ଷ୍ଟେସନ ନାମକରଣକୁ ନେଇ ବିବାଦ, ବିଛୁପାଲି-ଭଇଁଷାପାଲି ଗ୍ରାମବାସୀ ମୁହାଁମୁହିଁ

ବଲାଙ୍ଗୀର: ବଲାଙ୍ଗୀର–ଖୋର୍ଦ୍ଧା ରେଳ ପ୍ରକଳ୍ପରେ ଷ୍ଟେସନ ନାମକରଣକୁ ନେଇ ଉପୁଜିଥିବା ବିବାଦ ବୁଧବାର ଉତ୍ତେଜନାର ରୂପ ନେଇଛି। ପ୍ରଶାସନିକ ଅନୁସନ୍ଧାନ ପରେ ଷ୍ଟେସନଟି ବିଛୁପାଲି ମୌଜାରେ ଥିବା ଜଣାପଡ଼ିବା ପରେ ଷ୍ଟେସନର ନାମକରଣ ବିଛୁପାଲି କରାଯାଇଛି। ଏହାକୁ ଭଇଁଷାପାଲିବାସୀ ବିରୋଧ କରିଛନ୍ତି। ବୁଧବାର ସକାଳ ୯ଟାରେ ଭଇଁଷାପାଲି ଗ୍ରାମବାସୀ ଏକ ଶୋଭାଯାତ୍ରାରେ ଆସି ଷ୍ଟେସନରେ ପହଞ୍ଚିଥିଲେ। ଶତାଧିକ ପୁରୁଷ ମହିଳା ଷ୍ଟେସନ ସମ୍ମୁଖରେ ଧାରଣା ଦେଇଥିଲେ। ସେମାନଙ୍କର କହିବା ହେଲା କି, ରେଳ ପ୍ରକଳ୍ପ ନିର୍ମାଣରେ ଗ୍ରାମବାସୀଙ୍କ ୫୦ରୁ ଅଧିକ ଏକର ଜମି ଯାଇଛି। ସର୍ଭେ ସମୟରେ ଭଇଁଷାପାଲିରେ ଷ୍ଟେସନ କରିବାକୁ ନିର୍ଦ୍ଧାରଣ ହୋଇଥିଲା। ପରେ ଭଇଁଷାପାଲି ଷ୍ଟେସନ ନାଁରେ ସବୁ କାମ ହେଲା। ଏବେ ଉଦଘାଟନ ବେଳକୁ ଗ୍ରାମର ନାମ କାହିଁକି ବଦଳାଯାଉଛି ବୋଲି ସେମାନେ ଆପତ୍ତି ଉଠାଇଛନ୍ତି। ଷ୍ଟେସନରେ ଭଇଁଷାପାଲି ନାମ ଲେଖା ନଗଲେ ମୋଦୀଙ୍କ ଗସ୍ତକୁ ତୀବ୍ର ବିରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ସେହିପରି ସକାଳୁ ଷ୍ଟେସନ ନାଁ ବଦଳାଯାଇଥିବାରୁ ବିଛୁପାଲି ମୌଜାର ଝାରବଲାଙ୍ଗୀର ବାସିନ୍ଦା ଷ୍ଟେସନରେ ପହଞ୍ଚି ବାଣ ଫୁଟାଇ ଉତ୍ସବ ମନାଇଥିଲେ। ଫୁଲମାଳ ଧରି ରେଳ ବିଭାଗ ଅଧିକାରୀଙ୍କୁ ସ୍ବାଗତ କରିବାକୁ ଷ୍ଟେସନରେ ଅଟକି ରହିଥିଲେ। ଦିନ ୧୧ଟାରୁ ଉଭୟ ଗ୍ରାମବାସୀଙ୍କ ଭିତରେ ଷ୍ଟେସନ ସମ୍ମୁଖ‌ରେ କଥା କଟାକଟି ହୋଇଥିଲା। ଉଭୟ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ। ବିବାଦୀୟ ପରିସ୍ଥିତିରୁ ଉତ୍ତେଜନା ଦେଖାଦେଇଥିଲା। ଭଇଁଷାପାଲିବାସୀ ନାମ ତାଙ୍କ ଗାଁର ରଖା ନଗଲେ ଜୋରଦାର ଆନ୍ଦୋଳନ କରିବେ ବୋଲି କହୁଥିବା ବେଳେ ଝାରବଲାଙ୍ଗୀରବାସୀ ଷ୍ଟେସନ ବିଛୁପାଲି ମୌଜାରେ ହୋଇଛି ଓ ସେହି ନାଁ ହିଁ ରହିବ ବୋଲି କହୁଥିଲେ। ପୁଇଁନ୍ତଲା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷର ଲୋକଙ୍କୁ ବୁଝାସୁଝା କରିଥିଲା। ତାପରେ ପରିସ୍ଥିତି କିଛିଟା ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର