କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କୁ ସମ୍ବର୍ଦ୍ଧନା : ‘ଓଡ଼ିଶାରେ ପରିବର୍ତ୍ତନ ଆବଶ୍ୟକ’

କହୁ କହୁ କହିଦେଲେ... ଓଡ଼ିଶାରେ ବିଜେଡି-ବିଜେପି ସରକାର ହେଇଯାଉ

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ‘ବିଜେଡି-ବିଜେପି ସରକାର ହେଇଯାଉ…’ ନାରା ଆଜି ଚର୍ଚ୍ଚାର ବିଷୟ ହୋଇଛି। ବୈଜୟନ୍ତ ବିଜେଡ଼ି ତ୍ୟାଗ କରିବା ପରଠାରୁ ଓଡ଼ିଶା ବୁଲି ଚାଏ ପେ ଚର୍ଚ୍ଚା ନାମରେ ‘ହେଇଯାଉ ଖଟି’ କାର୍ଯ୍ୟକ୍ରମ କରିଥିଲେ। ଆଜି ସମାବେଶରେ ଦର୍ଶକଙ୍କଠାରୁ ସମର୍ଥନର ନାରା ‘ହେଇଯାଉ’ ଶୁଣିବାକୁ ଚାହିଁଥିଲେ। ଭାଷଣ ମଝିରେ ବୈଜୟନ୍ତ ହଠାତ କହିଥିଲେ ଓଡ଼ିଶାରେ ‘ବିଜେଡ଼ି-ବିଜେପି ସରକାର ହେଇଯାଉ’.. ମାଇକ୍ରୋଫୋନ୍ ଦର୍ଶକଙ୍କ ଆଡ଼କୁ ବଢାଇବା ମାତ୍ରେ ଏକା ସ୍ବରରେ ସମସ୍ତେ କହିଲେ ହେଇଯାଉ। ଦୁଇଥର ଏମିତି ନାରା ଦେବା ପରେ ତାହାକୁ ସଂଶୋଧନ କରି ‘ବିଜେପି ସରକାର ହେଇଯାଉ’ ବୋଲି ନାରା ଦେଇଥିଲେ। ସେହିପରି ପ୍ରଭୁ ବଳଦେବଜିଉଙ୍କ ପୀଠରେ ସମ୍ବର୍ଦ୍ଧିତ ହୋଇଥିବା ବେଳେ ଭାଷଣରେ ବଳଦେବଜିଉଙ୍କ ନାମ ନ ନେଇ ‘ଜୟ ଜଗନ୍ନାଥ’ ବୋଲି କହିବାରୁ ସଭାରେ ଚର୍ଚ୍ଚାର ବିଷୟ ହୋଇଥିଲା।

ବିଜେପିରେ ଯୋଗ ଦେବା ପରେ ଆଜି ବୈଜୟନ୍ତଙ୍କୁ ସମ୍ବର୍ଦ୍ଧନା ଦେବା ଉଦ୍ଦେଶ୍ୟରେ ତୁଳସୀ କ୍ଷେତ୍ର ଶ୍ରୀବଳଦେବଜିଉ ରଥଦାଣ୍ତର ମାଉସୀମା’ ମନ୍ଦିର ସମ୍ମୁଖରେ ଏକ ସମାବେଶ ଆୟୋଜନ କରାଯାଇଥିଲା। ଏହି ସମାବେଶକୁ ସମ୍ବୋଧିତ କରି ବୈଜୟନ୍ତ ବିଜେଡି ସରକାର ଉପରେ ବଷିର୍ଥିଲେ। ଓଡ଼ିଶାର ବିକାଶ ଓ କେନ୍ଦ୍ରାପଡ଼ାର ବିକାଶ କାମରେ ତାଙ୍କୁ ରୋକାଯିବାରୁ ସେ ଦୀର୍ଘ ୨୨ ବର୍ଷର ସମ୍ପର୍କ ଛିନ୍ନ କଲେ ବୋଲି କହିଥିଲେ। ଓଡ଼ିଶାରେ ପରିବର୍ତ୍ତନ ଆବଶ୍ୟକ। ରାଜ୍ୟ ସରକାରକୁ ବଦଳାଇ ଏଠାରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପି ସରକାର ପ୍ରତିଷ୍ଠା କରିବାକୁ ପଡ଼ିବ। ଏ ଦିଗରେ କେନ୍ଦ୍ରାପଡ଼ା ଜିଲ୍ଲାବାସୀ ତଥା ଓଡ଼ିଶାବାସୀଙ୍କ ଆଶୀର୍ବାଦ ଲୋଡା ବୋଲି କହିଥିଲେ ବୈଜୟନ୍ତ।

ରାଜ୍ୟ ସରକାରକୁ ସେ ଦୁର୍ନୀତି, ଭ୍ରଷ୍ଟାଚାରୀ ବୋଲି କହି ସମାଲୋଚନା କରିବା ସହ ଓଡ଼ିଶା ସାରା ବୁଲି ମତାମତ ଲୋଡ଼ିବା ବେଳେ ତାଙ୍କୁ ଲୋକ ମୋଦୀଙ୍କ ନେତୃତ୍ବରେ ବିଜେପି ସରକାର ଉପରେ ଆସ୍ଥା ଦେଖାଇଥିବା କହିଥିଲେ। ବୈଜୟନ୍ତ କହିଥିଲେ ଯେ, ମାହାଙ୍ଗାରେ ପାଣିଟାଙ୍କି ଉଦ୍‌ଘାଟନ ବେଳେ ପିସି ନ ଦେବାରୁ ତାଙ୍କ ଉପରେ ଅଣ୍ତାମାଡ଼, ଟମାଟୋ ମାଡ଼ କରାଗଲା। ଭଂଗାରୁଜା କରାଗଲା। କେନ୍ଦ୍ରାପଡ଼ାରେ ବହୁ ପ୍ରକଳ୍ପକୁ ଅଟକାଇ ଦିଆଗଲା। ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପାଳନ କରାଗଲା ନାହିଁ ବୋଲି ସେ ଅଭିଯୋଗ କରିଥିଲେ। ପିସି ପାଇଁ କୌଣସି କାମ ନ ଅଟକାଇ ବିକାଶ କରିବାକୁ ପଡ଼ିବ ବୋଲି ସେ କହିଥିଲେ।

ଜିଲ୍ଲା ବିଜେପି ସଭାପତି ଦୁର୍ଯ୍ୟୋଧନ ସାହୁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା, ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ଅଲେଖ ଜେନା, ଅଶୋକ ତ୍ରିପାଠୀ, ଉମାକାନ୍ତ ପଟ୍ଟନାୟକ, ସୁନାକର ବେହେରା, ବିଷ୍ଣୁ ଦାସ, କଳ୍ପନା ମଲ୍ଲିକ, ମହମ୍ମଦ ସଲିମ୍ ଖାଁ, ଜିଲ୍ଲା ସମ୍ପାଦିକା ଗୀତା ସେଠୀ, ଉର୍ମିଳା ସେଠୀ, କୃଷକ ମୋର୍ଚା ସଭାପତି ପବିତ୍ର ପରିଡ଼ା, ଭୁବନ ମୋହନ ସିଂହ, ନେହେରୁ ସାହୁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ। ଏହି ଅବସରରେ ବିଜେଡ଼ି ଓ କଂଗ୍ରେସ୍‌ ଛାଡ଼ିଥିବା ୩୫ ଜଣ ସଦସ୍ୟ ବିଜେପିରେ ଯୋଗ ଦେଇଥିବା ଘୋଷଣା କରିଥିଲେ ଜିଲ୍ଲା ସଭାପତି ସାହୁ। ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ା ଅସୁସ୍ଥତା କାରଣରୁ ସଭାରେ ଯୋଗ ଦେଇ ପାରି ନ ଥିଲେ।

ସମ୍ବନ୍ଧିତ ଖବର