ସ୍ୟାଟ୍‌ ଅଧ୍ୟକ୍ଷ ଓ ସଦସ୍ୟ ପଦ ପୂରଣ ପାଇଁ ଜନସ୍ୱାର୍ଥ ମାମଲା

ଅଭିମୁଖ୍ୟ ସ୍ପଷ୍ଟ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ: ଓଡିଶା ପ୍ରଶାସନିକ ଟ୍ରିବୁନାଲ୍‌(ସ୍ୟାଟ୍‌)ପ୍ରସଂଗରେ ସରକାରଙ୍କ ଆଭିମୁଖ୍ୟ କଣ ସେ ସଂପର୍କରେ ସ୍ଥିତି ସ୍ପଷ୍ଟ କରିବା ପାଇଁ ଆଜି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ଜନସ୍ୱାର୍ଥ ମାମଲାର ଶୁଣାଣି କରି ସ୍ୟାଟ୍‌ର ଭବିଷ୍ୟତକୁ ନେଇ ସରକାର କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ସେ ସଂପର୍କରେ ଅବଗତ କରିବା ପାଇଁ ଆଡଭୋକେଟ ଜେନେରାଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କଟକ ଓ ଭୁବନେଶ୍ୱର ଓଡିଶା ଆଡମିନିଷ୍ଟ୍ରେଟିଭ୍‌ ଟ୍ରିବୁନାଲ ବାର୍‌ ଆସୋସିଏସନ୍‌ ପକ୍ଷରୁ ରୁଜୁ ଦୁଇଟି ମାମଲାର ପରବର୍ତ୍ତୀ ଶୁଣାଣି ୨୦୧୮, ଜାନୁଆରି ୮ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଆସୋସିଏସନ୍‌ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପରିଜା, ବୁଦ୍ଧଦେବ ରାଉତରାୟ, ଉଲ୍ଲାସ ଚନ୍ଦ୍ର ମହାନ୍ତି, ବିରଜା ପ୍ରସନ୍ନ ଶତପଥୀ ଏବଂ ସରକାରଙ୍କ ତରଫରୁ ଆଡଭୋକେଟ ଜେନେରାଲ ସୂର୍ଯ୍ୟ ପ୍ରସାଦ ମିଶ୍ର ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ୧୯୮୬, ଜୁଲାଇ ୧୪ରେ ଓଡିଶା ପ୍ରଶାସନିକ ଟ୍ରିବୁନାଲ ପ୍ରତିଷ୍ଠା ହୋଇଥିଲା। ଭୁବନେଶ୍ୱରରେ ପ୍ରମୁଖ ବେଞ୍ଚ୍‌ ରହିଥିବା ବେଳେ ପରବର୍ତ୍ତୀ ସମୟରେ କଟକରେ ହୋଇଥିଲା ନିୟମିତ ବେଞ୍ଚ୍‌। ଏଥି ସହିତ ସମ୍ବଲପୁର ଓ ବ୍ରହ୍ମପୁରରେ ଟ୍ରିବୁନାଲର ସର୍କିଟ ବେଞ୍ଚ୍‌ ରହିଛି। ୨୦୧୪, ଫେବ୍ରୁଆରି ୧୮ରେ ଟ୍ରିବୁନାଲରେ ଅଧ୍ୟକ୍ଷଙ୍କୁ ମିଶାଇ ମୋଟ ୮ ଜଣ ସଦସ୍ୟ ପଦ ରହିବା ସଂପର୍କରେ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। କିନ୍ତୁ ବର୍ତ୍ତମାନ ସ୍ଥାୟୀ ଅଧ୍ୟକ୍ଷ ପଦ ସହିତ ବହୁ ସଦସ୍ୟ ପଦ ଖାଲି ପଡିଛି। ୨୦୧୭, ଫେବ୍ରୁଆରି ୨୮ ତାରିଖ ସୁଦ୍ଧା ଟ୍ରିବୁନାଲର ବିଭିନ୍ନ ବେଞ୍ଚରେ ମୋଟ ୬୭ ହଜାର ୩୬୯ ମାମଲା ବିଚାରାଧୀନ ରହିଛି ବୋଲି ଆବେଦନରେ ଦର୍ଶାଯାଇଛି। ବର୍ତ୍ତମାନ ଆବଶ୍ୟକ ସଂଖ୍ୟକ ସଦସ୍ୟ ଅଭାବରୁ ସ୍ୟାଟରେ ଅଚଳାବସ୍ଥା ଦେଖା ଦେଇଛି। କେବଳ ମହକିଲ ନୁହନ୍ତି ଆଇନଜୀବୀମାନେ ମଧ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନ୍ୟାୟ ପ୍ରଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହେଉଛି। ଏପରି ପରିସ୍ଥିତିରେ ଖାଲି ପଡିଥିବା ଅଧ୍ୟକ୍ଷ ପଦ ଓ ସଦସ୍ୟ ପଦ ପୂରଣ ହେବା ଜରୁରୀ ବୋଲି ଆବେଦନରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ୨୦୧୫, ସେପ୍ଟେମ୍ବର ୯ରେ ସ୍ୟାଟ ଉଚ୍ଛେଦ ପାଇଁ କ୍ୟାବିନେଟ ନିଷ୍ପତ୍ତି ଗ୍ରହଣ କରିଥିଲା। ଏପରି ନିଷ୍ପତ୍ତି ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସ୍ୟାଟ୍‌ ପ୍ରତି ସରକାରୀ ଅବହେଳା ବଢିଛି ବୋଲି ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର