‘ବିଫଳତାକୁ ଆହ୍ଵାନ ରୂପେ ଗ୍ରହଣ କର’

ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା

0 92

ରାୟଗଡ଼ା : ଭଲ କାମ କରି ମଧ୍ୟ ଅନେକ ସମୟରେ ବିଫଳତାର ମୁହଁ ଦେଖିବାକୁ ପଡେ। ତେବେ ଏଥିରେ ନିରୁତ୍ସାହିତ ନହୋଇ ଏହାକୁ ଆହ୍ଵାନ ରୂପେ ଗ୍ରହଣ କରିବା ଦରକାର। ରକ୍ତଦାନ ଅଭିଯାନ ଆରମ୍ଭ କରିବା ପୂର୍ବରୁ ମୋତେ ମଧ୍ୟ ବହୁ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା। ଯଦି ଏହାକୁ ସେତେବେଳେ ବିଫଳତା ବୋଲି ଧରି ନେଇଥାନ୍ତି, ଆଜି ଏତେ ବଡ ସଫଳତା କଦାପି ମିଳି ନଥାନ୍ତା। ସବୁବେଳେ ବିଫଳତା ମଧ୍ୟରେ ହିଁ ସଫଳତାକୁ ଖୋଜିବାକୁ ଚେଷ୍ଟାକର। ଏମିତି ଆହ୍ଵାନ ଦେଇଛନ୍ତି ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟ ରଂଜନ ପଟ୍ଟନାୟକ।

ଆଜି ରାୟଗଡା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ‘ସମ୍ବାଦ’ ସାହିତ୍ୟ ଘର ପକ୍ଷରୁ ସାଂସଦ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହାର ଉତ୍ତରରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ, ପ୍ରଶଂସା ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ପ୍ରଶଂସାର ବୋଝକୁ ସମ୍ଭାଳିବା ଅତ୍ୟନ୍ତ କଷ୍ଟକର। ତେଣୁ ପ୍ରଶଂସିତ ହୋଇ ନିଜ ଦାୟିତ୍ୱକୁ ଭୁଲି ନଯାଇ ଶକ୍ତି ଓ ସାମର୍ଥ୍ୟକୁ ଉପଯୋଗ କରିବାକୁ ହେବ। ଜୀବନରେ ପ୍ରତିଟି ସୋପାନରେ ବହୁ ପ୍ରତିବନ୍ଧକ ସ୍ୱରୂପ ଆହ୍ଵାନକୁ ସ୍ୱୀକାର କରି ଆଗକୁ ବଢିଲେ ସଫଳତା ନିଶ୍ଚିତ ମିଳିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଏହି ସମ୍ବର୍ଧନା ସଭାରେ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଜିଲ୍ଲାପାଳ ଗୁହାପୁନମ ତାପସ କୁମାର କହିଥିଲେ ଯେ ସାଂସଦ ଶ୍ରୀ ପଟ୍ଟନାୟକ ବହୁମୁଖୀ ପ୍ରତିଭାର ଅଧିକାରୀ। ତାଙ୍କ ପ୍ରଚେଷ୍ଟା ଯୋଗୁଁ ବହୁ ସମାଜିକ ସଚେତନତା ଅଭିଯାନ ଆରମ୍ଭ ହୋଇଛି। ଅନ୍ୟତମ ସମ୍ମାନିତ ଅତିଥି ଉପଜିଲ୍ଲାପାଳ ପ୍ରବୀର କୁମାର ନାୟକ, ନିମନ୍ତ୍ରିତ ବକ୍ତା ଅବସରପ୍ରାପ୍ତ ପ୍ରଧ୍ୟାପକ ଡ଼. ଦୁଷ୍ମନ୍ତ ମହାନ୍ତି, ବିଶିଷ୍ଟ ନାଟ୍ୟକାର ଡ଼. ନରେନ୍ଦ୍ର ମିଶ୍ର ଏବଂ ଆଦର୍ଶ ସ୍ନାତକ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ତଥା କେନ୍ଦ୍ର ସାହିତ୍ୟ ଏକାଡ଼େମି ସଦସ୍ୟ ଡ଼. ଶ୍ୟାମ ଭୋଇ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦେଇ ସାଂସଦ ଶ୍ରୀ ପଟ୍ଟନାୟକଙ୍କୁ ଜଣେ ସ୍ୱାଭିମାନୀ , ସ୍ୱାଧୀନ ଚେତା ତଥା ଓଡ଼ିଆ ଭାଷା ସାହିତ୍ୟର ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସମର୍ପିତ ବ୍ୟକ୍ତିତ୍ୱ ଭାବେ ବର୍ଣ୍ଣନା କରିଥିଲେ। ‘ସମ୍ବାଦ’ ସାହିତ୍ୟ ଘର ପକ୍ଷରୁ ଶ୍ରୀ ପଟ୍ଟନାୟକଙ୍କୁ ଉପଢୌକନ, ପୁଷ୍ପଗୁଚ୍ଛ ଓ ମାନପତ୍ର ପ୍ରଦାନ କରି ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିବା ବେଳେ କବି ଡ଼ମ୍ବରୁଧର ପଟ୍ଟନାୟକ ମାନପତ୍ର ପାଠ କରିଥିଲେ। କବି ସୁଶାନ୍ତ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସମ୍ବର୍ଧନା ଉତ୍ସବରେ କବି ଆଶୁତୋଷ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

7 + 20 =