ଭୁବନେଶ୍ୱର : ଅତିରିକ୍ତ ବଜେଟ୍ରେ ମନଇଚ୍ଛା ଦାବି କରୁଛନ୍ତି ବିଭାଗମାନେ। ହେଲେ ବର୍ଷଶେଷକୁ ଏତେ ଅର୍ଥ ଫେରାଉଛନ୍ତି ଯେ ତାହା ଅତିରିକ୍ତ ବଜେଟକୁ ବଳିଯାଉଛି। ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମରେ ସଚିବମାନଙ୍କର ଏଭଳି କାର୍ଯ୍ୟକୁ ଆଉ କେହି ନୁହେଁ, ଖୋଦ୍ ଅର୍ଥ ବିଭାଗ ଆଙ୍ଗୁଠି ଉଠାଇଛି। ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଭିନ୍ନ ବିଭାଗର ସଚିିବମାନଙ୍କୁ ଚିଠି ଲେଖି ଅତିରିକ୍ତ ବଜେଟ୍ ସଂପର୍କରେ ସୂଚାଇବା ବେଳେ ଏକଥା ଠାରିବାକୁ ଭୁଲିନାହାନ୍ତି। କେବଳ ସେତିକି ନୁହେଁ ଅତିରିକ୍ତ ବଜେଟ୍କୁ ଏକ ନିୟମିତ ପ୍ରକ୍ରିୟା ଭାବି ବିଭାଗମାନେ ଦାବି ଉପସ୍ଥାପନ ନ କରିବା ଲାଗି ସତର୍କ କରାଇବା ସହିତ ଯେଉଁ ବିଭାଗର ଯେତିକି ଆବଶ୍ୟକତା ଅଛି, ଯେତିକି ଖର୍ଚ୍ଚ କରିପାରିବେ, ସେତିକି ଅର୍ଥ ମାଗିବା ଲାଗି ତାଗିଦ୍ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଆସନ୍ତା ନଭେମ୍ବରମାସରେ ବିଧାନସଭାରେ ୨୦୧୭-୧୮ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍ ଉପସ୍ଥାପନ ହେବ ବୋଲି ସୂଚନା ଦେଇ ଆଜି ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ତୁହିନକାନ୍ତ ପାଣ୍ଡେ ଏସବୁ ବିଭାଗର ସଚିବମାନଙ୍କୁ ଏକ କଡ଼ା ଚିଠି ଲେଖିଛନ୍ତି। କହିଛନ୍ତି, ଅର୍ଥ ବିଭାଗ ଯେମିତି ଢଙ୍ଗରେ ନିୟମାବଳୀ ଜାରି କରିଛି, ବିଭାଗମାନେ ସେମିତି ଅତିରିକ୍ତ ବଜେଟ୍ ଲାଗି ଦାବି ଉପସ୍ଥାପନ କରିବେ। କେବଳ ସେତିକି ନୁହେଁ, ୨୦୧୭ ଡିସେମ୍ବର ୩୧ ତାରିଖ ସୁଦ୍ଧା ବିଭାଗମାନେ ବଜେଟ୍ ବ୍ୟୟବରାଦର ୬୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବା କଥା। ହେଲେ ଯେଉଁ ବିଭାଗମାନେ ସେପ୍ଟେମ୍ବର ସୁଦ୍ଧା ୪୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରିନାହାନ୍ତି, ସେମାନଙ୍କ ଅତିରିକ୍ତ ବ୍ୟୟ ବରାଦ ସଂକ୍ରାନ୍ତ ଦାବିକୁ ଗ୍ରହଣ କରାଯିବ ନାହିଁ।
ଅର୍ଥ ସଚିବ କହିଛନ୍ତି, ୨୦୧୬-୧୭ ତୁଳନାରେ ୨୦୧୭-୧୮ ବାର୍ଷିକ ବଜେଟ୍ରେ ୧୪.୩ ପ୍ରତିଶତ ଅଧିକ ବ୍ୟୟବରାଦ କରାଯାଇଥିଲା। ସେତେବେଳେ ନିଜସ୍ୱ ରାଜସ୍ୱ କ୍ଷେତ୍ରରେ ୧୩.୪ ପ୍ରତିଶତ ଅଭିବୃଦ୍ଧି ଘଟିବ ବୋଲି ଆକଳନ କରାଯାଇଥିଲା ଓ ସାମଗ୍ରିକ ରାଜସ୍ୱ ହାରରେ ୧୧.୨ ପ୍ରତିଶତ ବୃଦ୍ଧି ଘଟିବ ବୋଲି ଅର୍ଥ ବିଭାଗ ଆଶା ଦେଖାଇଥିଲେ। ହେଲେ ଏ ମଧ୍ୟରେ ଅର୍ଥ ବିଭାଗ ରାଜ୍ୟ ସରକାର ସପ୍ତମ ବେତନ କମିସନ ସୁପାରିସ ଆଧାରରେ କର୍ମଚାରୀ ଦରମା ଓ ପେନସନ୍ ସଂଶୋଧନ କରିଛନ୍ତି। ଏଣୁ ଦରମା ଓ ପେନସନ୍ କ୍ଷେତ୍ରରେ ବ୍ୟୟବରାଦ ବଢିଯାଇଛି। ୨୦୧୭-୧୮ ବର୍ଷର ବଜେଟ୍ ପ୍ରସ୍ତୁତ କରାଯିବା ବେଳେ ନିୟମତଃ ଜିଏସ୍ଡିପିର ୩.୫ ପ୍ରତିଶତ ମଧ୍ୟରେ ବିତ୍ତୀୟ ନିଅଣ୍ଟ ରଖିବା ଲାଗି ବ୍ୟବସ୍ଥା କରାଯାଇଛି। ଏଣୁ ଆଉ ଅଧିକ ଋଣ ବା ଅର୍ଥ ଯୋଗାଡ କରିବା ବର୍ତ୍ତମାନ ପକ୍ଷେ ସମ୍ଭବ ନୁହେଁ। ଏଣୁ ୨୦୧୭-୧୮ ମସିହା ଲାଗି ଯେଉଁ ଅତିରିକ୍ତ ବଜେଟ୍ ହେବ, ତାହା କେବଳ ବାସ୍ତବତା ଉପରେ ପର୍ଯ୍ୟବେସିତ ହେବ। ଅର୍ଥାତ୍, ଯେଉଁ ଅର୍ଥ ଖର୍ଚ୍ଚ ନ ହୋଇଥିବ, ତାହାକୁ ପ୍ରତ୍ୟାହାର କରାଯାଇ, ଆବଶ୍ୟକତା ଅନୁସାରେ ଅନ୍ୟ ବିଭାଗକୁ ଦିଆଯିବ।
ଶ୍ରୀ ପାଣ୍ଡେ ତଥ୍ୟ ରଖି ପରୋକ୍ଷରେ ସୂଚାଇ ଦେଇଛନ୍ତି ଯେ ବିଭାଗମାନେ ମନଇଚ୍ଛା ଟଙ୍କା ମାଗୁଥିବା ପରିଣାମ ଅତ୍ୟନ୍ତ ସାଂଘାତିକ ଭାବେ ପ୍ରତିଫଳିତ ହେଉଛି। ୨୦୧୨-୧୩ରେ ବିଭାଗମାନେ ରାଜ୍ୟର ବିଭିନ୍ନ ସ୍କିମ୍ରେ ୨୮୫୪ କୋଟି ୪ଲକ୍ଷ ଟଙ୍କା (ଅତିିରିକ୍ତ ବଜେଟ୍ ବ୍ୟୟବରାଦ ହୋଇଥିଲା୨୬୭୭.୨୧ କୋଟି) ଫେରାଇଛନ୍ତି। ୨୦୧୩-୧୪ରେ ୧୭୦୧ କୋଟି ୫୩ ଲକ୍ଷ ଟଙ୍କା (ଅତିିରିକ୍ତ ବଜେଟ୍ ବ୍ୟୟବରାଦ ହୋଇଥିଲା ୨୮୦୯.୮୫ କୋଟି), ୨୦୧୪-୧୫ରେ ୧୦ ହଜାର ୪୬୯ କୋଟି ୬୫ଲକ୍ଷ ଟଙ୍କା (ଅତିିରିକ୍ତ ବଜେଟ୍ ବ୍ୟୟବରାଦ ହୋଇଥିଲା ୧୪୯୪.୮୨ କୋଟି), ୨୦୧୫-୧୬ରେ ୮୧୭୦ କୋଟି ୦୯ ଲକ୍ଷ ଟଙ୍କା (ଅତିିରିକ୍ତ ବଜେଟ୍ ବ୍ୟୟବରାଦ ହୋଇଥିଲା ୮୩୭୪.୯୩ କୋଟି), ୨୦୧୬-୧୭ରେ ୬ହଜାର ୮୩୪ କୋଟିି (ଅତିିରିକ୍ତ ବଜେଟ୍ ବ୍ୟୟବରାଦ ହୋଇଥିଲା ୫୧୫୦.୯୪ କୋଟି) ଟଙ୍କା ବିଭାଗମାନେ ଫେରାଇଛନ୍ତି।
ଅର୍ଥାତ୍ ରାଜ୍ୟ ସରକାର ବଢାଚଢା ବଜେଟ୍ ଉପସ୍ଥାପନ କରୁଛନ୍ତି ଓ ବିଭାଗମାନେ ଖର୍ଚ୍ଚ କରିପାରୁନଥିବା ନେଇ ହେଉଥିବା ଅଭିଯୋଗ ଅସତ୍ୟ ନୁହେଁ। ପୂର୍ବରୁ ସିଏଜି ମଧ୍ୟ ଏ ନେଇ ଟିପ୍ପଣୀ ଦେଇଥିଲେ। ପ୍ରତିମାସରେ ଅନୁଷ୍ଠିତ ହେଉଥିବା ସଚିବସ୍ତରୀୟ ବୈଠକରେ ବିଭାଗମାନଙ୍କର ଖର୍ଚ୍ଚ ସଂପର୍କରେ ଖୋଦ୍ ମୁଖ୍ୟସଚିବ ସମୀକ୍ଷା କରୁଥିବା ବେଳେ ଏପରି ଅପରାଗତା ପାଇଁ କାହାକୁ ଦାୟୀ କରାଯିବ, ସେ ନେଇ ଆଲୋଚନା ଆରମ୍ଭ ହୋଇଛି।