ଅସୁରକ୍ଷିତ ଫାଇନାନ୍ସ ସଂସ୍ଥା, କର୍ମଚାରୀ: କର୍ମଚାରୀଙ୍କୁ ଭୟଭୀତ କରି ଲୁଟିଲେ ୧୩ ଲକ୍ଷ

କର୍ମଚାରୀଙ୍କ ଗଳା କାଟି ଦେଲେ, ବନ୍ଧୁକ ଦେଖାଇ ୩ ଲକ୍ଷ ଲୁଟ୍‌

ବାଲୁଗାଁ/ନାଚୁଣୀ: ଖୋର୍ଧା ଜିଲ୍ଲା ନାଚୁଣୀ କଲେଜ ରୋଡ୍‌ରେ ଥିବା ଏଲ୍‌ ଆଣ୍ଡ ଟି ଫାଇନାନ୍‌ସ କଂପାନି ନାମକ ଏକ  ଅର୍ଥ କାରବାର କରୁଥିବା ଘରୋଇ ସଂସ୍ଥାରୁ ଗତକାଲି ରାତି ପ୍ରାୟ ୯ଟା ସମୟରେ ସଶସ୍ତ୍ର  ଡକାୟତି ହୋଇଛି। ଆଜି ଏ ନେଇ ନାଚୁଣୀ ଫାଣ୍ଡିରେ ଏତଲା ହୋଇଛି। ଘଟଣାରୁ ପ୍ରକାଶ, ଗତକାଲି ସବୁଦିନ ଭଳି କଂପାନିର ଫିଲ୍‌ଡ ଅଫିସର୍‌ମାନେ ବିଭିନ୍ନ ସ୍ଥାନରୁ ସଂଗ୍ରହ ହୋଇଥିବା ଟଙ୍କା ଆଣି ରାତି ପ୍ରାୟ ୯ଟାବେଳେ କାର୍ଯ୍ୟାଳୟରେ ଦାଖଲ କରିଥିଲେ। ତେବେ ହଠାତ୍ ଏହି ସମୟରେ ଦୁଇଜଣ ମୁଖାପିନ୍ଧା ବ୍ୟକ୍ତି ମାରଣାସ୍ତ୍ର ଧରି କାର୍ଯ୍ୟାଳୟକୁ ଧସେଇ ପଶିଥିଲେ। କର୍ମଚାରୀଙ୍କୁ ଭୟଭୀତ କରି କାର୍ଯ୍ୟାଳୟରୁ ୧୨ଲକ୍ଷ ୮୯ ହଜାର ୮୭୩ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଥିଲେ। ଏ ସଂପର୍କରେ କଂପାନିର ଆଞ୍ଚଳିକ ପ୍ରବନ୍ଧକ ସୁନୀଲ କୁମାର ରଣା ନାଚୁଣୀ ଓ ବାଣପୁର ପୁଲିସକୁ ଅବଗତ କରାଇ ଏତଲା ଦେଇଛନ୍ତି। ଆଜି ଖୋର୍ଦ୍ଧା ଏସ୍‌ପି ଦିପ୍ତୀ ରଂଜନ ରାୟ, ବାଲୁଗାଁ ଏସ୍‌ଡିପିଓ ସୁବାସ ଚନ୍ଦ୍ର ପଣ୍ଡା, ବାଣପୁର ଆଇଆଇସି ସଂଜୟ କୁମାର ପଟ୍ଟନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଆଜି ସନ୍ଧ୍ୟା ସୁଦ୍ଧା ଏହି ଘଟଣାରେ ୪ ଜଣଙ୍କୁ ପୁଲିସ ଅଟକ ରଖିଛି। ଲୁଟ୍‌ ହୋଇଥିବା କଂପାନି କାର୍ଯ୍ୟାଳୟର ୨ ଜଣ କର୍ମଚାରୀଙ୍କୁ ପୁଲିସ ଅଟକ ରଖି ଘଟଣା ସଂପର୍କରେ ପଚରାଉଚୁରା କରୁଛି।

କର୍ମଚାରୀଙ୍କ ଗଳା କାଟି ଦେଲେ

ରାୟଗଡା: ଘରୋଇ ଫାଇନାନସ୍ କର୍ମଚାରୀଙ୍କ ଗଳା କାଟି ଲୁଟ୍। ଗୁରୁତର ଅବସ୍ଥାରେ ଫାଇନାନସ୍ କର୍ମଚାରୀ ଚିନ୍ମୟ କୁମାର ପାଣିଙ୍କୁ ଚିକିତ୍ସା ପାଇଁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଚିନ୍ମୟଙ୍କୁ ଆକ୍ରମଣ କରି ଦୁର୍ବୃତ୍ତ ୧ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି। ରାୟଗଡାସ୍ଥିତ ଘରୋଇ ଫାଇନାନସ୍ କଂପାନି ସ୍ପନ୍ଦନର କଲେକ୍ସନ୍ ଦାୟିତ୍ବରେ ଥିବା ଚିନ୍ମୟ ପାଣି ଆଜି ସକାଳେ ନିଜ ବାଇକରେ କଲ୍ୟାଣସିଂହପୁର ଯାଇଥିଲେ। କଲ୍ୟାଣସିଂହପୁର ସମେତ ଆଖପାଖ ୧୨ଟି ଗ୍ରାମରୁ କଲେକ୍ସନ ସାରି ନିଜ ବ୍ୟାଗରେ ୧ ଲକ୍ଷ ୩୦ ହଜାର ଟଂକା ନେଇ ଫେରୁଥିଲେ। ମଧ୍ୟାହ୍ନ ୧୨ଟା ସମୟରେ ଏକ କଳା ରଂଗର ପଲ୍‌ସର୍‌ ବାଇକ୍‌ରେ ୩ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ। ଶିକରପାଇଠୁ ୩ କିମି ଦୂର ବଡଲିମା ବୁଲାଣି ରାସ୍ତାରେ ଦୁର୍ବୃତ୍ତମାନେ ଚିନ୍ମୟଙ୍କୁ ଆକ୍ରମଣ କରିବା ସହ ବାଇକକୁ ଲାତ ମାରିଥିଲେ। ଫଳରେ ବାଇକ୍ ସହ ଚିନ୍ମୟ ରାସ୍ତାରେ କଚାଡି ହୋଇ ପଡି ଯାଇଥିଲେ। ଚିନ୍ମୟଙ୍କ ମୁଣ୍ଡ ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଯିବା ଯୋଗୁ ସେ ଗୁରୁତର ଭାବେ ଆହତ ହୋଇଥିଲେ। ପରେ ଦୁର୍ବୃତ୍ତମାନେ ଛୁରିରେ ଚିନ୍ମୟଙ୍କ ତଣ୍ଟି କାଟି ଟଙ୍କା ଥିବା ବ୍ୟାଗକୁ ଲୁଟି ନେଇ ପଳାଇ ଯାଇଥିଲେ। ଗୁରୁତର ଅବସ୍ଥାରେ ପାଖାପାଖି ୨ ଘଣ୍ଟା ଚିନ୍ମୟ ପଡି ରହିବା ପରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପ୍ରଥମେ ଶିକରପାଇ ମେଡ଼ିକାଲ ଓ ପରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ଖବର ପାଇ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

ବନ୍ଧୁକ ଦେଖାଇ ୩ ଲକ୍ଷ ଲୁଟ୍‌
କାକଟପୁର: ଫାଇନାନ୍ସ ସ˚ସ୍ଥା ‘ଆରୋହଣ’ର ଦୁଇ ଜଣ ଏଜେଣ୍ଟ ଆଜି ଅପରାହ୍ନରେ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରୁ କଲେକ୍ସନ୍‌ ସାରି ଫେରୁଥିବା ବେଳେ ୪ ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ସେମାନଙ୍କଠାରୁ ୩ ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଲୁଟ୍‌ର ଶିକାର ହୋଇଥିବା ଏଜେଣ୍ଟଦ୍ବୟ ହେଲେ ଅମୀର ଦଳବେହେରା ଓ ସୋମନାଥ ସାହୁ। ମିଳିଥିବା ସୂଚନା ଅନୁଯାୟୀ, ଅମୀର ଓ ସୋମନାଥ ଆଜି ଜଗତସି˚ହପୁର ଜିଲ୍ଲାର ନାଉଗାଁ, ଚକୁଳିପଡା, ଅରେଇଦା, ନରଣପୁର, ଡେରିକି ଅଞ୍ଚଳର କିଛି ମହିଳା ସ୍ବୟ˚ ସହାୟିକା ଗୋଷ୍ଠୀଙ୍କଠାରୁ ମାସିକ କିସ୍ତି ସ˚ଗ୍ରହ କରି କାର୍ଯ୍ୟାଳୟକୁ ଫେରିଥିଲେ। ବାଟରେ କାକଟପୁର-ବାଜପୁର ମୁଖ୍ୟରାସ୍ତା ପାର୍ଶ୍ବରେ ଥିବା ଏକ ହୋଟେଲରେ ଖାଇ ଦୁହେଁ ଫେରିବା ସମୟରେ ପୂର୍ବରୁ ସେମାନଙ୍କୁ ପିଛା କରୁଥିବା ୪ ଜଣ ଯୁବକ ହଠାତ୍‌ ସେମାନଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ କରିବା ସହ ପାଖରେ ଥିବା ୩ ଲକ୍ଷ ୧୦ ହଜାର ଟଙ୍କା ନେଇ ଫେରାର ହୋଇ ଯାଇଥିଲେ। ଏ ସ˚ପର୍କରେ ସେମାନେ କାକଟପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ଛାନ୍‌ଭିନ୍ ଚଳାଇଛି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଆହତ ଦୁଇ ଏଜେଣ୍ଟ କାକଟପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର