ଭୂଷଣ ନିଲାମୀ, ୨୩ରେ ଚୂଡ଼ାନ୍ତ

ସମ୍ବଲପୁର : ଜେଏସ୍‌ଡବ୍ଲ୍ୟୁ ଓ ଟାଟା ଷ୍ଟିଲ ଭୂଷଣର ସମ୍ବଲପୁର ଓ ଢେଙ୍କାନାଳ କାରଖାନା ଅକ୍ତିଆର ଦୌଡ଼ରେ ରହିଥିବା ବେଳେ କିଏ ବାଜି ମାରିବ, ତାହାକୁ ନେଇ ବିଭିନ୍ନ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଛି। ଆସନ୍ତା ୨୩ ତାରିଖ ଦିନ ‘କମିଟି ଅଫ୍‌ କେଡ୍ରିଟର୍ସ’ର ବୈଠକ ପରେ ନିଲାମ ବିଜେତାଙ୍କ ନାମ ଘୋଷଣା କରାଯିବ ବୋଲି ଜଣାପଡ଼ିଛି। ୩ ଫେବ୍ରୁଆରିରେ ଢେଙ୍କାନାଳସ୍ଥିତ ଭୂଷଣ ଷ୍ଟିଲ ଓ ୮ ଫେବ୍ରୁଆରି ସମ୍ବଲପୁର ଠେଲ୍‌କୁଲିସ୍ଥିତ ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲ ଦିନ ଏହାର ବିଧିବଦ୍ଧ ଘୋଷଣା ହେବାର ଥିଲା। ମାତ୍ର କେତେକ କାରଣରୁ ‘କମିଟି ଅଫ୍‌ କେଡ୍ରିଟର୍ସ’ର ବୈଠକ ପାଇଁ ତାରିଖ ଧାର୍ଯ୍ୟ ହୋଇପାରିନଥିଲା। ତେବେ ଜେଏସ୍‌ଡବ୍ଲ୍ୟୁର ନିଲାମ ଡାକ ଟାଟା ଷ୍ଟିଲଠାରୁ ଅଧିକ ରହିଥିବା କୁହାଯାଇଛି। ଜେଏସ୍‌ଡବ୍ଲ୍ୟୁ ଠେଲ୍‌କୁଲିସ୍ଥିତ ଭୂଷଣ ପାଓ୍ଵାର ଆଣ୍ଡ ଷ୍ଟିଲ ପାଇଁ ୧୩ ହଜାର କୋଟି ଟଙ୍କା ନିଲାମ ଡାକିଥିବା ବେଳେ ଟାଟା ଷ୍ଟିଲ ଏହି କାରଖାନା ପାଇଁ ସାଢ଼େ ୧୧ ହଜାର କୋଟି ଟଙ୍କା ଦେବାକୁ ପ୍ରସ୍ତାବ ଦେଇଛି। ସେହିପରି ଭୂଷଣ ଷ୍ଟିଲର ଋଣ ବାବଦକୁ ୨୮ ହଜାର କୋଟି ଟଙ୍କା ଏବଂ କାରଖାନା ଚଲାଇବା ନିମନ୍ତେ ଆହୁରି ହଜାରରୁ ୧୭ ଶହ କୋଟି ଟଙ୍କା ବ୍ୟବସ୍ଥା କରିବାକୁ ଜେଏସ୍‌ଡବ୍ଲ୍ୟୁ ନିଲାମରେ ଡାକରେ ଦର୍ଶାଇଛି। ଅପରପକ୍ଷରେ ଟାଟା ଷ୍ଟିଲ ପକ୍ଷରୁ ୨୪ ହଜାର କୋଟି ଟଙ୍କାର ଏକ ଯୋଜନା ଦାଖଲ କରାଯାଇଛି। ଭୂଷଣ ଷ୍ଟିଲ ପାଇଁ କଂପାନିର ୫୦୦ ଜଣ କର୍ମଚାରୀ ମିଳିତ ଭାବେ ନିଲାମରେ ସାମଲ ହୋଇଛନ୍ତି। ଦୁବାଇର ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ସେମାନଙ୍କ ପଛରେ ରହିଥିବା ଦର୍ଶାଯାଇଛି।

ସମ୍ବନ୍ଧିତ ଖବର