ଚଳଚ୍ଚିତ୍ର ନୀତି ଉପରେ ରାଉଣ୍ଡ୍‌ ଟେବୁଲ୍‌ ‌ସମ୍ମିଳନୀ

କାର୍ଯ୍ୟକାରୀ ପୂର୍ବରୁ ମତାମତ ଲୋଡ଼ାଗଲା

ଭୁବନେଶ୍ବର : ଗୁଣାତ୍ମକ ଚଳଚ୍ଚିତ୍ରକୁ‌ ପ୍ରୋତ୍ସାହନ ଦିଆଯିବ। ରାଜ୍ୟରେ ଚଳଚ୍ଚିତ୍ର ପର୍ଯ୍ୟଟନ ପାଇଁ ବାଟ ସୁଗମ ହେବ। ଫିଲ୍ମ ପାଇଁ ଓଡ଼ିଶାକୁ ସୁଟିଂ ସ୍ଥଳ ଭାବେ ପ୍ରତିଷ୍ଠା କରାଯିବ। ସିନେମା ହଲ୍‌ ସଂଖ୍ୟା ବୃଦ୍ଧି ପାଇବ। ଓଡ଼ିଆ ଚଳଚ୍ଚିତ୍ରର ୮୩ ବର୍ଷର ଲମ୍ବା ଯାତ୍ରା ପରେ ରାଜ୍ୟରେ ‘ଚଳଚ୍ଚିତ୍ର ନୀତି’ ଆରମ୍ଭ ହୋଇଛି। ଆଜି ପର୍ଯ୍ୟନ୍ତ ବିନା ଚାଳକରେ ଓଡ଼ିଆ ଚଳଚ୍ଚିତ୍ର ଚାଲୁଥିବା ବେଳେ ଏବେ ଚଳଚ୍ଚିତ୍ର ନୀତି ରୂପରେ ଜଣେ ଚାଳକକୁ ପାଇଛି। ତେବେ ହିତାଧିକାରୀମାନଙ୍କ ପାଇଁ ଏହା କିପରି ଉପଯୋଗୀ ହୋଇପାରିବ ସେନେଇ ଆଜି ଏକ ରାଉଣ୍ଡ୍‌ ଟେବୁଲ୍‌ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ୍‌ ଇଣ୍ଡଷ୍ଟ୍ରି (ଫିକି) ପକ୍ଷରୁ ଗଣମାଧ୍ୟମ ଓ ମନୋରଂଜନକୁ ନେଇ ଅଧିବେଶନ ଆୟୋଜନ କରାଯାଇଥିବା ବେଳେ ‘ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ନୀତି’ ସମ୍ବନ୍ଧରେ ଆଲୋଚନା ହୋଇଥିଲା।

ଏହି ଅବସରରେ ଚଳଚ୍ଚିତ୍ର ଶିଳ୍ପ ସହ ସଂଶ୍ଳିଷ୍ଟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ମତାମତ ଲୋଡ଼ା ଯାଇଥିଲା। ଶିଳ୍ପ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା କହିଲେ, ଏହା କେବଳ ଚଳଚ୍ଚିତ୍ର ଜଗତକୁ ସମୃଦ୍ଧ ଓ ସୁଦୃଢ଼ କରିବ ନାହିଁ, ବରଂ ଚଳଚ୍ଚିତ୍ର‌ ନୀତି ରାଜ୍ୟ ପର୍ଯ୍ୟଟନ ପାଇଁ ବିପୁଳ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍‌ଡିସି)) ଏବଂ ଇପିକଲ୍‌ର ପରିଚାଳନା ନିର୍ଦେଶକ ନିତିନ୍‌ ବି. ଜାୱଲେ କହିଛନ୍ତି, ଚଳଚ୍ଚିତ୍ର ନୀତି ଆସିବା ପରେ ଏ ବାବଦରେ ଅନେକ ଥର ଆଲୋଚନା ହୋଇଥିବା ବେଳେ ଆଜି ପ୍ରଥମଥର ପାଇଁ ରାଉଣ୍ଡ୍‌ ଟେବୁଲ୍‌ ସମ୍ମିଳନୀ ହୋଇଛି। ଏଠାରୁ ଭଲ ପ୍ରତିକ୍ରିୟା ମଧ୍ୟ ମିଳିଛି। ୨୫ଏକର ଜାଗାରେ ପ୍ରଥମ ଫିଲ୍ମ ସିଟି ନିର୍ମାଣ କରିବାକୁ ଚାହୁଁଥିବା ନିବେଶକଙ୍କ ପାଇଁ ଲୋଭନୀୟ ରିହାତି ରହିଥିବାରୁ ଏନେଇ କିଛି ନିବେଶକ ଆଗ୍ରହ ପ୍ରକାଶ କରିଥିବା ସେ କହିଛନ୍ତି। ଓଏଫ୍‌ଡିସିର ଚେୟାରମ୍ୟାନ୍‌ କୁନା ତ୍ରିପାଠୀ କହିଛନ୍ତି ଏହି ରାଉଣ୍ଡ୍‌ ଟେବୁଲ୍‌ ସମ୍ମିଳନୀରେ ସାମିଲ୍‌ ହୋଇଥିବା ଚଳଚ୍ଚିତ୍ର ରାଇଜର ଜଣାଶୁଣା ବ୍ୟକ୍ତିଙ୍କୁ ଅପରେସନାଲ୍‌ ଗାଇଡ୍‌ଲାଇନ୍‌ ଦିଆଯାଇଛି। ଏହା ବାବଦରେ ଯାହାର ଯାହା ମତାମତ ଅଛି, ୧୫ ଦିନ ମଧ୍ୟରେ ଜଣେଇବାକୁ ଶ୍ରୀ ତ୍ରିପାଠୀ ଅନୁରୋଧ କରିଛନ୍ତି। ଫଳସ୍ବରୂପ ଏହା ଓଡ଼ିଆ ଚଳଚ୍ଚିତ୍ରର ସର୍ବାଙ୍ଗୀନ ଉନ୍ନତିରେ ସହାୟକ ହୋଇପାରିବ ବୋଲି ସେ କହିଛନ୍ତି। ଫିକି, ଓଡ଼ିଶା ରାଜ୍ୟ ପରିଷଦର ଉପାଧ୍ୟକ୍ଷା ମୋନିକା ନୈୟାର ପଟ୍ଟନାୟକ ବକ୍ତବ୍ୟରେ ଚଳଚ୍ଚିତ୍ର ନୀତିର କାର୍ଯ୍ୟକାରିତା ବାବଦରେ ମତ ରଖିଥିଲେ। ଏହି ଅବସରରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦେଶକ ମନମୋହନ ମହାପାତ୍ର, ହିନ୍ଦୀ ଚଳଚ୍ଚିତ୍ର ନିର୍ମାତା ଓ ଅଭିନେତା ସଂଜୟ ସୁରି, ହିମାଂଶୁ ଧନୁକାଙ୍କ ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଚଳଚ୍ଚିତ୍ର ପ୍ରଯୋଜକ ଉପସ୍ଥିତ ଥିଲେ।

ଚଳଚ୍ଚିତ୍ର ଜଗତ ସହ ଜଡ଼ିତ ଓଡ଼ିଆ ଓ ଓଡ଼ିଶା ବାହାରର ପ୍ରଯୋଜକ, ସିନେ ଚାମ୍ବର୍ସ ଓ ଚଳଚ୍ଚିତ୍ର ପ୍ରଯୋଜକ ସଂଘର କର୍ମକର୍ତାମାନେ ଉପସ୍ଥିତ ରହି ଗାଇଡ୍‌ଲାଇନ୍‌ରେ ଥିବା କିଛି ଦିଗ ବାବଦରେ ସଂଶୋଧନ ପାଇଁ ମତ ରଖିଥିଲେ। ଏହାର ଉତ୍ତର ଦେବା ସହ ମତାମତକୁ ଗ୍ରହଣ କରି ଏହା ଉପରେ ବିଚାରବିମର୍ଶ ସହ ଚଳଚ୍ଚିତ୍ର ନୀତିକୁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରିବା ପାଇଁ ଚେଷ୍ଟା କରାଯିବ ବୋଲି ମତ ପ୍ରକାଶ ପାଇଥିଲା। ‘ଫିକି’ର ସଦସ୍ୟମାନେ ଏହାକୁ ପରିଚାଳନା କରିଥିଲେ।

ଚଳଚ୍ଚିତ୍ର ନୀତି ଶୁଭ ଲକ୍ଷଣ
ଆଜି ପର୍ଯ୍ୟନ୍ତ ଓଡ଼ିଆ ଚଳଚ୍ଚିତ୍ର ପାଇଁ କୌଣସି ନୀତି ନଥିବାରୁ ଏହି ନୀତି ଆସିବା ହିଁ ଏକ ଶୁଭ ଲକ୍ଷଣ। ତେଣୁ ପ୍ରଥମେ ଏହି ନୀତି ଆରମ୍ଭ ହେଇଯିବା ଆବଶ୍ୟକ। ଚଳଚ୍ଚିତ୍ରର ଉଭୟ ବାଣିଜ୍ୟିକ ଏବଂ କଳାତ୍ମକ ଦିଗ ଅଛି। ଯେହେତୁ ସରକାର ପ୍ରଥମ କରି ଏହି ନୀତି ଜରିଆରେ ଉନ୍ନତି ଆଣିବାକୁ ଚେଷ୍ଟା କରିଛନ୍ତି, ଏହା ରାଜ୍ୟ ପାଇଁ ସହାୟକ ହେବ।
ଅକ୍ଷୟ ପରିଜା (ପ୍ରଯୋଜକ)

ଅନ୍ତର୍ଜାତୀୟସ୍ତରରେ ଚଳଚ୍ଚିତ୍ର ପ୍ରଦର୍ଶନୀ ପାଇଁ ସହାୟତାର ବନ୍ଦୋବସ୍ତ ହେଉ
କାନ୍‌ସ ଭଳି ଚଳଚ୍ଚିତ୍ର ଉତ୍ସବରେ ଯେଉଁ ଚଳଚ୍ଚିତ୍ର ପ୍ରଦର୍ଶିତ ହେବା ପାଇଁ ଚୟନ କରାଯାଉଥିଲା, ସରକାର ସେ ଚଳଚ୍ଚିତ୍ରର ନିର୍ଦେଶକ କିମ୍ବା ପ୍ରଯୋଜକକୁ ଚଳଚ୍ଚିତ୍ରଟି ଅନ୍ତର୍ଜାତୀୟସ୍ତରରେ ପ୍ରଦର୍ଶିତ ‌କରିବା ପାଇଁ ସରକାରୀ ସହାୟତା ୨୫ହଜାର ଟଙ୍କା ଦେଉଥିଲେ। ଯାହା ଉପଯୁକ୍ତ ନଥିଲା। ତେଣୁ ଯିଏ ଜାତୀୟ ଓ ଅନ୍ତର୍ଜାତୀୟ ଉତ୍ସବରେ ଚଳଚ୍ଚିତ୍ର ପ୍ରଦର୍ଶନୀର ସୁଯୋଗ ପାଉଛି, ତାକୁ ସରକାରୀସ୍ତରରେ ୧୦୦ ପ୍ରତିଶତ ସହାୟତା ପ୍ରଦାନ କରାଯାଉ।
ଯୁଗଳ ଦେବତା (ସିନେମାଟୋଗ୍ରାଫର, ନିର୍ଦେଶକ)

ଚଳଚ୍ଚିତ୍ର ରାଇଜକୁ ରାସ୍ତା ଦେଖାଇବ
ଚଳଚ୍ଚିତ୍ର ଶିଳ୍ପର ବସ୍‌ଟା ଆଜି ପର୍ଯ୍ୟନ୍ତ ବିନା ଡ୍ରାଇଭରରେ ଚାଲିଥିବା ବେଳେ ଆଜି ସେ ଡ୍ରାଇଭର ପାଇଛି। ତେଣୁ ଚଳଚ୍ଚିତ୍ର ନୀତି ରାସ୍ତା ଦେଖାଇବ। ଏହା କାର୍ଯ୍ୟକାରୀ ହେବା ପରେ ଚଳଚ୍ଚିତ୍ର ରାଇଜକୁ କେଉଁ ବାଟରେ ନେଉଛି, କେତେ ସହାୟକ ହେଉଛି ତାହା ଜଣାପଡ଼ିବ।
ସିଦ୍ଧାନ୍ତ ମହାପାତ୍ର (ଅଭିନେତା, ସାଂସଦ)

ସମ୍ବନ୍ଧିତ ଖବର