ମେଡିକାଲ ବେଡ଼ରେ ବାପା, ଚେନ୍ନାଇରେ ଫସିଯାଇଛି ପୁଅ, ଭାଇକୁ ବିମାନରେ ଟିକଟ ଖଣ୍ଡେ ଦେବାକୁ ଭଉଣୀର ଆକୁଳ ନିବେଦନ

ଭୁବନେଶ୍ୱର: ମେଡିକାଲ ଆଇସିୟୁରେ ଗୁରୁତର ଅବସ୍ଥାରେ ଭର୍ତ୍ତି ହୋଇଛନ୍ତି ବାପା, ଆଉ ବାପାଙ୍କ ପାଖକୁ ପୁଅ ଆସିବାକୁ ସମସ୍ତ ପ୍ରୟାସ କଲା ପରେ ବି ମିଳିପାରୁନି ଟିକେଟ | ଶେଷରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ପୁଅ ମହେଶ ପ୍ରଧାନ | ଚେନ୍ନାଇରେ ରହୁଥିବା ମହେଶ ପ୍ରଧାନ ଜାଣିବାକୁ ପାଇଥିଲେ ଯେ ତାଙ୍କ ବାପା ଆଜି ଭୋର ୩ଟା ବେଳେ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥିତ ଆମ୍ରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି | ତେବେ ଭୁବନେଶ୍ୱରରେ ନିଜ ବାପା-ମାଙ୍କ ଛଡା ଆଉ କିଏ ବି ନଥିବାରୁ ମହେଶ ଚେନ୍ନାଇରୁ ଭୁବନେଶ୍ୱର ଆସିବାକୁ ସବୁପ୍ରକାର ପ୍ରୟାସ କରିଛନ୍ତି |

କିନ୍ତୁ ବିମାନରେ ଟିକେଟ ଖଣ୍ଡେ ମହେଶଙ୍କୁ ମିଳିପାରିନାହିଁ | କେନ୍ଦ୍ର ସରକାର ଆସନ୍ତା ୨୫ ତାରିଖରୁ ବିମାନ ଉଡାଣ ଉପରେ କଟକଣା ଜାରି କରିଥିବାରୁ ବିମାନ ସେବା ମଧ୍ୟ ପ୍ରଭାବିତ ହୋଇଛି | ଆଉ ଦିନକ ପରେ ବିମାନ ସେବା ବନ୍ଦ ହେବାକୁ ଥିବାବେଳେ ମହେଶ କିଭଳି ଓଡିଶା ଆସିବେ ତାହାକୁ ନେଇ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି |

ଅନ୍ୟପଟେ ମହେଶଙ୍କ ଭଉଣୀ ମନୀଷା ପ୍ରଧାନ ସିଙ୍ଗାପୁରରେ ରହୁଥିବାବେଳେ ତାଙ୍କ ଭାଇ କିଭଳି ଖଣ୍ଡେ ବିମାନ ଟିକଟ ପାଇବେ ଓ ଓଡିଶା ଆସିବେ ସେ ନେଇ ଟ୍ୱିଟ ମଧ୍ୟ କରିଛନ୍ତି | ଚେନ୍ନାଇରୁ ଭୁବନେଶ୍ୱରକୁ ଆସିବାକୁ ଥିବା ବିମାନରେ ଖଣ୍ଡେ ସିଟ ପାଇଁ ଆକୁଳ ନିବେଦନ କରିଛନ୍ତି ଉଭୟ ମନୀଷା ଓ ମହେଶ |

ସମ୍ବନ୍ଧିତ ଖବର