ସିନ୍ଧିପଦରରେ ଆତଙ୍କ : ଅଜଣା ଜ୍ୱରରେ ୫ ମୃତ, ୧୪ ଆକ୍ରାନ୍ତ

ଭବାନୀପାଟଣା/ଥୁଆମୂଳ ରାମପୁର : କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ସିନ୍ଧିପଦର ପଞ୍ଚାୟତ ଅଜଣା ଜ୍ବର ବ୍ୟାପିବାରେ ଲାଗିଛି। ଏଥିରେ ୨ ସପ୍ତାହ ମଧ୍ୟରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ୧୪ ଜଣ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସ୍ବାମୀ ଓ ପୁଅକୁ ହରାଇ ଶାନ୍ତି ମାଝୀ ନାମକ ମହିଳା ଚିନ୍ତାରେ ଥିବାବେଳେ ତାଙ୍କ ଝିଅ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି।

ସୂଚନା ମୁତାବକ, ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ସିନ୍ଧିପଦର ପଞ୍ଚାୟତର କାଞ୍ଜିଗୁଡା ଗାଁରେ ଗତ କିଛିଦିନ ତଳେ ଅଜଣା ଜ୍ବରରେ ଆକ୍ରାନ୍ତ ହୋଇ ଶାନ୍ତିସୀତା ମାଝୀ (୪୩)ଙ୍କ ମୃତ୍ୟୁ ହୋଇଥିଲା। ଶାନ୍ତିସୀତାଙ୍କ ମୃତ୍ୟୁର ତିନିଦିନ ପରେ ତାଙ୍କ ପୁଅ ଆନ୍ଧାରସିଂ ମାଝୀ(୧୬)ଙ୍କ ମୃତ୍ୟୁ ହୋଇଥିଲା। ସେହିଭଳି କାଞ୍ଜିଗୁଡା ଗାଁର ମେଲନସିଂ ମାଝୀ(୪୨)ଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଏହି ଜ୍ବରରେ ସିନ୍ଧିପଦର ଗ୍ରାମର ଦିଗସନ ମାଝୀଙ୍କ ମୃତ୍ୟୁ ଘଟିଛି। ଦିଗସନଙ୍କ ମୃତ୍ୟୁର ତିନିଦିନ ପରେ ଗତ ରବିବାର ତାଙ୍କ ଭାଇ ଲକ୍ଷ୍ମୀଧର ମାଝୀଙ୍କ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଗ୍ରାମର ୧୪ ଜଣ ଅଜଣା ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି। ଆଜି ଥୁଆମୂଳ ରାମପୁର ଡାକ୍ତରଖାନାର ଡାକ୍ତର ଅବିନାଶ ରଥଙ୍କ ନେତୃତ୍ବରେ ଏକ ଡାକ୍ତରୀ ଟିମ୍ ଗାଁରେ ପହଞ୍ଚି ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ। ।

ସମ୍ବନ୍ଧିତ ଖବର