ପୁଣି ବଢ଼ିଲା ଟଙ୍କା ଚିନ୍ତା : ଅତିରିକ୍ତ ବଜେଟ୍ ପାଇଁ ଟଙ୍କା ନାହିଁ, ଖୋଲାବଜାରରୁ ପୁଣି ୫୦୦ କୋଟି ଉଠିଲା, ସପ୍ତମ ବେତନ କମିସନ ବକେୟା ଅର୍ଥ ବାକି

ଭୁବନେଶ୍ୱର : ଆର୍ଥିକ ମାନ୍ଦାବସ୍ଥାକୁ େନଇ ସମଗ୍ର ଦେଶରେ ହଇଚଇ ସୃଷ୍ଟି େହଲାଣି। ଏହାକୁ େନଇ ବିତର୍କ ଜାରି ରହିଛି। ଠିକ୍ ଏମିତି ସମୟରେ ରାଜ୍ୟରେ ଆର୍ଥିକ ସ୍ବାସ୍ଥ୍ୟ ବିିଗିଡିବା ସଙ୍କେତ ମିଳିଲାଣି। ଏମିତି େଯ ଅତିରିକ୍ତ ବଜେଟ୍ ପାଇଁ ଟଙ୍କା େଯାଗାଡ କରିବା ସରକାରଙ୍କ ପାଇଁ ମୁସ୍କିଲ େହାଇପଡିଛି। ଗତ କିଛି ଦିନ ଧରି ସରକାରଙ୍କ ଚିଠି ଓ କିଛି ପଦକ୍ଷେପ ଏମିତି ସୂଚାଉଛି। କୁଆଡୁ କେମିତି ଟଙ୍କା ଆସିବ, ସେ ଚିନ୍ତା ଘାରିଛି ଅର୍ଥ ବିଭାଗକୁ। ଗତ ୨୭ ତାରିଖ ଦିନ ଅତିରିକ୍ତ ବଜେଟ୍ ପାଇଁ ଅର୍ଥ ବିଭାଗ ଏକ କଡ଼ା ଚିଠି େଲଖିଥିଲେ। ବରିଷ୍ଠ ଅଧିକାରୀଙ୍କୁ େନଇ ନିକଟରେ ସଚିବାଳୟରେ ଏକ ଉଚ୍ଚସ୍ତରୀୟ ବୈଠକ ବି େହାଇଥିଲା। ରାଜ୍ୟ ସରକାର ନିଜର ଷ୍ଟକ୍ ବିକ୍ରି କରି ପୁଣି ୫୦୦ କୋଟି ଟଙ୍କା େଖାଲା ବଜାରରୁ ଋଣ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଅକ୍ଟୋବର ୧୬ତାରିଖ ଅର୍ଥାତ୍ ଆଜି ହିଁ ଏହି ଷ୍ଟକ୍ ବିକ୍ରି ପାଇଁ ନିଲାମୀ େହାଇଛି।

ସେପଟେ ଆସନ୍ତା ୨୦୨୨-୨୩ େବଳକୁ ଓଡ଼ିଶାର ଆର୍ଥିକ ସ୍ବାସ୍ଥ୍ୟ ପୁଣି ଥରେ ବିଗିଡିଯିବା ଆଶଙ୍କାକୁ ଅର୍ଥନୀତିଜ୍ଞମାନେ ଏଡ଼ାଇ ପାରୁନାହାନ୍ତି। ପଞ୍ଚଦଶ ଅର୍ଥ କମିସନଙ୍କ ସୂତ୍ରରୁ ଓଡ଼ିଶାକୁ ବଡ଼ ଲାଭ ମିଳିବା ସମ୍ଭାବନା କ୍ଷୀଣ। କାରଣ ଗତ ଅଗଷ୍ଟ ମାସରେ କମିସନ ଟର୍ମସ୍‌ ଆଣ୍ଡ ରେଫରେନ୍ସରେ ପରିବର୍ତନ ଆଣି ସେଥିରେ ଅନ୍ତର୍ଦେଶୀୟ ସୁରକ୍ଷା ଓ ପ୍ରତିରକ୍ଷା ଖର୍ଚ୍ଚକୁ ବିଚାରକୁ ନେବା କଥା ଉଲ୍ଲେଖ କରିଛନ୍ତି। ଅର୍ଥାତ୍ ରାଜ୍ୟମାନଙ୍କ ପାଇଁ ରାଶି ଆବଣ୍ଟନ କମିବା ସମ୍ଭାବନା ଅଧିକ। ଚତୁର୍ଦଶ ଅର୍ଥ କମିସନ ୪୨% ଅର୍ଥ ଆବଣ୍ଟନ ସୁପାରିସ କରିଥିଲେ। ରାଜ୍ୟ ସରକାର ୫୦% ଦାବି କରିଛନ୍ତି।

କିନ୍ତୁ ବିଶେଷଜ୍ଞମାନେ ଏହି ରାଶି ୪୦%କୁ କମିଯାଇପାରେ େବାଲି ଆଶଙ୍କା କଲେଣି। ପୁଣି ଜିଏସଟି ପାଇଁ େଯଉଁ ଅନୁକମ୍ପା ରାଶି (୧୪%) ମିଳୁଛି, ତାହାର ଅବଧି ୨୦୨୨-୨୩ରେ ବନ୍ଦ େହାଇଯିବ। ଭାରତର ତୈଳ ନିଗମ ସହିତ େହାଇଥିବା ଚୁକ୍ତି ବାବଦ ଅର୍ଥ ବି। ଏସବୁଠାରୁ ଆହୁରି ଉଦବେଗ ବିଷୟ ହେଲା, କୌଣସି ନୂଆ ସୂତ୍ରରୁ ସମ୍ବଳ ସଂଗ୍ରହ କରିବା ଲାଗି ରାଜ୍ୟ ସରକାର ଇତିମଧ୍ୟରେ କୌଣସି ବାଟ କାଢିନାହାନ୍ତି। ସଂଜୀବ ହୋତା କମିଟିଙ୍କ ପରେ ଏ ଦିଗରେ ଏଯାଏ ଆଉ କୌଣସି ପଦକ୍ଷେପ ନିଆଯାଇନାହିଁ।

ଉଲ୍ଲେଖଯୋଗ୍ୟ, ୨୦୧୯-୨୦ ବର୍ଷ ଲାଗି ଅର୍ଥ ବିଭାଗ ୧.୩୯ଲକ୍ଷ େକାଟି ଟଙ୍କାର ଏକ ବଡ଼ ବଜେଟ୍ ପ୍ରସ୍ତୁତ କରିଥିଲେ। ବଜେଟ୍ ବାହାରେ ସରକାର ଅନେକ କାର୍ଯ୍ୟକ୍ରମ ହାତକୁ େନଇ ସାରିଲେଣି। େକାରାପୁଟ, ମାଲକାନଗିରି, ନବରଙ୍ଗପୁର ଆଦି ଜିଲ୍ଲା ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ େଘାଷଣା େହାଇଛି। ପୁରୀର ବିକାଶ ପାଇଁ ବି ବଡ଼ ପରିମାଣର ଅର୍ଥ ଦରକାର। ଏଣୁ ଅତିରିକ୍ତ ବଜେଟ୍ ପାଇଁ ଟଙ୍କା େଯାଗାଡ ଏକ ସ୍ବାଭାବିକ ପ୍ରକ୍ରିୟା।

କିନ୍ତୁ ଅର୍ଥ ବିଭାଗ ବିଭିନ୍ନ ବିଭାଗର ସଚିବଙ୍କୁ ଚିଠି େଲଖିଛି େଯ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବଜେଟ୍ ପ୍ରସ୍ତୁତି ସମୟରେ ବିତ୍ତୀୟ ନିଅଣ୍ଟକୁ ରାଜ୍ୟର ମୋଟ ଘରୋଇ ଉତ୍ପାଦ ବା ଜିଏସଡିପିର ୩.୫ ପ୍ରତିଶତ ମଧ୍ୟରେ ରଖିବା ଲାଗି ସ୍ଥିର କରାଯାଇଛି। ମୂଳ ବଜେଟ୍‌ ପ୍ରସ୍ତୁତ ସମୟରେ ଏହାର ସମ୍ପୂର୍ଣ୍ଣ ବିନିଯୋଗ କରାଯାଇସାରିଛି। ଅତଏବ, ମୂଳ ବଜେଟ୍ ବାହାରେ େଖାଲା ବଜାରରୁ ଆଉ ଅଧିକ ଋଣ ଆଣିବା ସମ୍ଭାବନା ଆଦୌ ନାହିଁ। ଏପଟେ ପର୍ଯ୍ୟାପ୍ତ ପାଣ୍ଠି ଉପଲବ୍ଧ ନହେଲେ କୌଣସି କ୍ଷେତ୍ର ପାଇଁ ଅଧିକ ଅର୍ଥ ବ୍ୟୟ କରିବା ସମ୍ଭବ ପର ହେବନାହିଁ। ତେଣୁ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବ୍ୟୟ ପ୍ରସ୍ତାବରେ ବଜେଟ ରାଶିକୁ କେବଳ ଏପଟସେପଟ କରାଯାଇ ପାରିବ। ଅର୍ଥାତ୍ ଗୋଟିଏ ୟୁନିଟର ଖର୍ଚ୍ଚକୁ ହ୍ରାସ କରି ଅନ୍ୟ ୟୁନିଟରେ ଲଗାଯାଇ ପାରିବ। ଅର୍ଥାତ୍ ଗୋଟିଏ ୟୁନିଟରେ ପ୍ରଶାସନିକ ବିଭାଗ ଗୁଡ଼ିକ ଅର୍ଥ ସଞ୍ଚୟ କରିଲେ ଯାଇ ସେହି ପରିମାଣର ଅର୍ଥ ଅନ୍ୟ ୟୁନିଟରେ ହିଁ ଖର୍ଚ୍ଚ କରିପାରିବେ।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଇତିମଧ୍ୟରେ ଉନ୍ନୟନ କମିସନର, ଅର୍ଥ ବିଭାଗ ସଚିବ ପ୍ରମୁଖଙ୍କୁ େନଇ ଏକ ଉଚ୍ଚସ୍ତରୀୟ ବୈଠକ କରାଯାଇଥିଲା। କେଉଁ ସୂତ୍ରରୁ ଟଙ୍କା ସଞ୍ଚୟ କରାଯାଇପାରିବ ବା ଆସିବାର ସମ୍ଭାବନା ଅଛି, େସ କସରତ େହାଇଛି। କେବଳ ସେତିକି ନୁହେଁ, ରାଜ୍ୟ ସରକାର ନିଜର ଷ୍ଟକ୍ ବିକ୍ରି କରି ପୁଣି ୫ ଶହ କୋଟି ଟଙ୍କା ଋଣ ଆଣିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ରାଜ୍ୟ ସରକାର ଏହି ଋଣ ଆଣିବେ। ଆଜି ନିଲାମ ପ୍ରକ୍ରିୟା ଦିନ ଧାର୍ଯ୍ୟ େହାଇଥିଲା। ଏଥିରେ କୁହାଯାଇଛି ୫ବର୍ଷ ଅବଧି ପାଇଁ ରାଜ୍ୟ ସରକାର ଏହି ଋଣ ଆଣିବେ ଓ ୨୦୨୪ ମସିହାରେ ପରିଶୋଧ କରିବେ।

ଜୁନ୍ ୨୯ ତାରିଖରେ ବଜେଟ୍ ଉପସ୍ଥାପନ ଦିନ ଅର୍ଥ ସଚିବ ଅଶୋକ କୁମାର ମୀନା କହିଥିଲେ, ୨୦୧୯-୨୦ ବର୍ଷରେ େଖାଲାବଜାରରୁ ୧୬ ହଜାର ୪୩୪ େକାଟି ଟଙ୍କା ଋଣ ଉଠାଯିବାକୁ ଲକ୍ଷ୍ୟ ରଖାଯାଇଛି। ସମୁଦାୟ ୨୩ ହଜାର ୭୮୪ େକାଟି ଟଙ୍କା ସରକାର ବିଭିନ୍ନ େକ୍ଷତ୍ରରୁ ଋଣ କରାଯିବ। ଏହାକୁ ଆଧାର କରି ଆକଳନ କରାଯାଇଥିଲା େଯ ବର୍ଷ ଶେଷସୁଦ୍ଧା ୧ଲକ୍ଷ ୬ହଜାର କୋଟି ଟଙ୍କା ଋଣ ପରିମାଣ ଛୁଇଁବ।

ସରକାର ଆଶ୍ବସ୍ତ କରିଥିଲେ େଯ ୨୩ ହଜାର େକାଟି ଋଣ ଉଠାଇଲେ ବି ଏହା ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦର ୧୯.୭ % ହେବ। ଆର୍ଥିକ ଉତ୍ତରଦାୟୀ ଓ ବିତ୍ତୀୟ ପରିଚାଳନା ଆଇନ ଅନୁସାରେ ବକେୟା ଋଣ ଓ ରାଜ୍ୟର ସାମଗ୍ରିକ ଘରୋଇ ଉତ୍ପାଦ ଅନୁପାତ ୨୫%ରୁ କମ୍‌ ହେବା ଆବଶ୍ୟକ। ଏହି ସୀମା ଭିତରେ ଓଡ଼ିଶା ସରକାର ଅଛନ୍ତି।

ହେଲେ ମିଳିଥିବା ସୂଚନା ମୁତାବକ, ଚାରିଟି ବଡ଼ ବିପଦ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଜିଏସଟି ଆଦାୟ େନଇ େକନ୍ଦ୍ର ସରକାର ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି, ତାହା ପୂରଣ େହାଇପାରୁନାହିଁ। ଏପଟେ ପରିବହନ ଓ ଖଣି େକ୍ଷତ୍ରରୁ ଟିକସ କମିବାର ସଙ୍କେତ ମିଳୁଛି। ଏଣୁ ଯେଉଁ ପରିମାଣର ଖର୍ଚ୍ଚ ବଢୁଛି, ଅନୁରୂପ ପରିମାଣର ଟିକସ ପରିମାଣରେ ବୃଦ୍ଧି ସମ୍ଭାବନା ପ୍ରାୟତଃ ଦିଶୁନାହିଁ।

ସମ୍ଭବତଃ ସେଇଥିପାଇଁ, େକନ୍ଦ୍ର ସରକାର େଘାଷଣା କରିବା ପରେ ବି ରାଜ୍ୟ ସରକାର କର୍ମଚାରୀ ଓ ପେନସନ େଭାଗୀଙ୍କୁ ୫% ଅତିରିକ୍ତ ମହଙ୍ଗା ଭତ୍ତା ବଢାଇବା ଲାଗି ଏଯାଏ େଘାଷଣା କରିନାହାନ୍ତି। ସପ୍ତମ ବେତନ କମିସନ ସୁପାରିସ୍ ହାରରେ କର୍ମଚାରୀଙ୍କୁ ସଂଶୋଧିତ ଘରଭଡ଼ା ଦେବା ସଂକ୍ରାନ୍ତ ଫାଇଲରେ ମଧ୍ୟ ସରକାରୀ େମାହର ଲାଗିନାହିଁ। ଷଷ୍ଠ ବେତନ କମିସନ ହାରରେ କର୍ମଚାରୀ ଅନ୍ୟାନ୍ୟ ଭତ୍ତା ବି ପାଉଛନ୍ତି। ରାଜ୍ୟ ସରକାର ନିଜର କର୍ମଚାରୀମାନଙ୍କ ପାଇଁ ୨୦୧୭ ସେପ୍ଟେମ୍ବର ମାସରୁ ସପ୍ତମ ବେତନ କମିସନ ସୁପାରିସକୁ ଲାଗୁ କରିବା ସହ ବର୍ଦ୍ଧିତ ହାରରେ ଦରମା ଦେଇଥିଲେ। ୨୦୧୬ ଜାନୁଆରିରୁ ପିଛିଲା ଭାବେ ଲାଗୁ କରିବା କଥା ଘୋଷଣା କରାଯାଇଥିଲା। ସେହିଭଳି ୨୦୧୬ ଜାନୁଆରିରୁ ୨୦୧୭ ଅଗଷ୍ଟ ବର୍ଧିତ ବକେୟା ରାଶିର ପ୍ରଥମ ଭାଗ ଅର୍ଥାତ୍ ୪୦% ସରକାର ପ୍ରଦାନ କରିସାରିଛନ୍ତି। ହେଲେ ବଳକା ୬୦% (ବକେୟା) ଦରମା କେବେ ପ୍ରଦାନ କରାଯିବ େସ ଖବର କାହାର ପାଖେ ନାହିଁ।

ପ୍ରଶ୍ନ ଉଠୁଛି, ରାଜ୍ୟ ସରକାରଙ୍କର ଅଧିକରୁ ଅଧିକ ନିଜସ୍ବ ଯୋଜନାର ଚାପରେ ରାଜକୋଷ ଚେପା େହଉଛି ନା େଲାକପ୍ରିୟତା ବୃଦ୍ଧି କରିବାର ଲକ୍ଷ୍ୟରେ ସରକାର େରାଜଗାର ବଢାଇବାର ବାଟ ଭୁଲିଗଲେଣି। ସଂଜୀବ େହାତା କମିସନଙ୍କ ସୁପାରିସକୁ ନିଷ୍ଠାର ସହିତ ତଥା ଶତପ୍ରତିଶତ ପାଳନ େହାଇପାରିଲା ନାହିଁ। ଏବେ ସମୟ ବଦଳିବା ସହିତ ରାଜ୍ୟ ସରକାରଙ୍କର ନିଜସ୍ବ ଆୟ ବୃଦ୍ଧି ପାଇଁ ଅନେକ ବାଟ େଖାଲିଲାଣି। ହେଲେ ସରକାରୀ ଅଧିକାରୀମାନେ କିନ୍ତୁ ଏ ସଂକ୍ରାନ୍ତ କମିସନ ବସାଇବା ଲାଗି କୁନ୍ଥକୁନ୍ଥ। ଏଭଳି ସ୍ଥିତିରେ ଅର୍ଥନୀତି ଆଗକୁ ବିପଜ୍ଜନକ େମାଡ଼କୁ ଚାଲିଯିବା ସମ୍ଭାବନାକୁ ଏଡାଇ ହେବ କେମିତି?

ସମ୍ବନ୍ଧିତ ଖବର

Comments are closed.