କେନ୍ଦୁଝର : ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା

କେନ୍ଦୁଝର : ଘରୋଇ କଳିକୁ କେନ୍ଦ୍ରକରି ଜନ୍ମକଲା ବାପ ତାର ପୁଅକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଅନ୍ତର୍ଗତ ଲୁଣଘର ଗ୍ରାମରେ। ମୃତକ ଜଣଙ୍କ ହେଲେ ଘନ ମୁଣ୍ଡା (୨୨)। ଅଭିଯୁକ୍ତ ବାପା ଚେରାଙ୍ଗ ମୁଣ୍ଡା (୪୫) ଫେରାର୍‌ ହୋଇଯାଇଛି। ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ଟା ବେଳେ ଲୁଣଘର ଗ୍ରାମର ଚେରାଙ୍ଗ ଓ ପୁଅ ଘନ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା। ଉତ୍ତ୍ୟକ୍ତ ଚେରାଙ୍ଗ ହିତାହିତଜ୍ଞାନ ଭୁଲି ଘରେ ଥିବା ଏକ ଟାଙ୍ଗିଆରେ ଘନର ମୁଣ୍ଡକୁ ହାଣି ଦେଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତଳେ ପଡ଼ି ଘନ ଛଟପଟ ହୋଇଥିଲା। ବାପା ପୁଅର ଅବସ୍ଥା ଦେଖି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ପରିବାର ଲୋକେ ଘନକୁ ରାତି ପ୍ରାୟ ଗୋଟିଏ ବେଳେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଆଜି ଅପରାହ୍‌ଣ ପ୍ରାୟ ୪ଟା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଏନେଇ ଚେରାଙ୍ଗର ସାନଭାଇ ବାବୁଲା ମୁଣ୍ଡା ସଦର ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର