ପ୍ରଦୂଷଣ ବିଭାଗର ଝଟ୍‌କା : ପୁରୀର ୮୦ ହୋଟେଲକୁ ଲକ୍ଷେ ଲେଖା ଜରିମାନା

ପୁରୀ : ପୁରୀର ହୋଟେଲ ମାଲିକଙ୍କ ଉପରେ ରାଜ୍ୟ ପ୍ରଦୂଷଣ ବିଭାଗର ଚଡ଼କ ପଡିଛି। ଆଜି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପୁରୀର ୮୦ଟିି ହୋଟେଲ ଉପରେ ୧ ଲକ୍ଷ ଟଙ୍କା ଲେଖା ଜୋରିମାନା ଧାର୍ଯ୍ୟ କରାଯାଇଛି। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏ ନେଇ ହୋଟେଲ ମାଲିକଙ୍କୁ ନୋଟିସ୍‌ ବି ଜାରି କରାଯାଇଛି। ଧାର୍ଯ୍ୟ ଜୋରିମାନା ଆସନ୍ତା ୧୫ ତାରିଖ ସୁଦ୍ଧା ପୈଠ ନ କଲେ ପରିଣାମ ଭୋଗିବାକୁ ନୋଟିସ୍‌ରେ ନିର୍ଦ୍ଦେଶ ରହିଛି। ହୋଟେଲ ପ୍ରତିଷ୍ଠା (କନ୍‌ସେଫ୍‌ର ଏଷ୍ଟାବ୍ଲିସ୍‌ମେଣ୍ଟ) ଓ ଚାଲୁ କରିବାକୁ ଅନୁମତି (ଓକନ୍‌ସେଟ୍‌ ଫର୍‌ ଅପରେଟ୍‌) ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ନେଇନଥିବା ହୋଟେଲ ଉପରେ ଏପ୍ରକାର କଟକଣା ଜାରି କରାଯାଇଛି। ଏନ୍‌ଜିଟି (ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ)ଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଏହି ଜୋରିମାନା ଧାର୍ଯ୍ୟ କରାଯାଇଛି।

ପ୍ରକାଶ ଯେ, ଏନ୍‌ଜିଟି ପକ୍ଷରୁ ହୋଟେଲ ପ୍ରତିଷ୍ଠା ଓ ଏହାକୁ ଚାଲୁ କରିବା ପାଇଁ ରାଜ୍ୟ ପ୍ରଦୂଷଣ ବୋର୍ଡର ଅନୁମତି ଅପରିହାର୍ଯ୍ୟ ବୋଲି କୁହାଯାଇଥିଲା। ଏନ୍‌ଜିଟିଙ୍କ ନିର୍ଦ୍ଦେଶ ମୁତାବକ ୨୦୧୫ ମସିହା ଅଗଷ୍ଟ ୬ ତାରିଖ ସୁଦ୍ଧା ଯେଉଁ ହୋଟେଲ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ନେଇନଥିବେ ସେମାନଙ୍କ ଉପରେ ଜୋରିମାନା ଧାର୍ଯ୍ୟ କରାଯିବ। ଅନୁମତି ନେଇନଥିଲେ ୧ ଲକ୍ଷ, ଅନୁମତି ନେଇ ନିୟମ ମାନୁ ନଥିଲେ ୫୦ ହଜାର ଟଙ୍କା ଜୋରିମାନା ଧାର୍ଯ୍ୟ କରାଯିବ ବୋଲି ନିର୍ଦ୍ଦେଶ ରହିଥିଲା। ଏହି ନିୟମରେ ୫୩୦ ହୋଟେଲ ଅନୁମତି ନେଇନଥିବା ଜଣାପଡିଥିଲା। ପ୍ରଥମେ ୪୩୦ଟି ହୋଟେଲ ଉପରେ ଜୋରିମାନା ଧାର୍ଯ୍ୟ କରାଯାଇଥିଲା। ୨୦୧୭ ଜୁଲାଇ ମାସ ସୁଦ୍ଧା ଏ ବାବଦରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପ୍ରାୟ ଦୁଇ କୋଟିରୁ ଅଧିକ ଟଙ୍କା ଜୋରିମାନା ଆଦାୟ କରିଛି। ଏବେ ପୁଣି ଥରେ ପୁରୀର ୮୦ଟି ହୋଟେଲ ଉପରେ ଏଭଳି ଜୋରିମାନା ଧାର୍ଯ୍ୟ କରାଯାଇଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର