ବିନା ଟିକେଟ ଯାତ୍ରୀ, ସାବଧାନ!

୨୦୧୮-୧୯ରେ ଏକ ଲକ୍ଷ ୭୬ ହଜାର ବିନା ଟିକେଟ ଯାତ୍ରୀଙ୍କଠାରୁ ଜରିମାନା, ଅନିୟମିତ ଯାତ୍ରା ପାଇଁ ୪ ଲକ୍ଷ ୯୮ ହଜାର ଯାତ୍ରୀଙ୍କଠାରୁ ଜରିମାନା

ଭୁବନେଶ୍ବର : ୨୦୧୮-୧୯ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥ ପକ୍ଷରୁ ଅତର୍କିତ ଟିକେଟ ଯାଞ୍ଚ କରାଯାଇ ଏକ ଲକ୍ଷ ୭୬ ହଜାର ୪୯୩ ଜଣ ବିନା ଟିକେଟ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କଠାରୁ ଜରିମାନା ଆଦାୟ କରାଯାଇଛି। ଏହାବ୍ୟତୀତ ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ଅନିୟମିତ ଯାତ୍ରା ପାଇଁ ୪ ଲକ୍ଷ ୯୮ ହଜାର ୪୩୭ ଜଣ, ଲଗେଜ୍‌ ବୁକ କରି ନଥିବା ଓ ଅଧିକ ଲଗେଜ ନେଇଥିବା ବାବଦରେ ଏକ ଲକ୍ଷ ୨୩ ହଜାର ୭୨୩ ଜଣ ଯାତ୍ରୀଙ୍କଠାରୁ ଜରିମାନା ଆଦାୟ ହୋଇଛି।

ବିନା ଟିକେଟ ଯାତ୍ରା ବାବଦରେ ଯାତ୍ରୀ ଭଡ଼ା ସହିତ ୮ କୋଟି ୨୧ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଛି। ଏଥିସହ ଅନିୟମିତ ଯାତ୍ରା ବାବଦରେ ଯାତ୍ରୀ ଭଡ଼ା ସହ ୨୨ କୋଟି ୨୦ ଲକ୍ଷ, ଅଧିକ ଲଗେଜ୍‌ ନେବା କିମ୍ବା ଲଗେଜ ବୁକ କରି ନଥିବା ବାବଦରେ ୧ କୋଟି ୧୦ ଲକ୍ଷ ଟଙ୍କା ଜୋରିମାନା ଆଦାୟ ହୋଇଛି। ବିନା ଟିକେଟ୍‌ରେ ଯାଉଥିବା ଯାତ୍ରୀଙ୍କ ସଂଖ୍ୟା ୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେ ବୃଦ୍ଧି ପାଇଛି। ଧରାପଡ଼ିବା ସହ ଅଧିକ ଫାଇନ୍‌ ଆଦାୟ କରାଯାଇଛି।

ବିନା ଟିକେଟ ଯାତ୍ରା, ଅନିୟମିତ ଯାତ୍ରା, ଅଧିକ ଲଗେଜ ସାଥିରେ ନେବା କିମ୍ବା ଲଗେଜ ବୁକ କରି ନଥିବା ସହ ଅନ୍ୟାନ୍ୟ ଯାତ୍ରୀ ପରିବହନ ସମ୍ବନ୍ଧୀୟ ଜରିମାନା ବାବଦରେ ଗତ ଆର୍ଥିକ ବର୍ଷରେ ପ୍ରାୟ ୭ ଲକ୍ଷ ୯୮ ହଜାର ମାମଲାରେ ପ୍ରାୟ ୩୧ କୋଟି ୫୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରାଯାଇଛି। ରେଳବାଇ ସୁରକ୍ଷା ବଳ କର୍ମଚାରୀଙ୍କ ସହାୟତାରେ ରେଳବାଇ ବାଣିଜ୍ୟ ବିଭାଗ ଟିକେଟ୍‌ ଯାଞ୍ଚ କର୍ମଚାରୀମାନେ ଗତ ଆର୍ଥିକ ବର୍ଷରେ ବ୍ୟାପକ ଭାବେ ଅତର୍କିତ ଟିକେଟ ଯାଞ୍ଚ ଅଭିଯାନ ଚଳାଇଥିଲେ। ବିନା ଟିକେଟ ଯାତ୍ରା ଓ ଅନିୟମିତ ଯାତ୍ରାକୁ ପ୍ରୋତ୍ସାହିତ ନ କରିବା ପାଇଁ ପୂର୍ବତଟ ରେଳପଥ ମୁଖ୍ୟାଳୟର ବାଣିଜ୍ୟ ବିଭାଗ ଅଧିକାରୀମାନଙ୍କ ସହ ସମସ୍ତ ରେଳବାଇ ମଣ୍ଡଳ ଯଥା ଖୋର୍ଦ୍ଧା ରୋଡ୍‌, ସମ୍ବଲପୁର ଓ ୱାଲଟିଅର ରେଳମଣ୍ଡଳର ବାଣିଜ୍ୟିକ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ବ୍ୟାପକ ଭାବେ ଟିକେଟ ଯାଞ୍ଚ ଅଭିଯାନ ହେଉଛି।

ଯାତ୍ରୀ ପରିବହନ କ୍ଷେତ୍ରରେ ଆୟ ବାବଦରେ ବହିର୍ଗମନକୁ ରୋକିବା ପାଇଁ ଅଚାନକ ଭାବେ ଟିକେଟ ଯାଞ୍ଚ ଅଭିଯାନ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଆଗାମୀ ଦିନରେ ଏଭଳି ଅଭିଯାନ ଜାରି ରଖିବା ସହ ବିନା ଟିକେଟରେ ଯାତ୍ରାକୁ ନିରୁତ୍ସାହିତ କରିବା, ଅନିୟମିତ ଯାତ୍ରାକୁ ପ୍ରଶୟ ନଦେବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏହାବ୍ୟତୀତ ଟ୍ରେନ୍‌ ଯାତ୍ରା ସମୟରେ ଅଧିକ ଲଗେଜ ସାଥିରେ ନ ନେବା ଓ ଲଗେଜ ବୁକ୍‌ କରି ଯାତ୍ରା କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ସମ୍ବନ୍ଧିତ ଖବର