ଡରାଇଲାଣି ଅକ୍ଟୋବର ମାସ

ଭୁବନେଶ୍ବର : ଓଡ଼ିଶାକୁ ଡରାଇଲାଣି ଅକ୍ଟୋବର ମାସ। ପ୍ରତିବର୍ଷ ଅକ୍ଟୋବର ମାସରେ ବଙ୍ଗୋପ ସାଗରରେ ଛୋଟ ହେଉ ବା ବଡ଼ ବାତ୍ୟା ମାଡ଼ି ଆସୁଛି। ୧୯୯୯ ମସିହାର ମହାବାତ୍ୟା ହେଉ ବା ୨୦୧୪ ମସିହାରେ ହୁଡ୍‌ହୁଡ୍‌। ଗତ ୩ଶହ ବର୍ଷର ଇତିହାସ ଓଡ଼ିଶାବାସୀଙ୍କ ପାଇଁ ଏଭଳି ବାତ୍ୟା କାହାଣୀ ବୟାନ କରୁଛି।

ଇତିହାସ ପୃଷ୍ଠାକୁ ଓଲଟାଇଲେ ଜଣାପଡ଼େ ଯେ, ୧୭୩୭ ମସିହା ଅକ୍ଟୋବର ୭-୧୨ତାରିଖରେ ମହାବାତ୍ୟା ହୋଇଥିଲା। ଏହାର ୯୪ବର୍ଷ ପରେ ୧୮୩୧ ମସିହା ଅକ୍ଟୋବର ୩୧ତାରିଖରେ ମଧ୍ୟ ବାତ୍ୟା ହୋଇଥିଲା। ଏହାର ୩୩ବର୍ଷ ପରେ ପୁଣି ସେହି ଅକ୍ଟୋବର ମାସ ୨-୫ତାରିଖ ମଧ୍ୟରେ ବାତ୍ୟା ଆସିଥିଲା ଓଡ଼ିଶାକୁ। ସ୍ବାଧୀନତା ପୂର୍ବର ଇତିହାସ ମଧ୍ୟ ସମାନ କାହାଣୀ ବୟାନ କରୁଛି। ୧୯୪୨ ମସିହା ଅକ୍ଟୋବର ୧୪-୧୬ତାରିଖରେ ବାତ୍ୟା ହୋଇଥିଲା ଓଡ଼ିଶାରେ। ୧୯୬୭ ମସିହା ଅକ୍ଟୋବର ୮-୧୧ତାରିଖ ମଧ୍ୟରେ ଓଡ଼ିଶାରେ ମାଡ଼ ହୋଇଥିଲା ବାତ୍ୟା। ସେହିପରି ୧୯୭୧ ମସିହା ଅକ୍ଟୋବର ୨୬-୩୦ତାରିଖ ମଧ୍ୟରେ ଓଡ଼ିଶାରେ ବାତ୍ୟା ଆସିଥିଲା।

ତେବେ ୧୯୯୯ ମସିହାରେ ହୋଇଥିବା ମହାବାତ୍ୟା ଓଡ଼ିଶାକୁ ଦୋହଲାଇ ଦେଇଥିଲା। ଅକ୍ଟୋବର ମାସ ୨୫-୩୧ତାରିଖ ଭିତରେ ଏହି ମହାବାତ୍ୟା ଓଡ଼ିଶାକୁ ଏକପ୍ରକାର କବଳିତ କରି ରଖିଥିଲା। ଯଦିଓ ଏହି ମହାବାତ୍ୟାର କୌଣସି ନାମକରଣ ହୋଇନାହିଁ ତଥାପି ଏହି ତାରିଖ ଶୁଣିବା ମାତ୍ରେ ଲୋକଙ୍କ ମନରେ ଏକପ୍ରକାର ଭୟର ସଂଚାର କରିଥାଏ। ପବନର ବେଗ ଘଣ୍ଟାକୁ ୨୬୦ କିଲୋମିଟର ଥିଲା। ଏହି ମହାବାତ୍ୟାରେ ୧୦ ହଜାର ଲୋକ ପ୍ରାଣ ହରାଇଥିଲେ। ୧୯୯୯ ମସିହା ପରବର୍ତୀ ସମୟରେ ଓଡ଼ିଶାରେ ବଡ଼ ଧରଣର ବାତ୍ୟା କିମ୍ବା ମହାବାତ୍ୟା ଦେଖିବାକୁ ମିଳି ନ ଥିଲା। ତେବେ ୨୦୧୩ ମସିହା ଅକ୍ଟୋବର ମାସ ୧୨-୧୫ତାରିଖରେ ବାତ୍ୟା ‘ଫାଇଲିନ୍’ ମାଡ଼ ହୋଇଥିଲା ଓଡ଼ିଶାରେ। ପବନର ବେଗ ଥିଲା ଘଣ୍ଟାକୁ ୨୦୦ କି‌େଲାମିଟର। ଏହାର ପରବର୍ଷ ଅର୍ଥାତ୍ ୨୦୧୪ ମସିହା ୧୩ ଅକ୍ଟୋବରରେ ଓଡ଼ିଶାରେ ବାତ୍ୟା ‘ହୁଡ୍‌ହୁଡ୍‌’ ଆସିଥିଲା। ଏହାର ବେଗ ଥିଲା ଘଣ୍ଟାକୁ ୧୮୫ କିଲୋମିଟର। ୧୯୯୯ ମସିହା ମହାବାତ୍ୟାରୁ ଶିକ୍ଷାଲାଭ କରିଥିବା ଓଡ଼ିଶାରେ ଫାଇଲିନ୍ କିମ୍ବା ହୁଡ୍‌ହୁଡ୍‌ରେ ଅଧିକ କ୍ଷୟକ୍ଷତି ହୋଇନଥିଲା।

ସମ୍ବନ୍ଧିତ ଖବର