ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଫି’ ନେଇ ବଢ଼ିଲା ଚିନ୍ତା : ଲଗାମ ଲଗାଇବେ ସରକାର

ଧାର୍ଯ୍ୟ ହେବ ଫି’, ଅଧିକ ନେଲେ କାର୍ଯ୍ୟାନୁଷ୍ଠାନ, ଜୁନ୍‌ ୧୫ ସୁଦ୍ଧା ରିପୋର୍ଟ ଦେବ ୮ ଜଣିଆ କମିଟି

ଭୁବନେଶ୍ୱର : ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକ ଉପରେ ଲାଗିବ ଲଗାମ। ସ୍କୁଲ କର୍ତୃପକ୍ଷ ଆଉ ମନଇଚ୍ଛା ଫି’ ବୃଦ୍ଧି କରିପାରିବେ ନାହିଁ କି ଜୋର ଜବରଦସ୍ତ ପିଲାଙ୍କଠାରୁ ଫି’ ନେଇପାରିବେନି। କିଛି ବର୍ଷ ହେଲା ବିଦ୍ୟାଳୟ କର୍ତୃପକ୍ଷଙ୍କ ମନମୁଖୀ ଫି’ ବୃଦ୍ଧି ଓ ଆଦାୟ କରୁଥିବାରୁ ଛାତ୍ରଛାତ୍ରୀ, ଅଭିଭାବକଙ୍କ ଉପରେ ତାହାର ପ୍ରଭାବ ପଡ଼ୁଥିଲା। ବିଭିନ୍ନ ମହଲରେ ବିରୋଧ କରାଯିବା ପରେ ଏବେ ସରକାରଙ୍କ ନିଦ ଭାଙ୍ଗିଛି। ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ଆଦାୟ କରାଯାଉଥିବା ଫି’ ବୃଦ୍ଧି ନିୟନ୍ତ୍ରଣ କରିବାକୁ ନିଷ୍ପତ୍ତି ହୋଇଛି।

ଏହା ଉପରେ ଅଧିକ ତର୍ଜମା, ବିଚାର ବମର୍ଶ କରି ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ୮ ଜଣିଆ କମିଟି ଗଠନ କରାଯାଇଛି। ଇତି ମଧ୍ୟରେ ଉକ୍ତ କମିଟିର ଦୁଇଟି ବୈଠକ ଶେଷ ହୋଇଛି। କିଛି ଦିନ ତଳେ ହୋଇଥିବା ଦ୍ୱିତୀୟ ବୈଠକରେ ଏସମ୍ପର୍କରେ ଅଭିଭାବକ, ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକର ପରିଚାଳନା କର୍ତୃପକ୍ଷ, ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କଠାରୁ ମତାମତ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ପ୍ରସ୍ତାବ ଗ୍ରହଣ ଲାଗି ବି ଆହ୍ଵାନ କରାଯାଇଛି। ଉପରୋକ୍ତ ବ୍ୟକ୍ତିବିଶେଷମାନେ ତାଙ୍କର ମତାମତ/ପ୍ରସ୍ତାବ ଡିଏସ୍‌ଇ ଇ-ମେଲ୍‌ ([email protected]/[email protected]) ମାଧ୍ୟମରେ ପଠାଇପାରିବେ। ମେ’ ୨୫ ସୁଦ୍ଧା ତାହା ପହଞ୍ଚିବା ଆବଶ୍ୟକ। ଏହାପରେ ଉକ୍ତ କମିଟି ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା ଓ ବିଚାରବିମର୍ଶ କରିବ ବୋଲି ମାଧ୍ୟମିକ ଶିକ୍ଷା ନିର୍ଦେଶକ ବିଭୁ ପ୍ରସାଦ ଷଡ଼ଙ୍ଗୀ କହିଛନ୍ତି।

୨୦୧୮-୧୯ ଶିକ୍ଷାବର୍ଷ ପାଇଁ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକରେ ନାମଲେଖା ଇତି ମଧ୍ୟରେ ଶେଷ ହୋଇଛି। ଅଭିଭାବକମାନେ ଅଧିକ ଫି’ ଦେଇ ସେମାନଙ୍କ ପିଲାଙ୍କ ନାମ ଲେଖାଇଛନ୍ତି। ଭୁବନେଶ୍ୱର ସମେତ କଟକ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, ବାଲେଶ୍ୱର ପରି ସହରରେ ଥିବା ବଡ଼ ବଡ଼ ବିଦ୍ୟାଳୟ ଗତବର୍ଷ ତୁଳନାରେ ଏଥର ୧୫ରୁ ୨୦ ପ୍ରତିଶତ ଫି’ ବୃଦ୍ଧି କରିଛନ୍ତି। ଏପରିକି ଏଲ୍‌କେଜିରେ ନାମଲେଖା ପାଇଁ ପିଲାଙ୍କ ପିଛା ଲକ୍ଷାଧିକ ଟଙ୍କା ନେଇଛନ୍ତି। ଛୋଟ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ମଧ୍ୟ ୮ରୁ ୧୦% ଫି’ ବଢ଼ାଇ ନାମଲେଖା କରାଇଛନ୍ତି। ବିଦ୍ୟାଳୟଗୁଡ଼ିକ ପ୍ରତିବର୍ଷ ଫି’ ବଢ଼ାଉଥିବାରୁ ଏହାକୁ ନେଇ କେତେକ ସ୍ଥାନରେ ଅଭିଭାବକ ସ୍ୱର ଉଠାଇବା ସହ ଆଇନର ଆଶ୍ରୟ ନେଇଥିଲେ।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକୁ ବିଭକ୍ତ କରାଯାଇ ଫି’ ଧାର୍ଯ୍ୟ ହେବ। ବଡ଼ ବଡ଼ ସ୍କୁଲ ଲାଗି ଗୋଟିଏ ନିର୍ଦ୍ଧିଷ୍ଟ ଫି’ ଧାର୍ଯ୍ୟ ହେବାକୁ ଥିବା ବେଳେ ମଧ୍ୟମ ଓ ଛୋଟ ବିଦ୍ୟାଳୟଗୁଡ଼ିକ ପାଇଁ ମଧ୍ୟ ଅଲଗା ଫି’ ରହିବ। ଧାର୍ଯ୍ୟ ଫି’ଠାରୁ ଅଧିକ ଅର୍ଥ କେହି ବି ନେଇପାରିବେ ନାହିଁ। ଯଦି କୌଣସି ବିଦ୍ୟାଳୟ ଅଧିକ ଫି’ ଆଦାୟ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। କେତେ ବର୍ଷ ଅନ୍ତରରେ ଫି’ ବଢ଼ିବ? କେତେ ଟଙ୍କା ବୃଦ୍ଧି କରାଯିବ? ଏଭଳି ବିଭିନ୍ନ ବିଷୟ ଉପରେ ବି ଗୁରୁତ୍ୱ ଦିଆଯିବ। ଚଳିତ ଶିକ୍ଷାବର୍ଷରେ ଧାର୍ଯ୍ୟ ଫି’ ବ୍ୟବସ୍ଥା ଲାଗୁ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି।

ଓଡ଼ିଶା ଅଭିଭାବକ ମହାସଂଘର ଅଧ୍ୟକ୍ଷ ସୁଦର୍ଶନ ଦାଶ କହିଛନ୍ତି ଯେ, କମିଟି ପକ୍ଷରୁ ସମସ୍ତଙ୍କଠାରୁ ମତାମତ ନିଆଯାଉଛି। ମତାମତ ମିଳିବା ପରେ ଜୁନ୍‌ ୧୫ ସୁଦ୍ଧା ଫି’ ନିର୍ଧାରଣ କରି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯିବ। ସୁପ୍ରିମକୋର୍ଟ ଓ ଅନ୍ୟ ରାଜ୍ୟର କୋର୍ଟଙ୍କ ରାୟ ବି ତର୍ଜମା ହେବ। ଷ୍ଟାଣ୍ଡାର୍ଡ ଭିତ୍ତିରେ କେତେ ପ୍ରତିଶତ ବଢ଼ିବ ତାହା ନିର୍ଧାରଣ କରାଯିବ। ଏହାଦ୍ୱାରା ବିଦ୍ୟାଳୟଗୁଡ଼ିକ ଉପରେ ଲଗାମ ଲଗାଯାଇ ପାରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର