ମାଛ ମାରିବାକୁ ଯାଇଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବାପ-ପୁଅ ମୃତ

 ବୀରମହାରାଜପୁର : ମାଛ ମାରିବାକୁ ଯିବା ହେଲା କାଳ । ବିଦ୍ୟୁତ୍‌ ତାର ସସ୍ପର୍ଶରେ ଆସି ବାପ-ପୁଅ ମୃତ୍ୟୁବରଣ କରିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇ ଜିଲ୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣା ପଡ଼ିଛି । ଏ ନେଇ ସୁବଳିଆ ଥାନା ପୁଲିସ ଅଧିକାରୀ ପ୍ରଦୀପ ପ୍ରଧାନଙ୍କୁ ସୂଚନା ମିଳିବା ପରେ ସେ ଘଟଣା ସ୍ଥଳରେ ପହଞ୍ଚିବେ ବୋଲି ସୂଚନା ମିଳିଛି । ମୃତକମାନେ ସହଦେବ ସାହୁ(୫୭) ଓ ଦେବାନନ୍ଦ ସାହୁ(୩୩)ବୋଲି ଚିହ୍ନଟ କରାଯାଇଛି । ତେବେ ବିଦ୍ୟୁତ୍‌ ସସ୍ପର୍ଶରେ ଆସି ମୃତ୍ୟୁବରଣ କରିବା ପରେ କେହି ଜଣେ ମୃତଦେହକୁ ନେଇ ପାଖରେ ଥିବା ନାଳରେ ଫିଙ୍ଗି ଦେଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି । ।

ମିଳିଥିବା ସୂଚନା ମୁତାବକ, ଗତକାଲି ରାତିରେ ପିତାମହଲ ଗ୍ରାମର ସହଦେବ ସାହୁ ତାଙ୍କର ଦୁଇ ପୁଅ ଦେବାନନ୍ଦ ସାହୁ ଓ ଅରୁପାନନ୍ଦ ସାହୁଙ୍କ ସହ ମିଶି ମାଛ ଧରିବାକୁ ଯାଇଥଲେ । ଏହି ସମୟରେ ୨ରୁ ୩କିଲୋମିଟର ପର୍ଯ୍ୟନ୍ତ ବିଛା ଯାଇଥିବା ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ୩ଜଣ ଆସିବାରୁ ଘଟଣାସ୍ଥଳରେ ସହଦେବ ସାହୁ ଓ ତାଙ୍କ ପୁଅ ଦେବାନନ୍ଦ ସାହୁଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ଅବସ୍ଥାରେ ଅରୁପାନନ୍ଦ ସାହୁ ନିଜ ଘରକୁ ଯାଇ ପୂରା ଘଟଣା ଜଣାଇବା ପରେ ପରିବାର ଲୋକେ ଘଟଣା ବିଷୟରେ ଜାଣିଥିଲେ । ଆରୁପାନନ୍ଦଙ୍କ ଅବସ୍ଥା ଦେଖି ତାଙ୍କୁ ତୁରନ୍ତ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ କିଏ ଏବଂ କ’ଣ ପାଇଁ ବିଦ୍ୟୁତ୍‌ ତାର ବିଛାଇଥିଲା, ତାହା ସ୍ପଷ୍ଟ ହୋଇ ପାରି ନାହିଁ । ରାତି ପ୍ରାୟ ୯ଟା ୫୦ମିନିଟ୍‌ରେ ବିଦ୍ୟୁତ୍‌ ଟ୍ରିପ୍‌ ହୋଇଥିବା ନେଇ ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଦୀପକ କର୍ଣ୍ଣ କହୁଥିବା ବେଳେ ଘଟଣାଟି ସେହି ସମୟରେ ଘଟିଥିବା ନେଇ ସନ୍ଦେହ କରାଯାଉଛି ।

ସମ୍ବନ୍ଧିତ ଖବର