ଅଞ୍ଚଳରେ ଜଣେ ରେଳ କର୍ମଚାରୀଙ୍କୁ ବିବାହ କରିଥିଲେ। ବିବାହ ପରେ ଅଧିକ ଯୌତୁକ ଦାବି କରି ଶାଶୂଘର ଲୋକେ ତାଙ୍କୁ ନିର୍ଯାତନା ଦେଉଥିଲେ। ଏଥିପାଇଁ ପରିବାରରେ ଅଶାନ୍ତି ଲାଗି ରହିଥିଲା। ପରେ ମହିଳାଙ୍କ ସ୍ବାମୀ ତାଙ୍କୁ ଗାଁରେ ଛାଡ଼ି ଭୁବନେଶ୍ବର ପଳାଇଥିଲେ। ଦୀର୍ଘ ୮ ବର୍ଷ ହେଲା ସ୍ବାମୀ ଘରକୁ ଆସୁନଥିବା ବେଳେ ପତ୍ନୀଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ। ସ୍ବାମୀଙ୍କର ଅନ୍ୟ ଜଣେ ଯୁବତୀ ସହ ସମ୍ପର୍କ ଥିବା ପୀଡ଼ିତା ବୋହୂ ଅଭିଯୋଗ କରିଛନ୍ତି। ତେବେ ୧୨ ବର୍ଷର ପୁଅର ଭବିଷ୍ୟତକୁ ଆଖିରେ ରଖି ସେ ଶ୍ୱଶୁରଙ୍କ ଘରେ ପଡ଼ି ରହିଥିଲେ। ଆଉ ଏହାର ସୁଯୋଗ ନେଇ କାମୁକ ଶ୍ୱଶୁର ବୋହୂକୁ ଯୌନ ନିର୍ଯାତନା ଦେବା ଆରମ୍ଭ କରି ଦେଇଥିଲେ। ବୋହୂ ଗାଧେଇଲାବେଳେ ବାଥରୁମ୍‌ ସ୍କାଏ ଲାଇଟ୍‌ରେ ଡୁଙ୍ଗିବାଠାରୁ ଆରମ୍ଭ କରି ଲୁଗା ବଦଳାଇବା ପର୍ଯ୍ୟନ୍ତ ଶ୍ୱଶୁର ବୋହୂଙ୍କୁ ବାରମ୍ବାର ହରକତ କରୁଥିଲେ। ଏପରିକି କେତେଥର ଟଣାଓଟରା କରି ଦୁଷ୍କର୍ମ ଉଦ୍ୟମ କରିଥିଲେ। ମାତ୍ର ସେ ଏ ନେଇ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପରିବାର ଲୋକ ତାଙ୍କୁ ବିଶ୍ବାସ କରୁ ନ ଥିଲେ। ତେଣୁ ସତକୁ ସାମ୍ନାକୁ ଆଣିବା ପାଇଁ ପ୍ରମାଣ ଯୋଗାଡ଼ କରିବାକୁ ବାଧ୍ୟ ହୋଇ ପୀଡ଼ିତା ନିଜ ମୋବାଇଲରେ ଷ୍ଟିଙ୍ଗ୍ ଅପରେସନ୍‌ କରିଥିଲେ।

ଶେଷରେ ଗତ ୮ତାରିଖରେ ବୋହୂ ଶୋଇବା ଘରେ ଥିବାବେଳେ ଶ୍ୱଶୁର ପଞ୍ଚୁ ପୁଣିଥରେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ, ଯାହା ବୋହୂଙ୍କ ମୋବାଇଲରେ ରେକର୍ଡ଼ ‌‌ହୋଇ ଯାଇଥିଲା। କୌଣସି ପ୍ରକାରେ ସେ ଶ୍ୱଶୁରଙ୍କ କବଳରୁ ଖସି ଆସି ଗଂଜାମ ଜିଲ୍ଲାରେ ପୁଲିସ ଇନ୍‌ସପେକ୍ଟର ଥିବା ତାଙ୍କ ଦିଅରଙ୍କୁ ଫୋନ୍‌ ଯୋଗେ ସବୁକଥା ଜଣାଇଥିଲେ। ମାତ୍ର ସେ ତାଙ୍କୁ ଚୁପ୍‌ ରହିବାକୁ କହିବା ସହ ଧମକ ଦେଇଥିବା ପୀଡ଼ିତା ଅଭିଯୋଗ କରିଛନ୍ତି। ଶେଷରେ ନିରୁପାୟ ହୋଇ ପୀଡ଼ିତା ପିପିଲି ଥାନାର ଦ୍ବାରସ୍ଥ ହୋଇଥିଲେ। ଅଭିଯୁକ୍ତ ବିରୋଧରେ ପ୍ରମାଣ ପାଇବା ପରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଶ୍ୱଶୁରଙ୍କୁ ଗିରଫ କରିଛି। ଆସନ୍ତାକାଲି (ମଙ୍ଗଳବାର) ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯିବ ବୋଲି ପିପିଲି ଥାନା ଆଇଆଇସି ଶରତ କୁମାର ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର