ଜିଏସ୍‌ଟି ପରିଷଦର ମନ୍ତ୍ରୀଗୋଷ୍ଠୀରେ ଓଡ଼ିଶା ଅର୍ଥମନ୍ତ୍ରୀ

ଭୁବନେଶ୍ବର : ଦେଶରେ ଦ୍ରବ୍ୟ ଓ ସେବାକର(ଜିଏସ୍‌ଟି) ପ୍ରଚଳନ ହେବା ପରେ ସଂଗୃହୀତ ରାଜସ୍ବ ଆୟର ବିଶ୍ଳେଷଣ ନିମନ୍ତେ ଜିଏସ୍‌ଟି ପରିଷଦ ଦ୍ବାରା ଗଠିତ ସାତଜଣିଆ ମନ୍ତ୍ରୀଗୋଷ୍ଠୀରେ ଓଡ଼ିଶାର ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଅନ୍ୟତମ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତିି।

ଏହି ମନ୍ତ୍ରୀ ଗୋଷ୍ଠୀ ଜିଏସ୍‌ଟି ପ୍ରଚଳନ ପୂର୍ବରୁ ଏବଂ ପ୍ରଚଳନ ପରେ ରାଜ୍ୟୱାରୀ ରାଜସ୍ବ ଆଦାୟର ଧାରା ସଂପର୍କରେ ବିଶ୍ଳେଷଣ କରିବେ। ନୂଆଦିଲ୍ଲୀରେ ଅନୁଷ୍ଠିତ ୩୧ତମ ଜିଏସ୍‌ଟି ପରିଷଦ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଜିଏସ୍‌ଟି ଦ୍ବାରା ସେବାକ୍ଷେତ୍ର ସମେତ ଅର୍ଥନୀତିର ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଢାଞ୍ଚାଗତ ପରିବର୍ତନ ଓ ରାଜସ୍ବ ଆଦାୟ କ୍ଷେତ୍ରରେ ଏହାର ପ୍ରଭାବ ସଂପର୍କରେ ମନ୍ତ୍ରୀ ଗୋଷ୍ଠୀ ଅନୁଧ୍ୟାନ କରିବେ। ସେହିପରି ଜିଏସ୍‌ଟିର ପରିକଳ୍ପନା ଏବଂ ଏହାର କାର୍ଯ୍ୟାନ୍ବୟନ କରିବା ସମୟରେ ଅନୁମାନ କରାଯାଉଥିବା ରାଜସ୍ବ ଆୟ ଓ ପ୍ରକୃତରେ ସଂଗୃହୀତ ରାଜସ୍ବ ମଧ୍ୟରେ ବ୍ୟବଧାନର କାରଣ ସଂପର୍କରେ ବି ଅନୁଧ୍ୟାନ କରିବେ। ବିଶେଷ କରି ଉପଭୋକ୍ତା ରାଜ୍ୟଗୁଡ଼ିକରେ କାହିଁକି ଆଶାନୁରୂପକ ରାଜସ୍ବ ଆଦାୟ ହୋଇପାରୁନାହିଁ ସେ ନେଇ ମଧ୍ୟ ଅନୁଧ୍ୟାନ କରିବେ। ଏହା ସହିତ ନିଅଣ୍ଟିଆ ରାଜ୍ୟଗୁଡ଼ିକର ରାଜସ୍ବ ବୃଦ୍ଧି ସଂପର୍କରେ ଆବଶ୍ୟକ ପଦକ୍ଷେପ ଓ ନୀତି ନିର୍ଧାରଣ ନିମନ୍ତେ ସୁପାରିସ କରିବେ।

ବିହାର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ଏହି ଗୋଷ୍ଠୀର ଆବାହକ ଥିବା ବେଳେ କର୍ଣ୍ଣାଟକ, କେରଳ, ପଞ୍ଜାବ, ହରିୟାଣା, ଗୋଆ ଓ ଓଡ଼ିଶାର ଅର୍ଥମନ୍ତ୍ରୀମାନେ ସଦସ୍ୟ ରହିଛନ୍ତି। ଏହା ପୂର୍ବରୁ ଜିଏସ୍‌ଟିର ସଫଳ ରୂପାୟନ କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ବ୍ୟବହାର ଏବଂ ଏ ଦିଗରେ ଉପୁଜୁଥିବା ସମସ୍ୟାର ସମାଧାନ ପାଇଁ ଗଠିତ ୫ଜଣିଆ ମନ୍ତ୍ରୀଗୋଷ୍ଠୀ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା କ୍ଷତିଗ୍ରସ୍ତ ରାଜ୍ୟ ନିମନ୍ତେ ଅତିରିକ୍ତ ସେସ୍‌ ଆଦାୟ ପାଇଁ ଗଠିତ ୭ଜଣିଆ ମନ୍ତ୍ରୀ ଗୋଷ୍ଠୀରେ ମଧ୍ୟ ମନ୍ତ୍ରୀ ଶ୍ରୀ ବେହେରା ସଦସ୍ୟ ରହିଛନ୍ତିି।

ସମ୍ବନ୍ଧିତ ଖବର