ଯୁବକଙ୍କ ଯୌନାଙ୍ଗ କାଟିଦେ‌ଲେ ମହିଳା, ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର

ହରିଚନ୍ଦନପୁର/କେନ୍ଦୁଝର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ନୂଆଗାଁ ଗ୍ରାମରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପଣ୍ତାପଡା ଥାନା ଝାରବେଡ଼ା ଗ୍ରାମର ରାଜେନ୍ଦ୍ର ନାଏକ(୨୪)ଙ୍କ ଯୌନାଙ୍ଗକୁ ଜଣେ ମହିଳା ଏକ ଛୁରିରେ କାଟି ଦେଇଛନ୍ତି। ସେ ଏବେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପରକୀୟା ପ୍ରୀତିକୁ ନେଇ ଏଭଳି ଘଟିଥିବା ଆଲୋଚନା ହେଉଛି। ଏହି ଘଟଣାରେ ପୁଲିସ ୩ଜଣଙ୍କୁ ଅଟକ ରଖି ଜେରା କରୁଛି। ପୁଲିସ ସୂଚନା ଅନୁସାରେ, ଘଟଗାଁ ବ୍ଲକ ପଣ୍ତାପଡ଼ା ଥାନା ଝାରବେଡ଼ା ଗ୍ରାମର ରାଜେନ୍ଦ୍ର ନାଏକ ଚେନ୍ନାଇରେ କାମ କରନ୍ତି। ସେଠାରେ ସଂପୃକ୍ତ ମହିଳାଙ୍କ ସ୍ବାମୀ ମଧ୍ୟ ଏକ କଂପାନିରେ କାମ କରନ୍ତି। ଗତକାଲି ସ˚ଧୢାରେ ରାଜେନ୍ଦ୍ର ଚେନ୍ନାଇରୁ ଆସି ହରିଚନ୍ଦନପୁର ରେଳ ଷ୍ଟେସନରେ ଓହ୍ଲାଇଥିଲେ। ସେଠାରୁ ରାତିରେ ସେ ବଡ଼ନୂଆଗାଁକୁ ଯାଇଥିଲେ। ସଂପୃକ୍ତ ମହିଳାଙ୍କ ସହ ରାଜେନ୍ଦ୍ରଙ୍କ ପୂର୍ବରୁ ସଂପର୍କ ଥିଲା। ମାତ୍ର ପରେ ସେ ଅନ୍ୟଜଣେ ଯୁବକଙ୍କୁ ଭଲପାଇ ବିବାହ କରିଥିଲେ। ଏହାସ‌େତ୍ତ୍ବ‌‌ ରାଜେନ୍ଦ୍ର ତାଙ୍କ ସହ ସଂପର୍କ ରଖିଥିଲେ। ଏଣୁ ଗତକାଲି ବିଳମ୍ବିତ ରାତିରେ ସେ ବଡ଼ନୂଆଗାଁର ମହିଳାଙ୍କ ଘରେ ପହଞ୍ଚିଥିଲେ। ସେଠାରେ ଶୋଇଥିଲାବେଳେ ମହିଳାଜଣକ ରାଜେନ୍ଦ୍ରଙ୍କ ଯୌନାଙ୍ଗକୁ ଏକ ଛୁରିରେ କାଟି ଅଲଗା କରି ଦେଇଥିଲେ। ଜୀବନ ବିକଳରେ ସେ ଚିତ୍କାର କରି ଦୌଡ଼ିଥିଲେ। ଝାଡ଼ପୋଖରୀ ଗ୍ରାମର ହନୁମାନ ବିଗ୍ରହ ନିକଟରେ ଖସିପଡ଼ି ବେହୋସ ହୋଇଯାଇଥିଲେ। ଭୋର ସମୟରେ ଗ୍ରାମର କେତେଜଣ ଯୁବକ ତାଙ୍କୁ ଦେଖି ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ। ଦମକଳ ବାହିନୀ ପହଞ୍ଚି ଗୁରୁତର ରାଜେନ୍ଦ୍ରଙ୍କୁ ହରିଚନ୍ଦନପୁର ଡାକ୍ତରଖାନାରେ ପହଞ୍ଚାଇଥିଲେ। ଏହାପରେ କଟା ଯୌନାଙ୍ଗକୁ ଏକ ବରଫ ବ୍ୟାଗ୍‌ରେ ରଖି ପୁଲିସ କେନ୍ଦୁଝର ଡାକ୍ତରଖାନାକୁ ପଠାଇଥିଲା। କେନ୍ଦୁଝର ଡାକ୍ତରଖାନାରେ ଚିକିତ୍ସା ପରେ ଗୁରୁତର ରାଜେନ୍ଦ୍ରଙ୍କୁ କଟକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ରଜେନ୍ଦ୍ରଙ୍କ ବାପା ଅଭିମନ୍ୟୁ ନାଏକ ଏ ସଂପର୍କରେ ହରିଚନ୍ଦନପୁର ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏ ଘଟଣାରେ ସଂପୃକ୍ତ ମହିଳା, ତାଙ୍କ ଦେଢ଼ଶୁର ଓ ଶ୍ବଶୁରଙ୍କୁ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର