ଅନୁପଙ୍କ ପରକୀୟା ପ୍ରୀତି ଓ ହତ୍ୟାକାଣ୍ଡକୁ ନେଇ ତିଆରି ହେବ ଫିଲ୍ମ, ସେପଟେ ଭୁବନେଶ୍ୱରରେ ତଦନ୍ତ ପାଇଁ ପହଞ୍ଚିଲା ଛତିଶଗଡ଼ ପୁଲିସ

ଭୁବନେଶ୍ୱର: ପ୍ରଥମେ ସମ୍ପର୍କ ଓ ଏହାକୁ ଲୁଚାଇବାକୁ ଜଘନ୍ୟ ହତ୍ୟାକାଣ୍ଡ | କଂଗ୍ରେସର ପୂର୍ବତନ ବିଧାୟକ ତଥା ବିଜେଡିର ପୂର୍ବତନ ନେତା ଅନୁପ ସାଏ କରିଥିବା ହତ୍ୟାକାଣ୍ଡକୁ ନେଇ ନିର୍ମାଣ ହେବ ଫିଲ୍ମ | କିଭଳି ଷଡଯନ୍ତ୍ର ହୋଇଥିଲା ଓ ଏହା ପରେ ହତ୍ୟାକାଣ୍ଡର ରୂପ ଦିଆଯାଇଥିଲା ତାହାକୁ ଦର୍ଶକ ପରଦାରେ ଦେଖିବେ | ଅନୁପ ସାଏଙ୍କ ଚରିତ୍ରକୁ ନେଇ ନିର୍ମାଣ ହେବାକୁ ଯାଉଥିବା ଓଡିଆ ଫିଲ୍ମର ନାମ ‘ମାୟାବିନୀ’ ରଖାଯାଇଥିବାବେଳେ ଏହାକୁ ନିର୍ଦ୍ଦେଶନା ଦେବେ ସବିନୟ | ଏହି ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛନ୍ତି ଶ୍ରୀଧର ମାର୍ଥା | ଶ୍ରୀଧର ପୂର୍ବରୁ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣକୁ ନେଇ ଫିଲ୍ମ ନିର୍ମାଣ କରିଥିଲେ |

ଅନ୍ୟପଟେ ୨୦୧୬ ହତ୍ୟାକାଣ୍ଡ ମାମଲାରେ ଖିଅ ଖୋଜୁଛି ପୁଲିସ । ହତ୍ୟାକାଣ୍ଡର ଖୋଳତାଡ ପାଇଁ ଭୁବନେଶ୍ୱରରେ ପହଞ୍ଚିଛି ଛତିଶଗଡ ପୁଲିସ । ପୁଲିସ, ଅନୁପ ଓ କଳ୍ପନା ରହୁଥିବା ସୁନ୍ଦରପଦା ଆପାର୍ଟମେଂଟ ଯାଇ ତଦନ୍ତ କରିବାର ସମ୍ଭାବନା ଅଛି । ଛତିଶଗଡ ପୁଲିସ ଟିମ୍ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି, ଏୟାରପୋର୍ଟ ଅଥରିଟି ଅଫିସରେ ଅଛନ୍ତି । ପରେ ଟିମ୍ ସୁନ୍ଦରପଦା ଯିବେ ବୋଲି ସୂଚନା ମିଳିଛି । ସେପଟେ ରାୟଗଡ ଜିଲ୍ଲା ଜଜ କୋର୍ଟରେ ଆଜି ହାଜର ହେବେ ଅନୁପ ସାଏ ।

ଆଜି ତାଙ୍କ ରିମାଣ୍ଡ ଉପରେ ଶୁଣାଣି କରିବେ କୋର୍ଟ । ଅଭିଯୁକ୍ତଙ୍କୁ ପୁଲିସ କେତେଦିନ ରିମାଣ୍ଡରେ ନେଇ ଜେରା କରିବ ସେନେଇ ଅନୁମତି ଦେବେ କୋର୍ଟ । ଡବଲ ମର୍ଡର ଘଟଣାରେ ଅଧିକ ତଥ୍ୟ ପାଇଁ ଉଭୟ ଅନୁପ ଓ ବର୍ଦ୍ଧନଙ୍କୁ ସାମ୍ନାସାମ୍ନି ବସାଇ ଜେରା କରିପାରେ ପୁଲିସ । ପୂର୍ବରୁ ଛତିଶଗଡ ପୋଲିସର ଟିମ୍ ଅନୁପ ସାଏଙ୍କ ନିର୍ବାଚନମଣ୍ଡଳୀ ବ୍ରଜରାଜନଗରରେ ପହଁଚି ତାଙ୍କ ଆକାଉଂଟ୍ ଥିବା ଦୁଇଟି ବ୍ୟାଙ୍କରେ ଖୋଳତାଡ କରିଛି ।

ସମ୍ବନ୍ଧିତ ଖବର